ମୁମ୍ବାଇ: ବଲିଉଡର ‘ମିଷ୍ଟର ପରଫେକ୍ଟନିଷ୍ଟ’ ଆମିର ଖାନ ପୁଣିଥରେ ବିବାହ ବନ୍ଧନରେ ବାନ୍ଧିହେବେ। ଆସନ୍ତା ଜୁଲାଇ ୫ ତାରିଖରେ ସେ ତାଙ୍କର ଦୀର୍ଘଦିନର ବାନ୍ଧବୀ ଗୌରୀ ସ୍ପ୍ରାଟ୍ଙ୍କ ସହ ବିବାହ କରିବେ ବୋଲି ନିଜେ ସ୍ପଷ୍ଟ କରିଛନ୍ତି। ମୁମ୍ବାଇ ସ୍ଥିତ ତାଙ୍କ ବାସଭବନରେ କେବଳ ପରିବାର ଏବଂ କିଛି ଅତି ନିକଟତର ବନ୍ଧୁମାନଙ୍କ ଉପସ୍ଥିତିରେ ଏହି ବିବାହ ଅନୁଷ୍ଠିତ ହେବ। ରିପୋର୍ଟ ଅନୁଯାୟୀ, ‘ସ୍ପେଶାଲ ମ୍ୟାରେଜ ଆକ୍ଟ’ ଅଧୀନରେ ଏହି ବିବାହ ପଞ୍ଜିକୃତ ହେବ।
ଅନେକ ବର୍ଷ ପୂର୍ବେ ଆମିର ଏବଂ ଗୌରୀ ପ୍ରଥମ ଥର ପାଇଁ ବେଙ୍ଗାଲୁରୁରେ ହୋଇଥିଲା। ଏହାପରେ ଦୁହେଁ ନିଜ ନିଜ ଜୀବନରେ ବ୍ୟସ୍ତ ହୋଇପଡ଼ିଥିଲେ ଏବଂ ସେମାନଙ୍କ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ପ୍ରାୟ ୨୫ ବର୍ଷ ପରେ ଦୁହିଁଙ୍କର ପୁଣି ଥରେ ଦେଖା ହୋଇଥିଲା। ପ୍ରଥମେ ସେମାନଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ ହୋଇଥିଲା ଏବଂ ଧୀରେ ଧୀରେ ଏହି ସମ୍ପର୍କ ଭଲପାଇବାରେ ବଦଳିଯାଇଥିଲା।
ଦୀର୍ଘ ସମୟ ଧରି ଆମିର ଓ ଗୌରୀ ନିଜ ସମ୍ପର୍କକୁ ଦୁନିଆ ଆଗରୁ ଲୁଚାଇ ରଖିଥିଲେ। ଗତ ମାର୍ଚ୍ଚ ୨୦୨୫ରେ ନିଜର ୬୦ତମ ଜନ୍ମଦିନ ଅବସରରେ ଆମିର ପ୍ରଥମ ଥର ପାଇଁ ଆନୁଷ୍ଠାନିକ ଭାବେ ଗୌରୀଙ୍କୁ ସମସ୍ତଙ୍କ ସହ ପରିଚିତ କରାଇଥିଲେ। ବେଙ୍ଗାଲୁରୁର ବାସିନ୍ଦା ଗୌରୀ ଫ୍ୟାଶନ ଏବଂ ଫଟୋଗ୍ରାଫି ଦୁନିଆ ସହ ଜଡ଼ିତ। ବର୍ତ୍ତମାନ ସେ ଆମିରଙ୍କ ପ୍ରଡକ୍ସନ ହାଉସ ସହିତ ମଧ୍ୟ କାମ କରୁଛନ୍ତି।
ଅନେକ ସାକ୍ଷାତକାରରେ ଆମିର ଖାନ କହିଛନ୍ତି ଯେ, ଗୌରୀଙ୍କ ଆସିବା ପରେ ତାଙ୍କ ଜୀବନରେ ଶାନ୍ତି ଏବଂ ସ୍ଥିରତା ଆସିଛି। ଗୌରୀଙ୍କ ସହ ସେ ଏକ ଭିନ୍ନ ପ୍ରକାରର ଖୁସି ଏବଂ ଆପଣାର ଅନୁଭବ କରୁଛନ୍ତି।
କହିରଖୁଛୁ, ଏହା ଆମିର ଖାନଙ୍କ ତୃତୀୟ ବିବାହ ହେବ। ତାଙ୍କର ପ୍ରଥମ ବିବାହ ରୀନା ଦତ୍ତାଙ୍କ ସହ ହୋଇଥିଲା, ଯାହାଙ୍କଠାରୁ ତାଙ୍କର ଦୁଇଟି ସନ୍ତାନ ଜୁନୈଦ ଖାନ ଏବଂ ଆଇରା ଖାନ ଅଛନ୍ତି। ଏହାପରେ ସେ କିରଣ ରାଓଙ୍କୁ ବିବାହ କରିଥିଲେ, କିନ୍ତୁ ୨୦୨୧ ମସିହାରେ ଦୁହେଁ ଅଲଗା ହୋଇଯାଇଥିଲେ। ସେମାନଙ୍କର ଏକ ପୁତ୍ର ସନ୍ତାନ ’ଆଜାଦ’ ଅଛି। ଅଲଗା ହେବା ପରେ ମଧ୍ୟ ଆମିର ଆଜି ବି ତାଙ୍କର ଦୁଇ ପୂର୍ବତନ ପତ୍ନୀଙ୍କ ସହ ଉତ୍ତମ ସମ୍ପର୍କ ବଜାୟ ରଖିଛନ୍ତି।
Dharitri – Odisha’s No.1 Odia Daily