Categories: ଜାତୀୟ

ଦିଲ୍ଲୀ ଓ ହରିୟାଣାରେ ଲୋକ ସଭା ନିର୍ବାଚନ ପାଇଁ ଏଏପିର ପ୍ରାର୍ଥୀ ଘୋଷଣା

ନୂଆଦିଲ୍ଲୀ, ୨୮।୨: ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ପକ୍ଷରୁ ଆସନ୍ତା ଲୋକ ସଭା ନିର୍ବାଚନ ପାଇଁ ଦିଲ୍ଲୀର ୪ଟି ଆସନ ଓ ହରିୟାଣାର ଗୋଟିଏ ଆସନ ପାଇଁ ମଙ୍ଗଳବାର ପ୍ରାର୍ଥୀ ଘୋଷଣା କରାଯାଇଛି। ନୂଆଦିଲ୍ଲୀ ଆସନରୁ ସୋମନାଥ ଭାରତୀ, ପୂର୍ବ ଦିଲ୍ଲୀ ଆସନରୁ କୁଳଦୀପ୍‌ କୁମାର, ଦକ୍ଷିଣ ଦିଲ୍ଲୀ ଆସନରୁ ସହିରାମ୍‌ ପହଲ୍‌ବାନ୍‌ ଏବଂ ପଶ୍ଚିମ ଦିଲ୍ଲୀ ଆସନରେ ମହାବଲ୍‌ ମିଶ୍ରାଙ୍କ ନାମରେ ଏଏପି ମୋହର ମାରିଛି । ନୂଆଦିଲ୍ଲୀ ଆସନରୁ ଦଳୀୟ ଟିକେଟ ପାଇଥିବା ସୋମନାଥ ଦିଲ୍ଲୀ ଜଳ ବୋର୍ଡର ଉପାଧ୍ୟକ୍ଷ ଥିବା ସହ ମାଲବୀୟ ନଗରରୁ ବିଧାୟକ ରହିଛନ୍ତି। ସେହିପରି ପୂର୍ବଦିଲ୍ଲୀ ଆସନରୁ ଏଏପି ପ୍ରାର୍ଥୀ ହୋଇଥିବା କୁଳଦୀପ୍‌, କୋଣ୍ଡ୍‌ଲୀରୁ ବିଧାୟକ ରହିଛନ୍ତି। ରାଜ୍ୟ ସଭାର ପୂର୍ବତନ ସଦସ୍ୟ ସୁଶୀଳ ଗୁପ୍ତାଙ୍କୁ ହରିୟାଣାର କୁରୁକ୍ଷେତ୍ର ଆସନରୁ ଏଏପି ପ୍ରାର୍ଥୀ କରିଛି। ସୂଚନାଯୋଗ୍ୟ, ଆଗାମୀ ଲୋକ ସଭା ନିର୍ବାଚନରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଲ୍ଲୀରେ ଏଏପି ୪ଟି ଓ କଂଗ୍ରେସ ୩ଟି ସିଟ୍‌ରେ ଲଢ଼ିବାକୁ ନିଷ୍ପତ୍ତି ହୋଇଛି। ଏହାସହ ହରିୟାଣାରେ ଏଏପିକୁ ଗୋଟିଏ ଆସନ ଛାଡ଼ିବାକୁ କଂଗ୍ରେସ ରାଜି ହୋଇଛି।

Share