କାର୍ଯ୍ୟକ୍ଷମ ପୂର୍ବରୁ ପରିତ୍ୟକ୍ତ

ମାଧପୁର,୨୫।୫ ଲୋକେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ନିମନ୍ତେ ସରକାରୀ ଅର୍ଥ ଖର୍ଚ୍ଚ ହେଲା। ନିର୍ମାଣ ହେଲା ଗୋଷ୍ଠୀ ଶୌଚାଳୟ। ହେଲେ ବର୍ଷେ ତଳୁ ନିର୍ମାଣ ସରିଥିଲେ ମଧ୍ୟ ତାହା ଏଯାଏ କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଏପରି କି ଶୌଚାଳୟକୁ ଜଳ ସଂଯୋଗ ଦିଆଯାଇ ନାହିଁ। ଫଳରେ ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ କିଆକଟା ପଞ୍ଚାୟତର କିଆକଟା-ବୌଦ୍ଧ ମହାନଦୀ ସେତୁ ନିକଟ ତ୍ରିବେଣୀ ଛକ ପାର୍ଶ୍ୱରେ ଅତ୍ୟନ୍ତ ପରିତ୍ୟକ୍ତ ଅବସ୍ଥାରେ ରହିଛି ଏହି ଗୋଷ୍ଠୀ ଶୌଚାଳୟ। ପ୍ରକାଶ ଯେ, ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକରେ ଥିବା ଏହି ତ୍ରିବେଣୀ ଛକ ଦେଇ ଅନୁଗୋଳ, ବୌଦ୍ଧ, ସୋନପୁର, ସମ୍ବଲପୁର ଏବଂ ବଲାଙ୍ଗୀର ଜିଲାର ସହସ୍ରାଧିକ ଯାତ୍ରୀ ଦୈନିକ ଯାତାୟାତ କରିଥାନ୍ତି। ଏସବୁ ଜିଲାକୁ ଚାଲୁଥିବା ବହୁ ସଂଖ୍ୟକ ବସ୍‌ ଏଠାରେ ରହଣି କରୁଥିବାରୁ ତ୍ରିବେଣୀ ଛକରେ ଅନେକ ଦୋକାନ ଗଢ଼ି ଉଠିଛି। ଏପରି କି ଏହାକୁ ଏକ ବ୍ୟବସାୟିକ କେନ୍ଦ୍ରସ୍ଥଳ ମଧ୍ୟ କୁହାଯାଉଛି। ପ୍ରତ୍ୟେକ ଦିନ ଶତାଧିକ ଯାତ୍ରୀ ଏଠାରେ ବସ୍‌କୁ ଅପେକ୍ଷା କରୁଥିବାରୁ ଏକ ଶୌଚାଳୟର ଆବଶ୍ୟକତା ରହିଥିଲା। ଏ ନେଇ ଦୀର୍ଘଦିନ ହେଲା ଦାବି ହେଉଥିଲା। ପରେ ସରକାରଙ୍କ ତରଫରୁ ଏକ ଗୋଷ୍ଠୀ ଶୌଚାଳୟ ନିର୍ମାଣ କରାଗଲା। କିନ୍ତୁ ନିର୍ମାଣ ହେବାର ଏକ ବର୍ଷ ବିତି ଯାଇଥିଲେ ମଧ୍ୟ ଏଯାଏ ତାହା କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଫଳରେ ବସ୍‌କୁ ଅପେକ୍ଷାରତ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ମହିଳା ଯାତ୍ରୀମାନେ ଅଧିକ ସମସ୍ୟାରେ ପଡ଼ୁଛନ୍ତି। ଦୋକାନ ଦେଇଥିବା ବ୍ୟବସାୟୀମାନେ ମଧ୍ୟ ସ୍ନାନ ଓ ଶୌଚ ଆଦି ପାଇଁ ଅନ୍ୟତ୍ର ଯାଉଛନ୍ତି। ଏହି ଗୋଷ୍ଠୀ ଶୌଚାଳୟ କିପରି ଶୀଘ୍ର କାର୍ଯ୍ୟକ୍ଷମ ହୋଇପାରିବ ସେ ଦିଗରେ ଆବଶ୍ୟକ ଦୃଷ୍ଟି ଦିଆଯାଉ ନ ଥିବାରୁ ଏହାର ଚତୁଃପାର୍ଶ୍ୱ ଅନାବନା ଗଛଲତାରେ ପରିପୂର୍ଣ୍ଣ ହୋଇଯାଇଛି। ଏ ସମ୍ପର୍କରେ କିଆକଟା ପଞ୍ଚାୟତର ନିର୍ବାହୀ ଯନ୍ତ୍ରୀ ସୁବାସ ରଥ କହିଛନ୍ତି, କାର୍ଯ୍ୟ ସମ୍ପୂର୍ଣ୍ଣ ପରେ ଏହା ପଞ୍ଚାୟତକୁ ହସ୍ତାନ୍ତର କରାଯାଇଛି। ତେଣୁ ଶୌଚାଳୟ ବିଷୟରେ ପଞ୍ଚାୟତ ଚିନ୍ତା କରିବ।

Share