Categories: ଖେଳ

ପ୍ରତ୍ୟାବର୍ତ୍ତନକୁ ନେଇ ବଡ଼ ବୟାନ ଦେଲେ ଡି ଭିଲିୟର୍ସ

ଜୋହାନ୍ସବର୍ଗ,୨୪।୫: ଦକ୍ଷିଣ ଆଫ୍ରିକାର ପୂର୍ବତନ ବ୍ୟାଟ୍ସମ୍ୟାନ ଏବି ଡି ଭିଲିୟର୍ସ ଆଇପିଏଲ୍‌ରେ ପ୍ରତ୍ୟାବର୍ତ୍ତନ କରିବାକୁ ଚାହୁଁଛନ୍ତି। ଆସନ୍ତା ବର୍ଷ ଅର୍ଥାତ ଟୁର୍ନାମେଣ୍ଟର ୧୬ ତମ ସିଜନରେ ସେ ନିଶ୍ଚିତ ଭାବରେ ସାମିଲ ହେବେ। ଆଇପିଏଲ ୨୦୨୩ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ପକ୍ଷରୁ କିଛି ନା କିଛି ରୂପରେ ପ୍ରତ୍ୟାବର୍ତ୍ତନ କରିବେ ବୋଲି ନିଜେ ଡି ଭିଲିୟର୍ସ ସ୍ପଷ୍ଟ କରିଛନ୍ତି।

କିଛି ଦିନ ତଳେ ଆରସିବିର ପୂର୍ବତନ ଅଧିନାୟକ ବିରାଟ କୋହଲି ତାଙ୍କ ପ୍ରତ୍ୟାବର୍ତ୍ତନ ନେଇ ସମ୍ୟକ ସୂଚନା ଦେଇଥିଲେ। ଏହାକୁ ନେଇ ସେ ଭିୟୁ ସ୍ପୋଟର୍‌ସକୁ କହିଛନ୍ତି, ବିରାଟ ଏହାକୁ ନିଶ୍ଚିତ କରିଥିବା ଜାଣି ଖୁସି ଲାଗୁଛି। ସତ କହିବାକୁ ଗଲେ ଏପର୍ଯ୍ୟନ୍ତ କିଛି ନିଷ୍ପତ୍ତି ନିଆଯାଇ ନାହିଁ। ହେଲେ ମୁଁ ନିଶ୍ଚିତ ଭାବରେ ଆସନ୍ତା ବର୍ଷ ଆଇପିଏଲ୍‌କୁ ଫେରିବି। ହେଲେ ଖେଳାଳି କି ଅନ୍ୟ କେଉଁ ଭୂମିକାରେ ତାହା ଜାଣେନା ବୋଲି ସେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ବାଙ୍ଗାଲୋରରେ କିଛି ମ୍ୟାଚ ହୋଇପାରେ ବୋଲି ଶୁଣିଛି। ମୁଁ ମୋର ଦ୍ୱିତୀୟ ଘରକୁ ଫେରି ପୁଣି ଦର୍ଶକରେ ଭରପୂର ଚିନ୍ନାସ୍ବାମୀ ଷ୍ଟାଡିୟମକୁ ଦେଖିବାକୁ ଚାହେଁ। ମୁଁ ଫେରିବାକୁ ଅପେକ୍ଷା କରିଛି।

କହିରଖୁଛୁ, ୩୮ ବର୍ଷିୟ ଡି ଭିଲିୟର୍ସ ଦୀର୍ଘ ସମୟ ଧରି ଆର୍‌ସିବି ସହିତ ଜଡିତ ଥିଲେ। ସେ ହାରାହାରି ୩୯.୭୧ରେ ଦଳ ପାଇଁ ୫୧୬୨ ରନ ସ୍କୋର କରିଛନ୍ତି। ଏଥିରେ ୪ ଶତକ ଏବଂ ୪୦ ଅର୍ଦ୍ଧଶତକରହିଛି। ତେବେ ତାଙ୍କୁ ଆଇପିଏଲର ସବୁଠାରୁ ସଫଳ ବ୍ୟାଟ୍ସମ୍ୟାନ୍‌ ଭାବେ ବିବେଚନା କରାଯାଏ।

Share