ମରଣ ମୁହଁରୁ ମୋ ଭାଇ ଫେରି ଆସିଛି

ବମ୍ବେ: ଖ୍ୟାତନାମା କୋରିଓଗ୍ରାଫର ତଥା ନିର୍ଦ୍ଦେଶକ ରେମୋ ଡିସୁଜା ଏବେ ଅସୁସ୍ଥ। ହୃଦଘାତ ଯୋଗୁ ମୁମ୍ବାଇର କୋକିଲାବେନ୍‌ ହସ୍ପିଟାଲରେ ସେ ଭର୍ତ୍ତି ହୋଇଛନ୍ତି। ଶୁକ୍ରବାର ତାଙ୍କର ଏଜିଓପ୍ଲାଷ୍ଟି ସର୍ଜରୀ କରାଯାଇଥିଲା। ଏବେ ସେ ପୂର୍ବାପେକ୍ଷା ସୁସ୍ଥ ଅଛନ୍ତି ବୋଲି କୁହାଯାଉଛି। ରେମୋଙ୍କ ଅସୁସ୍ଥତା ଖବର ଅନେକଙ୍କୁ ଚକିତ କରିଦେଇଥିଲା। ସେ କିଭଳି ଅଛନ୍ତି ସେ ନେଇ ପ୍ରଶଂସକମାନେ ଚିନ୍ତିତ ଥିବା ବେଳେ ଟେଲି ଅଭିନେତା ଆମିର ଅଲ୍ଲୀ ସମ୍ୟକ ଧାରଣା ଦେଇଛନ୍ତି।
ନିଜର ଇନ୍‌ଷ୍ଟା ଆକାଉଣ୍ଟରେ ଆମିର ଏକ ଫଟୋ ଶେୟାର କରିଛନ୍ତି। ଡାକ୍ତରଖାନା ପରିସରରେ ରେମୋଙ୍କ ସହ ସେ ଫଟୋରେ ନଜର ଆସୁଛନ୍ତି। ସ୍ପଷ୍ଟ ଭାବେ ରେମୋଙ୍କ ମୁହଁ ଦେଖାଯାଉ ନ ଥିଲେ ହେଁ ସେ କ୍ୟାମେରା ପାଇଁ ପୋଜ୍‌ ଦେଇଛନ୍ତି। ଶେୟାର କରିବା ବେଳେ ‘ମୋ ଭାଇ ଫେରି ଆସିଛି’ ବୋଲି ଆମିର କହିଛନ୍ତି। ଫଟୋଟି ଭାଇରାଲ ହେଉଥିବା ବେଳେ ସେ ଶୀଘ୍ର ଆରୋଗ୍ୟ ଲାଭ କରନ୍ତୁ ବୋଲି ପ୍ରଶଂସକମାନେ ପ୍ରତିକ୍ରିୟା ରଖୁଛନ୍ତି।

Share