ସାତ ସପନ ହୋଇଛି ଆବାସ ଯୋଜନା

ଜେନାପୁର,୧୦ା୭(ଅଶୋକ ଦାସ) : ରାଜ୍ୟ ସରକାର ଗରିବ ଖଟିଖିଆମାନଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। କିନ୍ତୁ କେତେଜଣ ବିଭାଗୀୟ ଅଧିକାରୀଙ୍କ ଅବହେଳା ଓ ଆନ୍ତରିକତାର ଅଭାବରୁ ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ହିତାଧିକାରୀମାନେ ପାଇପାରୁନାହାଁନ୍ତି। ଏଭଳି ଏକ ଅଭିଯୋଗ ଯାଜପୁର ଜିଲା ଧର୍ମଶାଳା ବ୍ଲକ୍‌ ଅଞ୍ଚଳରୁ ଆସିଛି। ଏହି ବ୍ଲକ୍‌ ଅନ୍ତର୍ଗତ ବୃନ୍ଦାଦେଇପୁର ପଞ୍ଚାୟତ ଅଧୀନ ଗୋବିନ୍ଦପୁର ଗ୍ରାମରେ ସେକ୍‌ ହାରମାନିଙ୍କ ପରିବାର ରୁହନ୍ତି। ହାରମାନିଙ୍କ ବୟସ ୫୦ ସେପାଖେ। ପରିବାର ପ୍ରତିପୋଷଣ ପାଇଁ ପ୍ରତିଦିନ ମୁଲଲାଗି ଯାହା ରୋଜଗାର କରନ୍ତି ସେଥିରେ ତାଙ୍କ ତେଲଲୁଣର ସଂସାର ଚାଲେ। ୫ ପ୍ରାଣୀ କୁଟୁମ୍ବକୁ ଚଳାଇବା ଏବେ ତାଙ୍କ ପକ୍ଷେ ଆଉ ସହଜ ହେଉନାହିଁ। ସେଥିଲାଗି ଘର ଖଣ୍ଡେ କରିବା ତାଙ୍କ ପାଇଁ ସାତ ସପନ ହୋଇଛି। ବହୁଦିନ ହେବ ସେ ଭଙ୍ଗା ଚାଳ ଛପର ଘରେ ଦିନ କାଟୁଛନ୍ତି। ଆବାସ ଯୋଜନାରେ ଘର ପାଇଁ ହାରମାନି ଆବେଦନ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାଙ୍କୁ ସେହି ସୁଯୋଗ ମିଳିପାରିନାହିଁ । ଯୋଗ୍ୟ ହିତାଧିକାରୀ ଭାବେ କ୍ରମିକ ନମ୍ବର ୧୨ରେ ଇନ୍ଦିରାଆବାସ ପାଇବା ପାଇଁ ତାଙ୍କ ନାମ ପ୍ରକାଶ ହୋଇଥିଲା। କିନ୍ତୁ କ’ଣ ହେଲା କେଜାଣି ଆଜି ପର୍ଯ୍ୟନ୍ତ ତାଙ୍କୁ ଘର ମିଳିନାହିଁ ବୋଲି ସେ ଛଳଛଳ ଆଖିରେ କହିଛନ୍ତି। ତଥାପି ସେ କାହା ବିରୋଧରେ ଅଭିଯୋଗ କରିନାହାନ୍ତି। କେବଳ ଭାଗ୍ୟକୁ ନିନ୍ଦି ସେ ଦିନ କାଟୁଛନ୍ତି। ଏଥିପ୍ରତି ବ୍ଳକ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।