Categories: ଖେଳ

ରାଜ୍ୟ ସଭାକୁ ଯାଇପାରନ୍ତି ହରଭଜନ

ଚଣ୍ଡିଗଡ,୧୭।୩: ପଞ୍ଜାବରେ ଆମ ଆଦମୀ ପାର୍ଟି କ୍ଷମତାକୁ ଆସିଛି। ଭାଗଓ୍ବନ୍ତ ମାନ ମୁଖ୍ୟମନ୍ତ୍ରୀ ଭାବେ ବୁଧବାର ଶପଥ ନେଇଛନ୍ତି। ଏଏପି ପୂର୍ବତନ କ୍ରିକେଟର ହରଭଜନ ସିଂଙ୍କୁ ରାଜ୍ୟ ସଭାକୁ ପଠାଇବ ବୋଲି ଏବେ ଚର୍ଚ୍ଚା ହେଉଛି। ରାଜ୍ୟର ନବନିର୍ବାଚିତ ଏଏପି ସରକାର କ୍ରୀଡ଼ା ବିଶ୍ୱବିଦ୍ୟାଳୟ ନିର୍ମାଣର ଦାୟିତ୍ୱ ହରଭଜନ ସିଂଙ୍କୁ ଦେଇପାରନ୍ତି ବୋଲି କୁହାଯାଉଛି। ନିର୍ବାଚନ ପୂର୍ବରୁ ରାଜ୍ୟରେ କ୍ରୀଡାର ବିକା କରିବା ଏବଂ ଜଳନ୍ଧରରେ ଏକ କ୍ରୀଡ଼ା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ମୁଖ୍ୟମନ୍ତ୍ରୀ ଭାଗଓ୍ବନ୍ତ ମାନ ପ୍ରତିଶ୍ରୁତି ଦେଇଛନ୍ତି।
ମାନ ରାଜ୍ୟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ହରଭଜନ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ ଟୁଇଟର୍‌ରେ ଲେଖିଛନ୍ତି, ଆମ ଆଦମୀ ପାର୍ଟି ଏବଂ ମୋର ବନ୍ଧୁ ଭାଗଓ୍ବନ୍ତ ମାନଙ୍କୁ ଆମର ନୂତନ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ଅଭିନନ୍ଦନ, ଭଗତ ସିଂଙ୍କ ଖଟକରକଲାନ ଗ୍ରାମରେ ସେ ନୂତନ ମୁଖ୍ୟମନ୍ତରୀ ଭାବରେ ଶପଥ ଗ୍ରହଣ କରିବା ଜାଣି ଖୁସି ଲାଗିଲା। ମାତା ଜି ପାଇଁ ଏହା ଏକ ଗର୍ବର ମୁହୂର୍ତ୍ତ।
ପଞ୍ଜାବରେ ଆମ ଆଦମୀ ପାର୍ଟିର ଏହା ହେଉଛି ପ୍ରଥମ ବିଜୟ। ୧୧୭ଟି ବିଧାନସଭା ଆସନ ଜିତି ଏଏପି ଐତିହାସିକ ବିଜୟ ହାସଲ କରିଛି। ଏବେ ପଞ୍ଜାବର ପାଞ୍ଚଟି ରାଜ୍ୟସଭା ଆସନ ଆସନ୍ତା ମାସରେ ଖାଲି ହେବାକୁ ଯାଉଛି। ଆମ ଆଦମୀ ପାର୍ଟି ଶୀଘ୍ର ଆସନ ପାଇଁ ନାମ ଘୋଷଣା କରିପାରନ୍ତି।
ଟେଷ୍ଟ କ୍ରିକେଟରେ ସର୍ବାଧିକ ଉଇକେଟ ନେଇଥିବା ଚତୁର୍ଥ ଭାରତୀୟ ବୋଲର ହରଭଜନ ସିଂ କିଛି ମାସ ପୂର୍ବରୁ ସ୍ପଷ୍ଟ କରିଥିଲେ ଯେ ସେ ଏବେ ନିର୍ବାଚନରେ ଲଢିବେ ନାହିଁ ଏବଂ ରାଜନୀତିରେ ବିଷୟରେ କୌଣସି ନିଷ୍ପତ୍ତି ନେଇନାହାଁନ୍ତି। ତାଙ୍କ ଅବସର ଏବଂ ପଞ୍ଜାବ ନିର୍ବାଚନ ମଧ୍ୟରେ କୌଣସି ସମ୍ପର୍କ ନାହିଁ ବୋଲି ସେ ସ୍ପଷ୍ଟ କରିଥିଲେ।

Share