ଅଡୁଆରେ ଆମିର

ମୁମ୍ବାଇ: ବଲିଉଡର ମିଷ୍ଟର ପରଫେକସନିଷ୍ଟଙ୍କ ଅଡୁଆ ଛିଡିବାର ନାଁ ନେଉନି । ଏବେ ଏମିତି ଏକ ଅଡୁଆ ଭିତରେ ପୁଣି ଥରେ ଫସି ଯାଇଛନ୍ତି ଏହି ବଲିଉଡ ନାୟକ । ଏନେଇ ମଧ୍ୟ ପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ବି ଅଭିଯୋଗ କରିଛନ୍ତି । ଅଭିଯୋଗଟି ହେଉଛି ଏକ ବିଜ୍ଞାପନକୁ ନେଇ । ଏହା ହେଉଛି ଏକ ଘରୋଇ ବ୍ୟାଙ୍କର ବିଜ୍ଞାପନ । ଏଥିରେ ଆମିରଙ୍କ ସହ ଅଭିନେତ୍ରୀ କିଆରା ଆଡଭାନୀଙ୍କୁ ଦେଖିବାକୁ ମିଳିଛି । ବିଜ୍ଞାପନରେ ଉଭୟ ବିବାହ ଯୋଡାରେ ନଜର ଆସିଛନ୍ତି । ଆଉ ଏଥିରେ ବ୍ୟତିକ୍ରମ ରହିଛି ଯେ କନ୍ୟା ବଦଳରେ ବରର ବିଦାୟୀ ହେଉଛି । ଏଥିରେ କିଆରା ନୁହେଁ ଆମିରଙ୍କର ବିଦାୟୀ ହେଉଛି । ଅର୍ଥାତ୍ କନ୍ୟାର ପିତା ଅସୁସ୍ଥ ଥିବାରୁ ବର କନ୍ୟାକୁ ଧରି କନ୍ୟାଘରେ ରହିବାର ନିଷ୍ପତ୍ତି ନେଇଛନ୍ତି । ଏହାପରେ କନ୍ୟାଙ୍କ ମାଆ ନବ ଦମ୍ପତିଙ୍କୁ ସ୍ୱାଗତ କରୁଛନ୍ତି । ଆମିର ଏହି ସମୟରେ କହିଛନ୍ତି, ବର୍ଷ ବର୍ଷ ଧରି ଚଳିଆସୁଥିବା ପ୍ରଥା ଚଳିବା ଜରୁରୀ ନୁହେଁ, ସେଥିପାଇଁ ଆମେ ବ୍ୟାକିଂ ପରମ୍ପରା ଉପରେ ପ୍ରଶ୍ନ ଉଠାଉଛୁ ।
ଏହି ବିଜ୍ଞାପନ ପରେ ସୋସିଆଲ ମିଡିଆରେ ଆମିରଙ୍କୁ ବିରୋଧ କରାଯାଇଛି । ଏହା ଭାରତୀୟ ଧାର୍ମିକ ପରମ୍ପରା ପ୍ରତି ଅପମାନ ବୋଲି ଅନେକେ ଅଭିଯୋଗ ଆଣିଛନ୍ତି । ମନ୍ତ୍ରୀ ନରୋତ୍ତମ ମିଶ୍ର କହିଛନ୍ତି, ଧାର୍ମିକ ପରମ୍ପରାକୁ ଦୃଷ୍ଟିରେ ରଖି ଆମିର ବିଜ୍ଞାପନ କରନ୍ତୁ ବୋଲି ସେ କହିଛନ୍ତି ।

Share