Categories: ଜାତୀୟ

୭୦ ବର୍ଷୀୟା ମା’ଙ୍କୁ ପର କରିଦେଲେ ପୁଅ, ଘରେ ଆଣି ରଖିଲେ ଏମ୍‌ପି

ଦିଲ୍ଲୀ,୨୬।୭: ଲକ୍‌ଡାଉନ ସମୟରେ ବେସାହାରା ହୋଇଯାଇଥିବା ୭୦ ବର୍ଷିୟା ଲୀଲାବତୀ ଦେବୀଙ୍କୁ ଶେଷରେ ସାହାରା ମିଳିଛି। ପୁଅର ଯତ୍ନ ନେବାକୁ ମୁମ୍ବାଇ ଯାଇଥିବା ଲୀଲାବତୀଙ୍କୁ ପୁଅ ଘରୁ ବାହାର କରି ଦେଇଥିଲେ। ଏବେ ଆମ ଆଦମୀ ପାର୍ଟି (ଏଏପି) ରାଜ୍ୟସଭା ସଦସ୍ୟ ସଞ୍ଜୟ ସିଂ ଲୀଳାବତୀଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ସେ ତାଙ୍କୁ ଏବେ ନିଜ ଘରେ ରଖିବେ ବୋଲି କହିଛନ୍ତି। ଲୀଲାବତୀ ଦେବୀ ଅସୁସ୍ଥ ପୁଅର ଯତ୍ନ ନେବାକୁ ମୁମ୍ବାଇ ଯାଇଥିଲେ। ତାଙ୍କ ପୁଅ ଜଣେ ଅଟୋ ଡ୍ରାଇଭର। ସେ ତାଙ୍କ ସ୍ତ୍ରୀ ଏବଂ ପିଲାମାନଙ୍କ ସହିତ ରୁହନ୍ତି। ଧୀରେ ଧୀରେ ପୁଅର ସ୍ବାସ୍ଥ୍ୟ ଭଲ ହୋଇଗଲା। ତେଣୁ ମା’ର ଆବଶ୍ୟକତା ମଧ୍ୟ ଶେଷ ହେଲା। ସେ ତାଙ୍କୁ ଘରୁ ବାହାର କରିଦେଲେ। ମୋ ସମସ୍ୟା କେବଳ ମୋ ସ୍ବାମୀଙ୍କ ମୃତ୍ୟୁ ପରେ ଆରମ୍ଭ ହୋଇଥିଲା। ମୋର ପିଲାମାନେ ଭାବନ୍ତି ଯେ, ମୁଁ ଜଣେ ମାନସିକ ରୋଗୀ, ମୋତେ ସେମାନଙ୍କ ସହିତ ରଖିବାକୁ କେହି ଚାହାଁନ୍ତି ନାହିଁ ବୋଲି ଲୀଳାବତୀ କହିଛନ୍ତି।
ପୁଅ ଘରୁ ବାହାର କରିଦେବା ପରେ ସେ ବେସାହାରା ହୋଇଗଲେ। ମୁମ୍ବାଇରୁ ଏକ ସ୍ବତନ୍ତ୍ର ଟ୍ରେନରେ ଦିଲ୍ଲୀ ଆସିଥିଲେ। ଏଠାରେ ତାଙ୍କ ଅନ୍ୟ ଦୁଇ ପୁଅ ରୁହନ୍ତି। ଦିଲ୍ଲୀରେ ତାଙ୍କ ରହୁଥିବା ପୁଅମାନେ ମା’ଙ୍କ ଆସିବାର ଖବର ପାଇ ନ ଥିଲେ। ଲୀଳାବତୀ ଦେବୀ କରୋନା ସଂକ୍ରମିତ ହୋଇଥିବା ପରୀକ୍ଷାରୁ ଜଣାପଡିଥିଲା। ସେ ରାଜୀବ ଗାନ୍ଧୀ ସୁପର ସ୍ପେସିଆଲିଟି ହସ୍ପିଟାଲରେ ଦୁଇ ସପ୍ତାହ ଧରି ଚିକିତ୍ସିତ ହୋଇଥିଲେ। ପ୍ରଥମେ ଦିଲ୍ଲୀର ଏକ ପରିବାର ଲୀଲାବତୀ ଦେବୀଙ୍କୁ ତାଙ୍କ ଘରେ ରଖିଥିଲେ। କିନ୍ତୁ ପରେ ଅଜଣା କାରଣରୁ ତାଙ୍କୁ ବିଦା କରିଦେଇଥିଲେ। ଏବେ ସେ ସଞ୍ଜୟ ସିଂଙ୍କ ଘରେ ରହିବେ ବୋଲି ଜଣାପଡିଛି। ସଞ୍ଜୟ ସିଂ ତାଙ୍କ ସ୍ତ୍ରୀ, ଦୁଇ ପିଲା ଏବଂ ପିତାମାତାଙ୍କ ସହ ଉତ୍ତର ଆଭେନ୍ୟୁରେ ଥିବା ତାଙ୍କ ସରକାରୀ ବାସଭବନରେ ରୁହନ୍ତି। ସଞ୍ଜୟ ସିଂଙ୍କର ଜଣେ ଘନିଷ୍ଠ ସହଯୋଗୀ ଅଜିତ ତ୍ୟାଗି କହିଛନ୍ତି ଯେ, ଲୀଳାବତୀ ଅଧିକାଂଶ ସମୟ ଲୋକଙ୍କ ସହିତ କଥାବାର୍ତ୍ତା କରନ୍ତି। ବର୍ତ୍ତମାନ ସେ ଏହି ପରିବାରର ଅଂଶ ହୋଇଥିବାରୁ ତାଙ୍କୁ ଘରୁ ବାହାର କରି ଦେଇଥିବା ପରିବାରକୁ ଦିଆଯାଇପାରିବ ନାହିଁ।

Share