ଗଞ୍ଜାମ ଜିଲା ପାଇଁ କ୍ରିକେଟ ଖେଳିବେ ଆୟୁଷା, ଘୋଷଣା କଲା ଓସିଏ

ଗୁଡାରି,୨୦।୪(ପ୍ରମୋଦ କୁମାର ପତି ): ଗୁଡାରି ସହରର ପାଇକ ସାହିର ୧୪ ବର୍ଷୀୟା ଝିଅ ଆୟୁଷା ଗଞ୍ଜାମ ଜିଲା ପାଇଁ ଓସିଏ ଆନ୍ତଃଜିଲା ମହିଳା କ୍ରିକେଟ ଟୁର୍ନାମେଣ୍ଟ ୨୦୨୬ ରେ ଖେଳିବାର ସୁଯୋଗ ପାଇଛନ୍ତି। କଟକରେ ଅନୁଷ୍ଠିତ ହେବାକୁ ଥିବା ଓସିଏ ଆନ୍ତଃଜିଲା ମହିଳା କ୍ରିକେଟ ଟୁର୍ନାମେଣ୍ଟ ୨୦୨୬ରେ ଅଂଶଗ୍ରହଣ କରିବା ପାଇଁ ଓଡ଼ିଶା କ୍ରିକେଟ ଆସୋସିଏଶନର ଚୟନ କମିଟି ଦ୍ୱାରା ପୋଲିସ ଏଏସ୍‌ଆଇ ମିନତ ମିଶ୍ର (ମିନୁ)ଙ୍କ ଝିଅ ଆୟୁଷା ସ୍ଥାନ ପାଇଛନ୍ତି। ଓସିଏ ପକ୍ଷରୁ ଘୋଷଣା ହୋଇଥିବା ୧୫ ଜଣିଆ ଟିମରେ ସେ ସ୍ଥାନ ପାଇଛନ୍ତି। ବର୍ତ୍ତମାନ ବ୍ରହ୍ମପୁର ସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲରେ ସେ ଦଶମ ଶ୍ରେଣୀରେ ପାଠ ପଢୁଛନ୍ତି ଏବଂ ତାଙ୍କ ପିତା ମଧ୍ୟ ବ୍ରହ୍ମପୁରରେ ପୋଲିସ ବିଭାଗରେ କାର୍ଯ୍ୟରତ ଅଛନ୍ତି। ସେ ବାମ ହାତୀ ବ୍ୟାଟ୍ସମ୍ୟାନ୍‌ ଏବଂ ଜିଲାର ଜଣେ ଜଣାଶୁଣା ଓଡ଼ିଶୀ ନୃତ୍ୟଶିଳ୍ପୀ ଅଟନ୍ତି। ଭୁବନେଶ୍ୱରରେ ସେ ଓଡ଼ିଶୀ ନୃତ୍ୟ କଳା ପ୍ରଦର୍ଶନ କରି ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟଗୁରୁଙ୍କ ଠାରୁ ପୁରସ୍କୃତ ହୋଇଛନ୍ତି। ସେ ବ୍ରହ୍ମପୁରରେ କୋଚିଂ ନେଉଥିବା ତାଙ୍କ ପିତା ମିନତ ମିଶ୍ର ସୂଚନା ଦେଇଛନ୍ତି ଏବଂ ଓସିଏ ପକ୍ଷରୁ ପ୍ରକାଶିତ ହୋଇଥିବା ୧୫ ଜଣିଆ ତାଲିକାରେ ନିଜ ଝିଅର ନାମ ଥିବାରୁ ସେ ବହୁତ ଖୁସି ଥିବା କହିଛନ୍ତି। ମିନତ ମଧ୍ୟ ଜଣେ କ୍ରିକେଟ ଖେଳାଳି ଭାବେ ରାୟଗଡା ଜିଲାରେ ଖୁବ ଜଣାଶୁଣା ଏବଂ ସେ ଗଜପତି ଜିଲା କ୍ରିକେଟ ପାଇଁ ପୂର୍ବରୁ ଖେଳିବାର ସୁଯୋଗ ପାଇଥିଲେ। ଏହି ଖବର ପ୍ରସାରିତ ପରେ ଆୟୁଷାଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।

Dharitri – Odisha’s No.1 Odia Daily

Share