ମୁମ୍ବାଇ: ପୁଣି ଥରେ ବିବାହ କରିବେ ବଲିଉଡର ‘ମିଷ୍ଟର ପରଫେକ୍ସନିଷ୍ଟ’। ୬୧ ବର୍ଷ ବୟସରେ ଆମିର ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ସେ ନିଜର ଗର୍ଲଫ୍ରେଣ୍ଡ ଗୌରୀ ସ୍ପ୍ରେଟ୍ଙ୍କୁ ନିଜର ପତ୍ନୀ କରିବେ। ଆସନ୍ତା ମାସ ଜୁଲାଇ ୫ ତାରିଖରେ ଏକ ବ୍ୟକ୍ତିଗତ ସମାରୋହରେ ଆମିର ଏବଂ ଗୌରୀ ପରସ୍ପରର ହାତ ଧରିବେ । ଏହି ବିବାହ ଉତ୍ସବରେ କେବଳ ପରିବାର ସଦସ୍ୟ ଏବଂ କିଛି ଅତି ନିକଟତର ବନ୍ଧୁ ସାମିଲ ହେବେ ବୋଲି ଜଣାପଡ଼ିଛି ।
ଆମିର ଗତ ବର୍ଷ (୨୦୨୫) ନିଜର ୬୦ତମ ଜନ୍ମଦିନ ଅବସରରେ ଗୌରୀଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ସ୍ପଷ୍ଟ କରିଥିଲେ। ଗଣମାଧ୍ୟମ ସାମ୍ନାରେ ତାଙ୍କୁ ସମସ୍ତଙ୍କ ସହ ପରିଚିତ କରାଇଥିଲେ । ଆମିର କହିଥିଲେ ଯେ ସେ ଗୌରୀଙ୍କୁ ବିଗତ ୨୫ ବର୍ଷ ହେବ ଜାଣିଛନ୍ତି। କିନ୍ତୁ ୨୦୨୩ ମସିହାରୁ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଏହା ଗୌରୀଙ୍କର ଦ୍ୱିତୀୟ ବିବାହ ହେବ। ପ୍ରଥମ ବିବାହରୁ ଗୌରୀଙ୍କର ଏକ ୭ ବର୍ଷର ପୁଅ ମଧ୍ୟ ଅଛି।
ଗୌରୀ ବେଙ୍ଗାଲୁରୁର ବାସିନ୍ଦା ଏବଂ ଚଳଚ୍ଚିତ୍ର ଦୁନିଆ ସହ ତାଙ୍କର ସେଭଳି କୌଣସି ସିଧାସଳଖ ସମ୍ପର୍କ ନାହିଁ। ସେ ଜଣେ ବ୍ୟବସାୟୀ ଏବଂ ତାଙ୍କର ଏକ ସେଲୁନ ବ୍ୟବସାୟ ରହିଛି, ଯାହାକୁ ତାଙ୍କ ମା’ ଆରମ୍ଭ କରିଥିଲେ । ଏହାଛଡ଼ା ସେ ବୁଟିକ୍ରେ କନସଲ୍ଟିଂ ଡିଜାଇନର୍ ଭାବେ କାମ କରି ସାରିଛନ୍ତି । ବର୍ତ୍ତମାନ ସେ ଆମିର ପ୍ରଡକ୍ସନ କମ୍ପାନୀ ସହ ମଧ୍ୟ ଜଡ଼ିତ ଅଛନ୍ତି ।
ଆମିରଙ୍କର ଏହା ତୃତୀୟ ବିବାହ ହେବ। ଏହା ପୂର୍ବରୁ ସେ ଦୁଇଥର ବିବାହ କରିଥିଲେ ମଧ୍ୟ ତାହା ସଫଳ ହୋଇପାରି ନାହିଁ। ଆମିର ୧୯୮୬ ମସିହାରେ ରିନା ଦତ୍ତାଙ୍କୁ ବିବାହ କରିଥିଲେ। ତେବେ ୨୦୦୨ ମସିହାରେ ଦୁହିଁଙ୍କର ତଲାକ ହୋଇଥିଲା। ଏହା ପରେ ୨୦୦୫ ମସିହାରେ ସେ କିରଣ ରାଓଙ୍କୁ ଦ୍ୱିତୀୟ ବିବାହ କରିଥିଲେ, କିନ୍ତୁ ୨୦୨୧ ମସିହାରେ ଦୁହେଁ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ । କିରଣଙ୍କ ସହ ଛାଡ଼ପତ୍ରର ଦୁଇ ବର୍ଷ ପରେ ଆମିର ଓ ଗୌରୀ ରିଲେସନସିପ୍ଙ୍କୁ ଆସିଥିଲେ ।
ଆମିରଙ୍କର ପୂର୍ବ ଦୁଇଟି ବିବାହରୁ ୩ ଜଣ ସନ୍ତାନ ଅଛନ୍ତି । ପ୍ରଥମ ପତ୍ନୀ ରିନାଙ୍କଠାରୁ ତାଙ୍କର ଏକ ପୁଅ ଜୁନୈଦ ଖାନ ଏବଂ ଝିଅ ଆଇରା ଖାନ ଅଛନ୍ତି । ସେହିପରି ଦ୍ୱିତୀୟ ପତ୍ନୀ କିରଣ ରାଓଙ୍କଠାରୁ ତାଙ୍କର ଆଜାଦ ନାମକ ଏକ ପୁଅ ଅଛି । ନିକଟରେ ଆମିରଙ୍କ ବଡ଼ ପୁଅ ଜୁନୈଦଙ୍କ ଅଭିନୀତ ଫିଲ୍ମ ‘ଏକ୍ ଦିନ’ ରିଲିଜ ହୋଇଥିଲା, ଯାହାକୁ ଆମିର ନିଜେ ପ୍ରଡ୍ୟୁସ କରିଥିଲେ ।
Dharitri – Odisha’s No.1 Odia Daily