ଅଭିଜିତ ଦୀପକେଙ୍କ ବଡ଼ ଘୋଷଣା: ନଭେମ୍ବର ୨୬ରେ…ସରକାରଙ୍କର ବଢିଲା ଚିନ୍ତା

ନୂଆଦିଲ୍ଲୀ, ୨୫।୧୧: କକରୋଚ ଜନତା ପାର୍ଟି ପୁଣିଥରେ ରାଲି କରିବାକୁ ପ୍ରସ୍ତୁତି ଚଳାଇଛି। ସିଜେପିର ପ୍ରତିଷ୍ଠାତା ଅଭିଜିତ ଦୀପକେ ମଙ୍ଗଳବାର (ନଭେମ୍ବର ୨୪) ଦିନ କହିଛନ୍ତି ଯେ, ତାଙ୍କ ଦଳ ମହାରାଷ୍ଟ୍ରର ନାଗପୁରରେ ଏକ ବଡ଼ ରାଲି ଆୟୋଜନ କରିବାକୁ ପ୍ରସ୍ତୁତି ଚଳାଇଛି। ଅଭିଜିତ ଏନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ଭିଡିଓ ଶେୟାର କରିଛନ୍ତି। ଭିଡିଓର ଆରମ୍ଭରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଟାକ୍ଷ କରିବା ସହ ଏହାପରେ ରାଲି ସମ୍ପର୍କରେ ଘୋଷଣା କରିଛନ୍ତି। ଏହି ରାଲିକୁ ସେ ‘ସମ୍ବିଧାନ ବଞ୍ଚାଅ ରାଲି’ ନାମ ଦେଇଛନ୍ତି।

ଅଭିଜିତ ଦୀପକେ ଭିଡିଓ ଆରମ୍ଭରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଟାକ୍ଷ କରିବା ଶୈଳୀରେ ପ୍ରଶଂସା କରିଥିଲେ। ପରେ ସେ କହିଥିଲେ ଯେ, ଏସବୁ କଥା କେବଳ ମେଟା (ଫେସବୁକ) ପାଇଁ ଥିଲା। ଏହା ସହିତ ସେ ପ୍ରଧାନମନ୍ତ୍ରୀଙ୍କ ସମେତ ମେଟାକୁ ମଧ୍ୟ ଟାର୍ଗେଟ କରିଥିଲେ।

ଏହାପରେ ଅଭିଜିତ କହିଥିଲେ, ନଭେମ୍ବର ୨୬ ତାରିଖ ସମ୍ବିଧାନ ଦିବସ ଅବସରରେ ନାଗପୁରରେ କକରୋଚ ଜନତା ପାର୍ଟିର ଏକ ବିଶାଳ ରାଲି ଆୟୋଜିତ ହେବାକୁ ଯାଉଛି। ଗଣତନ୍ତ୍ର ବଞ୍ଚାଅ, ସମ୍ବିଧାନ ବଞ୍ଚାଅ। ଆପଣ ସମସ୍ତେ ସେଠାକୁ ଆସନ୍ତୁ ଏବଂ ଦେଶ ପାଇଁ ଏକାଠି ହୋଇ ସ୍ବର ଉଠାନ୍ତୁ। ଅଭିଜିତ ଭିଡିଓର କ୍ୟାପଶନରେ ଲେଖିଛନ୍ତି, ଯଦି ଆପଣ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭଲ ପାଆନ୍ତି, ତେବେ ଏହି ଭିଡିଓକୁ ସ୍କିପ କରିପାରିବେ ନାହିଁ।

କକରୋଚ ଜନତା ପାର୍ଟି ପୁଣିଥରେ ରାଲି ଆୟୋଜନ ପାଇଁ ପ୍ରସ୍ତୁତି ଚଳାଇଛି। ଏଥର ଦିଲ୍ଲୀ ପରିବର୍ତ୍ତେ ନାଗପୁରକୁ ରାଲିର ସ୍ଥାନ ଭାବେ ବାଛିଛି ଦଳ। ଏଥିପାଇଁ ଦଳ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି। ଅଭିଜିତଙ୍କ ସହ ସୌରଭ ଦାସ ମଧ୍ୟ ଏହି ରାଲିରେ ସାମିଲ ହୋଇପାରନ୍ତି।

Dharitri – Odisha’s No.1 Odia Daily

Share