Categories: ଖେଳ

ମାତ୍ର ୩୧ ବଲ୍‌ରେ ଶତକ ମାରି ରେକର୍ଡ କରିଥିଲେ ଏହି ମହାନ ବ୍ୟାଟ୍ସମ୍ୟାନ୍‌, ଶୂନରେ ଆଉଟ୍‌ କରିବା…

ନୂଆଦିଲ୍ଲୀ,୧୭।୨: ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଏବି ଡି ଭିଲିୟର୍ସ ବୁଧବାର ନିଜର ୩୭ତମ ଜନ୍ମଦିନ ପାଳନ କରୁଛନ୍ତି। ୧୯୮୪ ଫେବୃୟାରୀ ୧୭ରେ ଦକ୍ଷିଣ ଆଫ୍ରିକାର ବେଲା-ବେଲାଠାରେ ଜନ୍ମ ନେଇଥିଲେ ଏହି କ୍ରିକେଟ। ୨୦୧୮ରେ ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଳେ। ହେଲେ ଚଳିତ ବର୍ଷ ଟି୨୦ ବିଶ୍ୱକପ୍‌ରେ ସେ ଭାଗ ନେଇପାରନ୍ତି ବୋଲି କଳ୍ପନାଜଳ୍ପନା ଲାଗି ରହିଛି।

ଦଳପାଇଁ ୧୧୪ଟି ଟେଷ୍ଟ, ୨୨୮ ଦିନିକିଆ ଏବଂ ୭୮ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି ଡି ଭିଲିୟର୍ସ। ଏଥିରେ ସେ ହାରାହାରି ୫୦.୬୬ରେ ୮୭୬୫ରେ ରନ୍‌ କରିଛନ୍ତି। ଟେଷ୍ଟ ଓ ଦିନିକିଆରେ ଯଥାକ୍ରମେ ୨୨ ଏବଂ ୨୫ ଶତକ ହାସଲ କରିଛନ୍ତି ସେ। ତେବେ ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ମଧ୍ୟ ଟି-୨୦ ଲିଗ୍‌ରେ ଖେଳି ଦର୍ଶକଙ୍କୁ ମନୋରଞ୍ଜନ କରିଥିଲେ। ସେ ଆସନ୍ତା ଆଇପିଏଲ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ପ୍ରତିନିଧିତ୍ୱ କରିବେ।

ଜନ୍ମଦିନରେ ଜାଣନ୍ତୁ ଡି ଭିଲିୟର୍ସଙ୍କ କିଛି ରୋଚକ ରେକର୍ଡ:

-ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ନେଲସନ ମାଣ୍ଡେଲାଙ୍କଠାରୁ ପଦକ ପାଇଥିଲେ ଏହି କ୍ରିକେଟର। ବିଜ୍ଞାନ ପ୍ରୋଜେକ୍ଟ ପାଇଁ ସେ ଏହି ପଦକ ଜିତିଥିଲେ।

-ଦିନିକିଆ କ୍ରିକେଟରେ ସବୁଠାରୁ ଦ୍ରୁତତମ ଶତକ ମାରିବାର ରେକର୍ଡ ତାଙ୍କ ନାମରେ ରହିଛି। ୨୦୧୫ରେ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ମାତ୍ର ୩୧ ବଲ୍‌ରେ ସେ ଶତକ କରିଥିଲେ।

-ଶୂନରେ ଆଉଟ୍‌ ହେବା ପୂର୍ବରୁ ସବୁଠାରୁ ଅଧିକ ଇନିଂସ ଖେଳିଥିବାର ରେକର୍ଡ ମଧ୍ୟ ଏହି କ୍ରିକେଟରଙ୍କ ନାମରେ ରହିଛି। ସେ ନିଜ ଟେଷ୍ଟ କ୍ୟାରିୟରର ପ୍ରଥମ ୭୮ ପାଳିରେ ଶୂନରେ ଆଉଟ୍‌ ହୋଇ ନ ଥିଲେ।

-ଦକ୍ଷିଣ ଆଫ୍ରିକା ଜୁନିୟର ଡେଭିସ୍‌ କପ୍‌ ଟେନିସ୍‌ ଦଳର ସଦସ୍ୟ ଥିଲେ ସେ। ଏହାଛଡ଼ା ସେ ଅଣ୍ଡର-୧୯ ଚାମ୍ପିୟନ ନ୍ୟାଶନାଲ ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ମଧ୍ୟ ଥିଲେ।

-ଜାତୀୟ ଦଳର ଜୁନିୟରସ୍ତରରେ ହକି, ଫୁଟବଲ୍‌ ଏବଂ ରଗବୀ ମଧ୍ୟ ସେ ଖେଳିଛନ୍ତି।

Share