ଗୁରୁଙ୍କ ରେକର୍ଡ ଭାଙ୍ଗି ପାରିଲେନି ଅଭିଷେକ: ମ୍ୟାଚ୍‌ ପରେ କହିଲେ ମନର କଥା

ନୂଆଦିଲ୍ଲୀ,୨୮।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍‌ରେ ଅଭିଷେକ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ଭାରତକୁ ଦମ୍‌ଦାର ବିଜୟ ଦେଇଛି। ମାତ୍ର ୩୫ ବଲ୍‌ରେ ଶତକ ହାସଲ କରିଥିବା ଅଭିଷେକଙ୍କୁ ତାଙ୍କ ମେଣ୍ଟର ଅର୍ଥାତ୍‌ ଯୁବରାଜ ସିଂହ ସୋସିଆଲ ମିଡିଆରେ ପ୍ରଶଂସା କରିବା ସହ ମଜାଦାର ଟିପ୍ପଣୀ ମଧ୍ୟ ଦେଇଥିଲେ। ଯୁବରାଜଙ୍କ ୧୨ ବଲ୍‌ରେ ଅର୍ଦ୍ଧଶତକ ରେକର୍ଡକୁ ନେଇ ଏବେ ଅଭିଷେକଙ୍କ ପ୍ରତିକ୍ରିୟା ଚର୍ଚ୍ଚାରେ ରହିଛି।
୨୦୦୭ ମସିହାରେ ଟି-୨୦ କ୍ରିକେଟ୍‌ରେ ମାତ୍ର ୧୨ ବଲ୍‌ରେ ଅର୍ଦ୍ଧଶତକ ହାସଲ କରିଥିଲେ ଯୁବରାଜ ସିଂହ। ଅଭିଷେକଙ୍କ ଶତକ ପରେ ସେ ମଜାଳିଆ ଢଙ୍ଗରେ କହିଥିଲେ ଯେ ଅଭିଷେକ ଏପର୍ଯ୍ୟନ୍ତ ତାଙ୍କ ଏହି ରେକର୍ଡ ଭାଙ୍ଗିପାରି ନାହାନ୍ତି। ତେବେ ଭାରତର ବିଜୟ ପରେ ଯୁବରାଜ ଅଭିଷେକଙ୍କ ଇନିଂସକୁ ଖୁବ ପ୍ରଶଂସା କରିଥିଲେ। ନିଜେ ୩୦ରୁ ୩୪ ବଲ୍‌ରେ ଶତକ ହାସଲ କରିପାରିବେ ନାହିଁ ବୋଲି କହିବା ସହ ଅଭିଷେକଙ୍କୁ ‘ସାର୍‌’ ବୋଲି ସମ୍ବୋଧନ କରିଥିଲେ।

ମ୍ୟାଚ୍‌ରେ ଦମ୍‌ଦାର ପ୍ରଦର୍ଶନ ପାଇଁ ପ୍ଲେୟର ଅଫ ଦି ମ୍ୟାଚ ପୁରସ୍କାର ଜିତିବା ପରେ ଯୁବରାଜଙ୍କ ଟିପ୍ପଣୀ ଉପରେ ଅଭିଷେକଙ୍କୁ ପ୍ରଶ୍ନ କରାଯାଇଥିଲା। ଏହାର ଜବାବରେ ସେ ହସି ହସି କହିଥିଲେ ଯେ, ୧୨ ବଲ୍‌ରେ ୫୦ ରନ କରିବା ଆଦୌ ସହଜ ନୁହେଁ। ଏଭଳି ପ୍ରଦର୍ଶନ କ୍ୱଚିତ୍‌ ଦେଖିବାକୁ ମିଳେ। ଜଣେ ଖେଳାଳି ଭାବେ ସେମାନେ ରେକର୍ଡ କିମ୍ବା ବ୍ୟକ୍ତିଗତ ମାଇଲଷ୍ଟେନ ବିଷୟରେ ଅଧିକ ଚିନ୍ତା କରନ୍ତି ନାହିଁ। ଦଳକୁ ଜିତାଇବା ହିଁ ସେମାନଙ୍କର ମୁଖ୍ୟ ଲକ୍ଷ୍ୟ ବୋଲି ସେ ସ୍ପଷ୍ଟ କରିଥିଲେ।

ନ୍ୟୁଜିଲାଣ୍ଡ ବିପକ୍ଷ ଏହି ମ୍ୟାଚ୍‌ରେ ଅଭିଷେକଙ୍କ ସହ ଯୁବ ବ୍ୟାଟର୍‌ ବୈଭବ ସୂର୍ଯ୍ୟବଂଶୀ ମଧ୍ୟ ଆକର୍ଷଣୀୟ ବ୍ୟାଟିଂ କରିଥିଲେ। ସେ ମାତ୍ର ୧୯ ବଲ୍‌ରେ ୪୫ ରନ କରିଥିଲେ। ଉଭୟଙ୍କ ଦ୍ରୁତ ବ୍ୟାଟିଂ ଭାରତର ରନ ଚେଜକୁ ସହଜ କରିଥିଲା।

ନ୍ୟୁଜିଲାଣ୍ଡ ଦେଇଥିବା ୧୯୯ ରନ୍‌ର ଟାର୍ଗେଟକୁ ଭାରତ ମାତ୍ର ୧୩.୨ ଓଭରରେ ୪ ଉଇକେଟ ହରାଇ ହାସଲ କରିଥିଲା। ଏହି ବିଜୟ ସହ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ରେ ଭାରତ ୩-୦ରେ ଅଜେୟ ଅଗ୍ରଣୀ ହାସଲ କରିଛି। ଏବେ ଅବଶିଷ୍ଟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ କ୍ଲିନ ସୁଇପ କରିବା ଉପରେ ଟିମ ଇଣ୍ଡିଆର ନଜର ରହିବ।

 

Dharitri – Odisha’s No.1 Odia Daily

 

Share