ଅଭିମାନିନୀ, ମହିରୁହକୁ ୭ ପୁରସ୍କାର

ଯାଜପୁର,୩୧ା୮(ହର୍ଷବର୍ଦ୍ଧନ ବେହେରା)ବିହାରର ନୱାଦା ସହରରେ ଆୟୋଜିତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ୪ର୍ଥ ସଂସ୍କରଣରେ ଯାଜପୁର ଜିଲା ବ୍ୟାସନଗରର ହିତେଶ କୁମାର ମହାପାତ୍ର କୃତିତ୍ୱ ଅର୍ଜନ କରିଛନ୍ତି। ତାଙ୍କ ନିର୍ମିତ ଦୁଇଟି ଚଳଚ୍ଚିତ୍ର ଅଭିମାନିନୀ ଓ ମହିରୁହକୁ ୭ ଟି ପୁରସ୍କାର ମିଳିଛି। ବିଶ୍ୱର ୮୩ ଟି ଦେଶରୁ ଆସିଥିବା ୩୫୦୦ ଚଳଚ୍ଚିତ୍ର ମଧ୍ୟରୁ ହିତେଶଙ୍କ ଚଳଚ୍ଚିତ୍ର ଶ୍ରେଷ୍ଠ କାହାଣୀ, ଶ୍ରେଷ୍ଠ ନିର୍ଦ୍ଦେଶନା, ଶ୍ରେଷ୍ଠ କଳାକାର, ଶ୍ରେଷ୍ଠ ଚିତ୍ର ଉତ୍ତୋଳନ ଓ ଶ୍ରେଷ୍ଠ ପ୍ରେରଣାଦାୟୀ ଚଳଚ୍ଚିତ୍ର ରୂପେ ପୁରସ୍କାର ମିଳିଛି। ଏଥିରେ ହିତେଶ କୁମାର, ଶିବାନନ୍ଦ ବିଶ୍ୱାଳ, ହରିହର ପୁହାନ, ଶିଳ୍ପୀ କେସୁ ଦାସ, ଶ୍ୟାମଳେନ୍ଦୁ ପାତ୍ର, ରାଜେଶ କୁମାର ମୁର୍ମୁ, ସରୋଜ କୁମାର ମହାରଣା, ଅଜିତ କୁମାର କର, ଅଶୋକ କୁମାର ଶା, ବିଶ୍ୱରଞ୍ଜନ ମଲ୍ଲିକ, ଗୁରୁସ୍ବାମୀ ମହନ୍ତ, ସଂସ୍କୃତି ବସୁ ଓ ମମତାମୟୀ ଦାଶଙ୍କୁ ସମ୍ମାନିତ କରାଯାଇଛି। ପ୍ରସିଦ୍ଧ ଓଡ଼ିଆ ସିନେ ତାରକା ଆକାଶ ଦାସନାୟକଙ୍କୁ ମହିରୁହ ଚଳଚ୍ଚିତ୍ରରେ ପୃଷ୍ଠଭୂମି ସ୍ବର ପାଇଁ ହିତେଶ ଅନେକ ଧନ୍ୟବାଦ ଜ୍ଞାପନ କରିଛନ୍ତି । ହିତେଶଙ୍କ ପରିବାର ଏକ କଳାକାର ପରିବାର ହୋଇଥିବାବେଳେ ତାଙ୍କ ଅଜା ସ୍ବର୍ଗତ ପ୍ରଫୁଲ୍ଲ କୁମାର ମହାପାତ୍ର ଯାଜପୁରର ଜଣେ ପ୍ରସିଦ୍ଧ ତବଲା ବାଦକ ଥିଲେ । ମାଉସୀ ମଧୁସ୍ମିତା ଓ ଗୀତିସ୍ମିତା ମହାପାତ୍ର କଣ୍ଠଶିଳ୍ପୀ, ମାମୁ ମନମୋହନ ମହାପାତ୍ର ତବଲା ବାଦକ ରୂପେ ସୁନାମ ଅର୍ଜନ କରିଛନ୍ତି। ତାଙ୍କ ମା’ ନିବେଦିତା ମହାପାତ୍ର ଚାରୁଚିତ୍ରକଳାରେ ଶିକ୍ଷୟିତ୍ରୀ ଅଛନ୍ତି।