କାର୍ତ୍ତିକରେ ମିଳିବ ଅବଢ଼ା

ପୁରୀ ଅଫିସ,୨୧ା୧୦: ଆସନ୍ତା ନଭେମ୍ବର ପହିଲାରୁ ଧର୍ମମାସ କାର୍ତ୍ତିକ ଆରମ୍ଭ ହେଉଛି। ଏହି ପବିତ୍ର ମାସରେ ପୁରୀରେ ହଜାର ହଜାର ସଂଖ୍ୟାରେ ହବିଷିଆଳି ରହି କାର୍ତ୍ତିକ ବ୍ରତ ପାଳିଥାନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ଗତ କିଛିବର୍ଷ ହେବ ପ୍ରାୟ ୩ ହଜାର ହବିଷିଆଳିଙ୍କୁ ମାଗଣାରେ ରହିବା, ଖାଇବା ଏବଂ ବ୍ରତ କରିବା ଲାଗି ସବୁ ପ୍ରକାର ସୁବିଧା ଯୋଗାଇ ଦିଆଯାଉଛି। କାର୍ତ୍ତିକ ମାସରେ ପ୍ରାୟ ସବୁ ହବିଷିଆଳି ମହାପ୍ରସାଦ ସେବନ କରିଥାନ୍ତି। କିନ୍ତୁ ଚଳିତବର୍ଷ ଚିତ୍ର ଭିନ୍ନ ରହିଛି। ମହାମାରୀ କରୋନା ପାଇଁ ସରକାର ଏଥର ହବିଷିଆଳି ଯୋଜନାରେ କାହାକୁ ରଖୁନାହାନ୍ତି। କିନ୍ତୁ ବହୁ ସଂଖ୍ୟକ ହବିଷିଆଳି ବ୍ୟକ୍ତିଗତ ଭାବେ ଆସି ଶ୍ରୀକ୍ଷେତ୍ରରେ ରହି ହବିଷ କରିବେ। ମାତ୍ର କାର୍ତ୍ତିକ ମାସରେ ଶ୍ରୀମନ୍ଦିର ଭିତରକୁ ଭକ୍ତଙ୍କୁ ଛଡ଼ାଯିବା ସମ୍ଭାବନା ପ୍ରାୟତଃ ନାହିଁ। ତେଣୁ ଶ୍ରଦ୍ଧାଳୁ ଏବଂ ହବିଷିଆଳିମାନେ କିପରି ଶୃଙ୍ଖଳିତ ଭାବେ ମହାପ୍ରସାଦ ପାଇପାରିବେ ସେଥିଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ସୁଆର ମହାସୁଆର ନିଯୋଗ ପକ୍ଷରୁ ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହିତ ଆଲୋଚନା ହୋଇଛି। କାର୍ତ୍ତିକ ମାସରେ ମହାପ୍ରସାଦ ଯୋଗାଇଦେବା ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ମଙ୍ଗଳବାର ସୁଆର ମହାସୁଆର ନିଯୋଗ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ କହିଛନ୍ତି।
ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ସମ୍ପାଦକ ପ୍ରତିହାରୀ କହିଛନ୍ତି, ସାଧାରଣତଃ କାର୍ତ୍ତିକ ମାସରେ ପୁରୀ ସହରର ପ୍ରାୟ ପ୍ରତି ଘରେ ମହାପ୍ରସାଦ ସେବନ କରାଯାଇଥାଏ। ବାହାରୁ ଆସୁଥିବା ହବିଷିଆଳି ଓ ଭକ୍ତ ଅବଢ଼ା ପାଇବା ସହିତ ଘରକୁ ନେଇଥାନ୍ତି। ଯେହେତୁ ଏ ବର୍ଷ କରୋନା କଟକଣା ପାଇଁ ଶ୍ରଦ୍ଧାଳୁଙ୍କୁ ମନ୍ଦିରକୁ ଛଡ଼ାଯିବ ନାହିଁ ତେଣୁ ମହାପ୍ରସାଦ କିପରି ପାଇପାରିବେ ସେଥିଲାଗି ବ୍ୟବସ୍ଥା କରିବା ଲାଗି ନିଯୋଗ ପକ୍ଷରୁ ମୁଖ୍ୟ ପ୍ରଶାସକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ରଥଯାତ୍ରା ବେଳେ ଯେପରି ଗୁଣ୍ଡିଚା ମନ୍ଦିର ନିକଟରେ ଶେଡ୍‌ କରାଯାଇଥିଲା ସେହିଭଳି ଶ୍ରୀମନ୍ଦିର ଉତ୍ତର ଓ ଦକ୍ଷିଣ ଦ୍ୱାରରେ ବ୍ୟବସ୍ଥା କରିବା ଲାଗି ପ୍ରସ୍ତାବ ଦିଆଯାଇଥିଲା। ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର ଏଥିରେ ସହମତି ପ୍ରକାଶ କରିଛନ୍ତି। ୪/୫ ଦିନ ମଧ୍ୟରେ ଟେଣ୍ଟ କରାଯିବ। ଭକ୍ତମାନେ କୋଭିଡ୍‌ ଗାଇଡ୍‌ଲାଇନ ମାନି କାଉଣ୍ଟରରୁ ଟିକେଟ୍‌ କରି ମହାପ୍ରସାଦ ପାଇପାରିବେ ବୋଲି ପ୍ରତିହାରୀ କହିଛନ୍ତି। ଅନ୍ୟପକ୍ଷରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନାଙ୍କୁ ପଚାରିବାରେ କହିଛନ୍ତି, ମୁଖ୍ୟ ପ୍ରଶାସକଙ୍କ ସହିତ ସୁଆର ମହାସୁଆର ନିଯୋଗ ଆଲୋଚନା କରିବା ପରେ ହୁଏତ ଏଭଳି କିଛି ନିଷ୍ପତ୍ତି ନିଆଯାଇଥିବ। କିନ୍ତୁ ଏ ସମ୍ପର୍କରେ ସେ ଅବଗତ ନ ଥିବା ଜେନା ପ୍ରକାଶ କରିଛନ୍ତି।