Categories: ଜାତୀୟ

ଭାରତ ବନ୍ଦ ସପକ୍ଷରେ ଏଏପି: ଅନ୍ନଦାତାଙ୍କ ଦାବି ନ୍ୟାୟସଙ୍ଗତ

ନୂଆଦିଲ୍ଲୀ, ୭।୧୨: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ମଙ୍ଗଳବାର ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାକୁ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ସମର୍ଥନ କରୁଛି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ସୋମବାର କହିଛନ୍ତି। ସିନ୍ଧୁ ସୀମାରେ ସେ ଆନ୍ଦୋଳନକାରୀ ଅନ୍ନଦାତାଙ୍କ ପାଖରେ ପହଞ୍ଚି ଏଭଳି କହିଛନ୍ତି। ଚାଷୀ ସଂଗଠନର ଦାବି ନ୍ୟାୟସଙ୍ଗତ ବୋଲି କେଜରିଓ୍ବାଲ ପ୍ରକାଶ କରିଛନ୍ତି। କେନ୍ଦ୍ର ସରକାର ଏବଂ ଦିଲ୍ଲୀ ପୋଲିସ ପକ୍ଷରୁ ରାଜ୍ୟ ସରକାରଙ୍କୁ ୯ଟି ଷ୍ଟାଡ଼ିୟମ୍‌ରେ ଅସ୍ଥାୟୀ ଜେଲ ନିର୍ମାଣ ପାଇଁ ଅନୁମତି ଲୋଡ଼ିଥିଲେ। ଏନେଇ ରାଜ୍ୟ ସରକାରଙ୍କ ଉପରେ ଚାପ ପ୍ରୟୋଗ କରାଯାଇଥିଲା। ମାତ୍ର ରାଜ୍ୟ ସରକାର ଅନୁମତି ଦେବାକୁ ମନା କରିଦେଇଥିବା ସେ ସୂଚନା ଦେଇଛନ୍ତି। ଆନ୍ଦୋଳନକାରୀ ଅନ୍ନଦାତାଙ୍କୁ ଆବଶ୍ୟକ ସେବା ଯୋଗାଇ ଦେବାକୁ ଏଏପି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କେଜରିଓ୍ବାଲ କହିଛନ୍ତି। ଦେଶକୁ ଅନ୍ନ ଯୋଗାଉଥିବା ଅନ୍ନଦାତାଙ୍କୁ ସମର୍ଥନ କରିବା ପ୍ରତି ଭାରତବାସୀଙ୍କ କର୍ତ୍ତବ୍ୟ ବୋଲି ସେ ପ୍ରକାଶ କରିଛନ୍ତି।

Share