Categories: ଜାତୀୟ

‘ତୁମର ଖରାପ ଦିନ ଖୁବ୍‌ ଶୀଘ୍ର ଆସିବି’

ନୂଆଦିଲ୍ଲୀ, ୨୦।୧୨ : ‘ତୁମମାନଙ୍କ ଖରାପ ଦିନ ଆସିବ। ମୁଁ ତୁମକୁ ଅଭିଶାପ ଦେଉଛି ’। ଏଭଳି ଶବ୍ଦରେ ରାଜ୍ୟ ସଭାରେ ଶାସକ ଭାଜପା ଉପରେ ବର୍ଷିଛନ୍ତି ସମାଜବାଦୀ ପାର୍ଟି ନେତ୍ରୀ ଜୟା ବଚ୍ଚନ। ସୋମବାର ରାଜ୍ୟ ସଭାରେ ନାର୍କୋଟିକ୍‌ ଡ୍ରଗ୍ସ ଉପରେ ଆସିଥିବା ବିଲର ଆଲୋଚନା ବେଳେ ବିରୋଧୀ ସଦସ୍ୟଙ୍କ ସୁରକ୍ଷା ନେଇ ସେ ପ୍ରଶ୍ନ ଉଠାଇଥିଲେ।

“ ବିରୋଧୀଙ୍କ ମୁହଁ ବନ୍ଦ କରିବାକୁ ଉଦ୍ୟମ ହେଉଥିବା ବେଳେ ଗୃହର ଅଧ୍ୟକ୍ଷ ନିରପେକ୍ଷ ହେବା ଉଚିତ। ଆମକୁ ନ୍ୟାୟ ଦରକାର। ଆମେ ଟ୍ରେଜରୀ ବେଞ୍ଚଠାରୁ ନ୍ୟାୟ ଆଶା କରୁ ନାହୁଁ। କିନ୍ତୁ ଆମେ ତୁମଠାରୁ ଏହି ଆଶା କରିପାରିବୁ କି? ତୁମେ ରାଜ୍ୟ ସଭା ସଦସ୍ୟ କିମ୍ବା ମନୋନୀତ ହୋଇ ଆସିଥିବା ୧୨ ସଦସ୍ୟଙ୍କୁ କେଉଁ ଭଳି ସୁରକ୍ଷା ଦେଉଛ?“ ବୋଲି ରାଜ୍ୟ ସଭା ଅଧ୍ୟକ୍ଷଙ୍କୁ ପ୍ରଶ୍ନ କରିଥିଲେ।

ତା’ ପରେ ଅଭିନେତ୍ରୀରୁ ନେତ୍ରୀ ପାଲଟିଥିବା ସଦସ୍ୟାଙ୍କୁ ଅଧ୍ୟକ୍ଷ ନାର୍କୋଟିକ ଡ୍ରଗ୍ସ ବିଲ ଉପରେ ଆଲୋଚନା କରିବାକୁ କହିଥିଲେ। ଏହାର ଉତ୍ତରରେ ଜୟା କହିଥିଲେ, ଏହା ମୋ ପାଳି। ଆମକୁ ତ୍ରୁଟି ଉପରେ ଆଲୋଚନା କରିବାକୁ ୩ରୁ ୪ ଘଣ୍ଟା ଦିଆଯାଇଛି।

ଏହି ସମୟରେ ଭାଜପା ଏମ୍‌ପି ରାକେଶ ସିନ୍ହା ଚିତ୍କାର କରି ଏକ ବ୍ୟକ୍ତିଗତ କମେଣ୍ଟ କରିଥିଲେ। ଏହା ଉପରେ କାର୍ଯ୍ୟନୁଷ୍ଠାନ ପାଇଁ ଦାବି କରିଥିଲେ ୭୩ ବର୍ଷୀୟା ଜୟା ।

“କ’ଣ ଚାଲିଛି? ଗୃହରେ କେଉଁ ଭଳି ଜଣେ ବ୍ୟକ୍ତିଗତ କମେଣ୍ଟ କରିପାରିବ? ଦୁଃଖର କଥା ଯେ, ତୁମମାନଙ୍କୁ ସାଥି ସଦସ୍ୟଙ୍କୁ ସମ୍ମାନ ଦେବା ଜଣାନାହିଁ। ତୁମମାନଙ୍କ ଖରାପ ଦିନ ଖୁବ୍‌ ଶୀଘ୍ର ଆସିବ। ମୁଁ ଅଭିଶାପ ଦେଉଛି” ବୋଲି ନେତ୍ରୀ ଟ୍ରଜର ବେଞ୍ଚକୁ ଟାର୍ଗେଟ କରି କହିଥିଲେ।

Share