କଟକରୁ ଅପହରଣ, ନୟାଗଡ଼ରେ ହତ୍ୟା

ନୂଆଗାଁ,୧୨।୧୨ (ଡି.ଏନ.ଏ.): କଟକ ସହର ଲାଲବାଗ ଥାନା ଅଧୀନ ମହାନ୍ତିପଡ଼ା ଅଞ୍ଚଳର ଶୈଳେନ୍ଦ୍ରନାଥ ଜେନା ନାମକ ଜଣେ ଯୁବକଙ୍କୁ ଅପହରଣ କରି ନେଇ ନୟାଗଡ଼ ଜିଲା ନୂଆଗାଁ ଥାନା ଅନ୍ତର୍ଗତ ମହୀପୁର ଅଞ୍ଚଳରେ ହତ୍ୟା କରାଯାଇଥିବା ଗୁରୁବାର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପରେ ନୂଆଗାଁ ଥାନା ପୋଲିସ ଓ ନୟାଗଡ଼ ଜିଲା ପୋଲିସ ୨ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି। ଶୈଳେନ୍ଦ୍ରଙ୍କ ସ୍ତ୍ରୀ ସଂଘମିତ୍ରାଙ୍କ ଅଭିଯୋଗ ଅନୁଯାୟୀ, ଶୈଳେନ୍ଦ୍ର ଗତ ୩ ତାରିଖ ଦିନ କୌଣସି କାମରେ ସାଙ୍ଗ ଜୟ ପ୍ରକାଶ ସାହୁଙ୍କ ସହ ନୟାଗଡ଼ ଆସିଥିଲେ। ସେ ସନ୍ଧ୍ୟା ସୁଦ୍ଧା ଘରକୁ ଫେରି ଆସିବେ ବୋଲି କହିଥିଲେ। ହେଲେ ଆଉ ଫେରି ନ ଥିଲେ। ତାଙ୍କ ଫୋନ ସୁଇଚ୍‌ ଅଫ୍‌ ଥିଲା। ଏ ସଂକ୍ରାନ୍ତରେ ସନ୍ଦେହ ହେବାରୁ ୪ ତାରିଖରେ ଲାଲବାଗ ଥାନାରେ ସ୍ବାମୀ ନିଖୋଜ ଥିବା ନେଇ ସଂଘମିତ୍ରା ଅଭିଯୋଗ କରିଥିଲେ। ଏହାପରେ ଲାଲବାଗ ଥାନା ପୋଲିସ ଶୈଳେନ୍ଦ୍ରଙ୍କ ମୋବାଇଲ ନମ୍ବରକୁ ଯାଞ୍ଚ କରିବା ପରେ ତାହା ନୟାଗଡ଼ ଜିଲା ମହୀପୁର ଅଞ୍ଚଳରେ ଥିବା ଓ ମୋବାଇଲ ସୁଇଚ୍‌ ଅଫ୍‌ ରହିଥିବା ଜଣାପଡିଥିଲା। ନେଇ ତାଙ୍କୁ ସାଙ୍ଗରେ ନେଇଥିବା ଜୟ ପ୍ରକାଶଙ୍କୁ ପୋଲିସ ପଚରା ଉଚରା କରିବାରେ ସେମାନେ ମହୀପୁର ପଥରପାଟଣା ଗ୍ରାମର ଦୀପୁ ସାହୁଙ୍କ ଘରକୁ ଆସିଥିଲେ ବୋଲି ସୂଚନା ମିଳିଥିଲା। ତେଣୁ ଲାଲବାଗ ଥାନା ପୋଲିସ ଏ ବାବଦରେ ନୂଆଗାଁ ଥାନା ପୋଲିସକୁ ଜଣାଇବା ସହ ଶୈଳେନ୍ଦ୍ରଙ୍କ ସ୍ତ୍ରୀ ସଂଘମିତ୍ରା ଗୁରୁବାର ନୂଆଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ନୂଆଗାଁ ଥାନା ପୋଲିସ ଦୀପୁ ସାହୁଙ୍କ ସ୍ତ୍ରୀ ସୁନୀତା ସାହୁ ଓ ପଡ଼ିଶା ଦୋକାନୀ ସୁରି ସାହୁଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ପ୍ରାଥମିକ ତଦନ୍ତ ଅନୁଯାୟୀ ଶୈଳେନ୍ଦ୍ରଙ୍କୁ ପ୍ରେମ ବ୍ୟାପରକୁ କେନ୍ଦ୍ର କରି ହତ୍ୟା କରାଯାଇଛି। ଅଭିଯୁକ୍ତ ଏହି ଘଟଣାକୁ ଲୁଚାଇ ଦେବାକୁ ଚେଷ୍ଟା କରିଥିବା ପୋଲିସ ସନ୍ଦେହ କରୁଛି। ତେଣୁ ଅଟକ ସୁରି କହୁଥିବା ସ୍ଥାନକୁ ଯାଇ ପୋଲିସ ତଦନ୍ତ ଚଳାଇଛି। ଉକ୍ତ ତଦନ୍ତରେ ନୟାଗଡ଼ ଡିଏସ୍‌ପି ତପସ୍ବିନୀ କହଁର, ନୟାଗଡ଼ ସଦର ଥାନା ଅଧିକାରୀ ଦୀପକ କୁମାର ଖଣ୍ଡାୟତ, ନୂଆଗାଁ ଥାନାଧିକାରୀ ପୁଷ୍ପଲତା ବେହେରା ସାମିଲ ହୋଇଛନ୍ତି। ତଦନ୍ତ ଚାଲିଥିବାରୁ ଏ ସଂକ୍ରାନ୍ତରେ କୌଣସି ସୂଚନା ଦେବାକୁ ନୂଆଗାଁ ଥାନାଧିକାରୀ ବେହେରା ମନା କରିଛନ୍ତି।