ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ ବ୍ୟବସ୍ଥାରେ ପରିବର୍ତ୍ତନ ଦାବି କରୁଛନ୍ତି। ଏହି ସମୟରେ CJP ପ୍ରତିଷ୍ଠାତା ଅଭିଜୀତ ଦୀପକେ ଆରକ୍ଷଣକୁ ନେଇ ନିଜ ମତ ରଖିଛନ୍ତି।
ଦୀପକେ କହିଛନ୍ତି ଯେ, ସେ ବିଭାଜନର ରାଜନୀତି କରିବାକୁ ଚାହାନ୍ତି ନାହିଁ, କାରଣ ସେ ଜଣେ ଦଳିତ ପରିବାରରୁ ଆସିଛନ୍ତି। ସେ ଦେଇଥିବା ଏକ ସାକ୍ଷାତକାରରେ ନିଜ ପରିବାରର ଅଭିଜ୍ଞତା ବଖାଣି ଆରକ୍ଷଣର ପ୍ରଭାବ ବିଷୟରେ କହିଥିଲେ।
ଅଭିଜିତ ଦୀପକେ କହିଥିଲେ, ମୋ ବାପାଙ୍କୁ ଆରକ୍ଷଣର ଲାଭ ମିଳିଥିଲା, ଯେଉଁଥିପାଇଁ ତାଙ୍କୁ ଏକ ଭଲ ଚାକିରି ମିଳିଥିଲା। ଏହି କାରଣରୁ ମୁଁ ପ୍ରାଇଭେଟ ସ୍କୁଲରେ ପଢ଼ିପାରିଲି ଏବଂ ମୋତେ ଭଲ ସୁଯୋଗ ମିଳିଲା। ମୋ ବାପା ଇଞ୍ଜିନିୟର ହୋଇପାରିଥିଲେ, ସେଥିପାଇଁ ମୁଁ ବୋଷ୍ଟନ ପର୍ଯ୍ୟନ୍ତ ଯାଇପାରିଲି। ସେ ଆହୁରି କହିଥିଲେ ଯେ, ଶିକ୍ଷା ପାଇଁ ସେ ନେଇଥିବା ଋଣ ଏବେ ମଧ୍ୟ ପରିଶୋଧ ହୋଇନାହିଁ। ଦୀପକେ କହିଥିଲେ ଯେ, ତାଙ୍କ ବାପା ଶିକ୍ଷିତ ହୋଇଥିଲେ ମଧ୍ୟ ପରିବାରର ଅନେକ ସମ୍ପର୍କୀୟ ସେତେଟା ଶିକ୍ଷିତ ନୁହନ୍ତି। ତାଙ୍କ ଚାଚା ଏବେ ମଧ୍ୟ ଏକ ଦୋକାନ ଚଳାଉଛନ୍ତି । ସାକ୍ଷାତକାର ସମୟରେ ଅଭିଜୀତ ଦୀପକେ ଆମ ଆଦମୀ ପାର୍ଟି (AAP) ଛାଡ଼ିବାର କାରଣ ମଧ୍ୟ କହିଥିଲେ। ତାଙ୍କ କହିବା ଅନୁସାରେ, ସେଠାରେ ପାରିଶ୍ରମିକ ଅଧିକ ମିଳୁନଥିବାରୁ ସେ AAP ସହ କାମ କରିବା ଛାଡ଼ିଥିଲେ।
ଏପଟେ ଦିଲ୍ଲୀର ଯନ୍ତର-ମନ୍ତରରେ ଆରକ୍ଷଣ ବ୍ୟବସ୍ଥାରେ ପରିବର୍ତ୍ତନ ଏବଂ UGCର ନିୟମକୁ ବିରୋଧ କରି ବହୁ ସଂଖ୍ୟାରେ ଲୋକ ଏକାଠି ହୋଇଛନ୍ତି। ପ୍ରଦର୍ଶନକାରୀଙ୍କ ଅଭିଯୋଗ ହେଉଛି, ସେମାନଙ୍କୁ ଟେଣ୍ଟ ଲଗାଇବା ଏବଂ ମଞ୍ଚ ତିଆରି କରିବାକୁ ଅନୁମତି ଦିଆଯାଉନାହିଁ।
ପ୍ରଦର୍ଶନକାରୀମାନେ ଦାବି କରୁଛନ୍ତି ଯେ ଆରକ୍ଷଣ ବ୍ୟବସ୍ଥାରେ ସଂସ୍କାର ଅଣାଯାଉ ଏବଂ ଏହାର ରାଜନୀତିକରଣ ବନ୍ଦ ହେଉ। ଯେଉଁମାନେ ପ୍ରକୃତରେ ଆବଶ୍ୟକତାରେ ଅଛନ୍ତି, ସେମାନଙ୍କୁ ସହାୟତା ମିଳିବା ଉଚିତ୍ ବୋଲି ସେମାନେ କହିଛନ୍ତି।