Posted inଫୁରସତ

ଆଳତି

ହିନ୍ଦୁଧର୍ମରେ ଆଳତିର ରହିଛି ସ୍ବତନ୍ତ୍ର ସ୍ଥାନ। ଆଳତି ସମୟରଘଣ୍ଟଘଣ୍ଚା, ଶଙ୍ଖଧ୍ୱନି, ମନ୍ତ୍ରପାଠ କେବଳ ଆଧ୍ୟାତ୍ମିକ ପରିବେଶ
ସୃଷ୍ଚି କରେ ନାହିଁ, କିଛି କ୍ଷଣ ପାଇଁ ହେଉ ପଛେ ମନକୁପରମାତ୍ମାଙ୍କ ସହ ତଲ୍ଲୀନ କରିଦିଏ…
ହିନ୍ଦୁଧର୍ମରେ ପୂଜାର ଅନ୍ତିମ ପର୍ଯ୍ୟାୟର ଏକ ବିଧି ହେଉଛି ଆଳତି। ଏହି ଆଳତି ସମୟର ଘଣ୍ଟଘଣ୍ଟା, ଶଙ୍ଖଧ୍ୱନି, ମନ୍ତ୍ରପାଠ ସାଙ୍ଗକୁ ଦୀପର ଅଗ୍ନିଶିଖା ପରିବେଶରେ ସୃଷ୍ଟି କରିଥାଏ ଆଧ୍ୟାତ୍ମିକ ବାତାବରଣ। ମନରେ ଭରିଦିଏ ଐଶ୍ୱରୀୟ ଭାବ। ଶରୀରରେ ଭରିଯାଏ ଉର୍ଜା। କିଛି କ୍ଷଣ ପାଇଁ ମଣିଷ ତଲ୍ଲୀନ ହୋଇଯାଏ ପରମାତ୍ମାଙ୍କ ସହ। ପ୍ରଭୁଙ୍କୁ ତନ୍ମୟ ହୋଇ ଡାକିବା ତଥା ସସମ୍ମାନେ ତାଙ୍କୁ ବିଦାୟ ଦେବାର ଏହା ହେଉଛି ଏକ ବିଧି। ତେବେ ଏହା କେବଳ ଦେବଦେବୀଙ୍କଠାରେ ସୀମିତ ନୁହେଁ। ଗୁରୁ, ତପସ୍ବୀ, ମହାପୁରୁଷ, ତୀର୍ଥସ୍ଥାନ, ନଦୀ, ତୀର୍ଥରାଜ (ମହୋଦଧି), ତୀର୍ଥ ପୁଷ୍କରିଣୀ, ପବିତ୍ର ବୃକ୍ଷ, ଗ୍ରହ, ନକ୍ଷତ୍ର, (ସୂର୍ଯ୍ୟ, ଚନ୍ଦ୍ର)ଙ୍କୁ ବି କରାଯାଏ ଆଳତି।
‘ଆଳତି ବା ଆରତି’ ସଂସ୍କୃତ ଶବ୍ଦ ‘ଆରାତ୍ରିକ’ରୁ ଆସିଛି। ଏହାର ଅର୍ଥ ହେଉଛି ‘ଅନ୍ଧକାରକୁ ଦୂର କରିବା’। ହିନ୍ଦୁଧର୍ମରେ ପୂଜାର ଶେଷଭାଗରେ ଆଳତି ହେବାର ବିଧି ରହିଛି। ଏହା ଏକ ବୈଦିକ ପରମ୍ପରା। ଏହାଦ୍ୱାରା ଉର୍ଜା ବା ଶକ୍ତିକୁ ଚଳଚଞ୍ଚଳ କରାଯାଏ। ଏହି ଶକ୍ତି ଦ୍ୱାରା ମନୁଷ୍ୟ ଭିତରେ ମଧ୍ୟ ଉର୍ଜା ଭରିଥାଏ। ଆଳତି ଦୈନିକ ୧ରୁ ୫ ଥର ପୂଜା ଅବା ଭଜନ କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟରେ କରାଯାଇଥାଏ। ଆଳତିର ଦୁଇ ପ୍ରକାର ଅର୍ଥ ରହିଛି। ଗୋଟିଏ ହେଉଛି ବନ୍ଦାପନା କରି ପୂଜା ଶେଷରେ ସସମ୍ମାନେ ସମର୍ପଣଭାବରେ ଦେବଦେବୀଙ୍କୁ ବିଦାୟ ଦେବା। ଦ୍ୱିତୀୟରେ ଏହାର ଅର୍ଥ ହେଉଛି ଈଶ୍ୱରଙ୍କୁ ଆର୍ତ୍ତ ହୋଇ ଡାକିବା। ଡ. ସୁରେନ୍ଦ୍ର କୁମାର ମିଶ୍ର କହନ୍ତି, ‘ମଙ୍ଗଳ କାମନାର ଏକ ମାଧ୍ୟମ ହେଉଛି ଆଳତି। ଘରୁ ବାହାରିବାବେଳେ ଶୁଭକାମନା କରି ଆଳତି କରିବା ଆମ ସଂସ୍କୃତିରେ ରହିଛି। ପୁଅ ବାହା ହୋଇ ସପତ୍ନୀକ ଗୃହ ପ୍ରବେଶ କଲାବେଳେ ଆଳତି କରାଯାଏ। ଓଡ଼ିଶାରେ ଆଳତି ଓ ବନ୍ଦାପନା ଭିତରେ ସାମ୍ୟ ରହିଛି। ଦେବତାଙ୍କ ବନ୍ଦପନାରେ ଆମେ କୃପା ଲାଭ କରୁ। ଗୁରୁଜନ ଲଘୁଜନଙ୍କୁ ଯେଉଁ ବନ୍ଦାପନା କରନ୍ତି, ସେଥିରୁ ଶୁଭ କାମନା ଓ ଆଶୀର୍ବାଦ ଲାଭ ହୁଏ। ଆଳତି କେବଳ ଦେବତାଙ୍କୁ ନୁହେଁ ଗୁରୁ, ତପସ୍ବୀ, ମହାପୁରୁଷ, ତୀର୍ଥସ୍ଥାନ, ନଦୀ, ମହୋଦଧି, ତୀର୍ଥ ପୁଷ୍କରିଣୀ, ପବିତ୍ର ବୃକ୍ଷ, ଗ୍ରହ, ନକ୍ଷତ୍ର(ସୂର୍ଯ୍ୟ, ଚନ୍ଦ୍ର)ଙ୍କୁ ବି କରାଯାଏ। ଏମିତିକି ନୂଆ ଯାନ୍ତ୍ରିକ ସାମଗ୍ରୀ କିଣିଲେ ବି ତାକୁ ମା’ କାଳୀଙ୍କ ପ୍ରତୀକଭାବେ ପୂଜା କରି ଆଳତି କରାଯାଏ।’
ଆଳତି ଥାଳି- ଆଧ୍ୟାତ୍ମିକ ସ୍ତମ୍ଭକାର ଶ୍ରୀ ସନ୍ନ୍ୟାସୀ କହନ୍ତି, ‘ଆଳତି ଥାଳି ସାଧାରଣତଃ ରୁପା, କଂସା, ପିତ୍ତଳ ଭଳି ଧାତୁରେ ତିଆରି ହୋଇଥାଏ। ଏଥିରେ ମାଟିଦୀପ ରଖାଯାଏ, ଯେଉଁଥିରେ ଘିଅ ଓ ସଳିତା ରଖାଯାଏ। ସଳିତା ସବୁବେଳେ ଅଯୁଗ୍ମ ସଂଖାରେ ରଖାଯାଏ। ଆଳତି ଘଣ୍ଟା କଣ୍ଟା ଦିଗରେ ଗୋଲାକାରଭାବେ ୬-୮ ଥର ବୁଲାଯାଏ। ବେଳେବେଳେ ଓଁ କାର ଆକାରରେ ବି ଆଳତି କରାଯାଏ। ଆଳତିବେଳେ ପୂଜକଙ୍କ ଚକ୍ଷୁ ଦେବଦେବୀଙ୍କ ଚକ୍ଷୁ ସହ ମିଶିବା ଉଚିତ। କାରଣ ଚକ୍ଷୁର ମିଳନରେ ଆତ୍ମା ସହ ପରମାତ୍ମାର ମିଳନ ହୁଏ। ଆଳତି ଥାଳିରେ ସାଧାରଣତଃ ଫୁଲ, ଘିଅବତି, ରୁମାଲ ଅବା ସାଲୁକନା ରହେ। ତେବେ ମୟୂର ପିଞ୍ଛର ପଙ୍ଖା, ଚମରୀ ଗାଈ ପୁଚ୍ଛରେ ତିଆରି ଚାମର ଆଦି ମଧ୍ୟ ଏହାର ଅଂଶ ଅଟେ। ଆରତି ଥାଳିର ଏହି ସାମଗ୍ରୀଗୁଡ଼ିକର ପଞ୍ଚଭୂତ ସହ ସମ୍ପର୍କ ରହିଛି। ଯେମିତିକି ଫୁଲ ହେଉଛି ଭୂମିତତ୍ତ୍ୱର ପ୍ରତୀକ, ଘିଅବତି ଅଗ୍ନିତତ୍ତ୍ୱର ପ୍ରତୀକ, ନାଲି ସାଲୁକନାରେ ପାଣି ପକାଇ ବୁଲାଇବା ଜଳତତ୍ତ୍ୱର ପ୍ରତୀକ, ମୟୂର ପକ୍ଷୀର ପଙ୍ଖା ବାୟୁତତ୍ତ୍ୱର ପ୍ରତୀକ, ଚାମର ଆକାଶତତ୍ତ୍ୱର ପ୍ରତୀକ। ଆଉ ଧୂପ ହେଉଛି ପବିତ୍ର ମନର ପ୍ରତୀକ। ଆଳତିବେଳେ ଛୋଟିଆ ଶଙ୍ଖରେ ପାଣି ଓ ତୁଳସୀ ରଖାଯାଏ। ଆଳତି ଆରମ୍ଭ ଓ ଶେଷବେଳେ ସେହି ଶଙ୍ଖପାଣିରୁ କିଛି ୩ ଥର ଭୂମିରେ ପକାଯାଏ। ମନ୍ତ୍ରପାଠ ସହ ଆଳତି ଥାଳିକୁ ଗୋଲାକାରରେ ବୁଲାଇ ଦେବଦେବୀଙ୍କ ଆଳତି କରାଯାଏ। ଆଳତି ଥାଳିରେ ଫୁଲ, ଧୂପକାଠି ଓ ଅକ୍ଷତ ବି ରଖାଯାଏ। କିଛି ମନ୍ଦିରରେ ଆଳତି ଥାଳି ବ୍ୟବହାର ନ ହୋଇ ପୂଜକ କେବଳ ଘିଅଦୀପ ଧରି ଆଳତି କରନ୍ତି। ଦକ୍ଷିଣ ଭାରତରେ କେବଳ ଘିଅଦୀପରେ ଆଳତି କରିବା ପରେ ସେହି ଦୀପକୁ ଭକ୍ତଙ୍କ ମଧ୍ୟରେ ପ୍ରଦାନ କରାଯାଏ। ଭକ୍ତମାନେ ଦୀପର ଅଗ୍ନିଶିଖା ଉପରେ ହାତ ବୁଲାଇ ଆଖିରେ ସ୍ପର୍ଶ କରନ୍ତି। ଏହିଭଳି ଦୁଇରୁ ତିନିଥର କରାଯାଏ। ଏହା ହେଉଛି ପୂଜାର ଶେଷ ବିଧି।’
କେଉଁଠି କେମିତି ଆଳତି- ତାମିଲ ଭାଷାରେ ଏହାକୁ ‘ଦୀପ ଆରାଧନୀ’, କନ୍ନଡ଼ରେ ‘ଦୀପ ଆରାଧନେ’, ତେଲୁଗୁରେ ‘ହାରତୀ’ ବା ‘ଦୀପ ଆରାଧନାମୁ’ କୁହାଯାଏ। ମାଲାୟାଲମ୍‌ରେ ଏହାକୁ ‘ଦୀପ ଆରାଧନା’ ଓ ମରାଠୀରେ ‘ମହାନିରାଜନା’ କୁହାଯାଏ। ଶ୍ରୀ ସନ୍ନ୍ୟାସୀ ଆହୁରି ମଧ୍ୟ କହନ୍ତି,‘ଆର୍ଯ୍ୟ ସମାଜ ତଥା ବୈଦିକପଣ୍ଡିତମାନେ ଆଳତି ଶବ୍ଦକୁ ବିଶ୍ଲେଷଣ କରି ଏକ ନୂତନ ଭାବଧାରା ସହ କୁହନ୍ତି, ‘ହେ ମଣିଷ! ତୁମେ ଈଶ୍ୱରଙ୍କୁ ଆର୍ତ୍ତ ବା ଆକୁଳଭାବେ ଡାକ। କର୍ପୂର, ଦୀପ, ଶଙ୍ଖ ବଜାଇ ଡାକିବାର କିଛି ମାନେ ନାହିଁ, ଯଦି ମନରେ ଆକୁଳଭାବ ନାହିଁ।’ ଗୌଡ଼ୀୟ ବୈଷ୍ଣବମାନେ ବି ଆଳତି ବେଶ୍‌ ଭଲରେ କରନ୍ତି। ଏମାନେ ଆଳତିର ଆରମ୍ଭ ଶଙ୍ଖ ବଜାଇ କରନ୍ତି। ଅଯୁଗ୍ମ ସଂଖ୍ୟାର ଧୂପକାଠି ପ୍ରଭୁଙ୍କ ପାଖରେ ଜଳାନ୍ତି। ପରେ ଦୀପ ଜଳାଇ ଆଳତି ହୁଏ। ଶଙ୍ଖରେ ପାଣି ରଖି ପ୍ରଭୁଙ୍କୁ ସମର୍ପଣ କରାଯାଏ। ଏହାପରେ ସେହି ପାଣି ଭକ୍ତଙ୍କ ଉପରେ ସିଞ୍ଚନ କରାଯାଏ। ପରେ ପ୍ରଭୁଙ୍କୁ ବସ୍ତ୍ର ଓ ପୁଷ୍ପ ପ୍ରଦାନ କରାଯାଏ। ପୂଜାଫୁଲ ଭକ୍ତଙ୍କ ମଧ୍ୟରେ ବଣ୍ଟାଯାଏ। ଶେଷରେ ମୟୂରପିଞ୍ଛ ପଙ୍ଖାରେ ପ୍ରଭୁଙ୍କୁ ବିଞ୍ଚାଯାଏ। ପଶ୍ଚିମବଙ୍ଗରେ ଦୁର୍ଗାପୂଜା ଅବସରରେ ବେକରେ ଢୋଲ ଝୁଲାଇ କିଛି ଲୋକ ପାରମ୍ପରିକ ରୀତିରେ ଢୋଲ ବଜାନ୍ତି। ତା’ସହ ପାରମ୍ପରିକ ଆଳତି ନୃତ୍ୟ ‘ଧୁନିଚି’ ପରିବେଷଣ କରାଯାଏ। ଶିଖ୍‌ ଧର୍ମରେ ବି ଆଳତିର ବିଧି ରହିଛି।’
ମହୋଦଧି ଆଳତି- ଗୁରୁଜୀ ମହାରାଜ ଶଙ୍କରାଚାର୍ଯ୍ୟଙ୍କ ତତ୍ତ୍ୱାବଧାନରେ ୨୦୦୭ ଜାନୁୟାରୀ ୩, ପୌଷ ପୂର୍ଣ୍ଣିମାରେ ଆରମ୍ଭ ହୋଇଥିଲା ମହୋଦଧି ଆଳତି। ସେବେଠାରୁ ଦୀର୍ଘ ୧୫ ବର୍ଷ ହେବ ଏହି ଆଳତି ପ୍ରତିଦିନ ସନ୍ଧ୍ୟା ୬ଟା ୩୦, ସ୍ବର୍ଗଦ୍ୱାର ସମ୍ମୁଖରେ ହୋଇ ଆସୁଛି। ଗୁରୁଜୀ ମହାରାଜ ବର୍ଷରେ ଦୁଇଥର ମହୋଦଧି ଆଳତି କରନ୍ତି। ତେବେ ତାଙ୍କ ତତ୍ତ୍ୱାବଧାନରେ ଅନ୍ୟ ଦିନଗୁଡିକରେ ଆଳତି କରନ୍ତି ସୁନିଲ କୁମାର ପୂଜାପଣ୍ଡା, ଯେକି ଶଙ୍କରାଚାର୍ଯ୍ୟ ମଠ, ତୀର୍ଥରାଜ ମହୋଦଧି ଆଳତି କମିଟିର ସେକ୍ରେଟାରୀ ଅଟନ୍ତି। ସୁନିଲ କୁମାର ପୂଜାପଣ୍ଡା କହନ୍ତି, ”ପ୍ରଭୁଙ୍କର ବୋଧେ ମୋ ପ୍ରତି ସ୍ବତନ୍ତ୍ର ଭଲ ପାଇବା ଓ କୃପା ଥିଲା। ସେଥିପାଇଁ ଏତେ ବଡ ସୁଯୋଗ ମତେ ମିଳିଲା। ଏହା ମଧ୍ୟରେ ୧୫ ବର୍ଷ ବିତି ଗଲାଣି। ହେଲେ ଏମିତି ଗୋଟିଏ ଦିନ ନାହିଁ ଯେବେ ଆଳତି ବନ୍ଦ ହୋଇଛି। ବର୍ଷାଦିନ ହେଉକି ଫାଇଲିନ୍‌, ଫନି, ହୁଡ୍‌ହୁଡ୍‌ ଭଳି ବାତ୍ୟା। ସବୁ ପରିସ୍ଥିତିରେ ଆଳତି ହୋଇଛି। ଆଉ ଆଶ୍ଚର୍ଯ୍ୟର କଥା ଯେ, ଠିକ୍‌ ଆଳତି ସମୟରେ ହିଁ ବର୍ଷା ବନ୍ଦ ହୋଇଯାଏ। ପ୍ରତିଦିନ କିଛି ନା କିଛି ଦିବ୍ୟ ଅନୁଭବ ଆଳତୀ ସମୟରେ ମିଳିଛି। ତେବେ ଏହି ଗୁରୁ ଦାୟିତ୍ୱ ନେବା ଓ ଗୁରୁଜୀଙ୍କ ଶିଷ୍ୟତ୍ୱ ଗ୍ରହଣ କରିବା ପୂର୍ବରୁ ମୁଁ ବାପାଙ୍କ ମେଡିସିନ ଷ୍ଟୋର ସମ୍ଭାଳୁଥିଲି। ସେଇଠାରୁ ମୋର ଲୋକଙ୍କ ସେବା କରିବା ମନୋବୃତ୍ତି ସୃଷ୍ଟି ହୋଇଥିଲା। ଆଉ ଅସୁବିଧାରେ ଥିବା ରୋଗୀଙ୍କୁ ସାହାଯ୍ୟ କରିବା, ରକ୍ତ ଦେବା ସହ ମଶାଣୀରେ ଶବ ସଂସ୍କାରରେ ସାହାଯ୍ୟ ଆଦି କାର୍ଯ୍ୟ କରିବା ଆରମ୍ଭ କରିଥିଲି। ହେଲେ ୨୦୦୬ରେ ମତେ ମୋ ସାଙ୍ଗମାନେ ଶଙ୍କରାଚାର୍ଯ୍ୟ ମଠକୁ ନେଇ ଯାଇଥିଲେ। ସେତେବେଳେ ମୁଁ ଶଙ୍କରାଚାର୍ଯ୍ୟ କିଏ ବୋଲି ମଧ୍ୟ ଜାଣି ନ ଥିଲି। ମଠରେ ଗୁରୁଜୀ ମହାରାଜଙ୍କ ପ୍ରତି ବହୁ ବଡ ବଡ ଲୋକଙ୍କ ଶ୍ରଦ୍ଧା ଓ ଭକ୍ତି ଦେଖି ମୋର ହୃଦ୍‌ବୋଧ ହେଲା ଯେ, ଗୁରୁଜୀ ମହାରାଜଙ୍କ ପାଖରେ ନିଶ୍ଚୟ କିଛି ଅଲୌକିକ ଶକ୍ତି ଅଛି। ଧୀରେ ଧୀରେ ତାଙ୍କ ପ୍ରତି ଭକ୍ତି ଜାତ ହେଲା। ଆଉ ତାଙ୍କ ଶିଷ୍ୟ ପାଲଟିଗଲି। ୨୦୦୭ର କଥା ଦିନେ ମୁଁ ମଠରେ ଜିତେନ୍ଦ୍ର କୁମାର ମହାପାତ୍ର, ମନୋଜ ରଥ, କୃଷ୍ଣଚନ୍ଦ୍ର ଦାସ, ଶ୍ୟାମସୁନ୍ଦର ମହାପାତ୍ରଙ୍କ ସହ ଥାଏ। ଗୁରୁଜୀ ମହାରାଜ ମତେ ପ୍ରସ୍ତାବ ଦେଲେ ମହୋଦଧି ଆଳତି କରିବାକୁ। ଆଉ କହିଲେ, ‘କ୍ୟା ଆପ୍‌ କର ସକୋଗେ?’ ମୁଁ କହିଲି- ‘ଆପକା ଆଶୀର୍ବାଦ ମିଲେଗା ତୋ ହୋଯାଏଗା।’ ଗୁରୁଜୀ ମହାରାଜ ଆହୁରି ମଧ୍ୟ ବୁଝାଇ କହିଲେ, ‘ପ୍ରତିଦିନ ସନ୍ଧ୍ୟା ସମୟରେ ପ୍ରତ୍ୟେକ ଦେବାଦେବୀ ସମୁଦ୍ର ଜଳ ମାଧ୍ୟମ ଦେଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଆସନ୍ତି। ତେଣୁ ମହୋଦଧି ଆଳତି କରିବା ଅର୍ଥ ହେଉଛି ସବୁ ଦେବଦେବୀଙ୍କ ଆଳତି କରିବା। ଏହି କଥା ଶୁଣି ମୋ ଦେହରେ ଶିହରଣ ଖେଳି ଯାଇଥିଲା। ଆଉ ଭାବିଲି ଜଗନ୍ନାଥ ମହାପ୍ରଭୁଙ୍କ କରୁଣା ପାଇଁ ମତେ ଏହି ପୁଣ୍ୟ କାମ କରିବାକୁ ସୁଯୋଗ ମିଳିଲା। ଏହାର ମାତ୍ର ପାଞ୍ଚ ଦିନ ପରେ ହୋଇଥିଲା ପ୍ରଥମ ମହୋଦଧି ଆଳତି। ସେବେଠାରୁ ଗୁରୁଜୀ ମହାରାଜଙ୍କ ଆଦେଶକ୍ରମେ ମହୋଦଧି ଆଳତି କରିଆସୁଛି। ତେବେ ପୌଷ ପୂର୍ଣ୍ଣିମାରେ ପାଳିତ ହେଉଥିବା ବାର୍ଷିକ ଉତ୍ସବରେ ଗୁରୁଜୀ ମହାରାଜ ନିଶ୍ଚିତଭାବେ ଆଳତି କରନ୍ତି। ସେହିଦିନ ଆଳତି ବେଶ୍‌ ଆଡମ୍ବର ସହକାରେ ହୁଏ। ଗଜପତି ମହାରାଜ, ଓଡ଼ିଶା ତଥା ଓଡ଼ିଶା ବାହାରର ସାଧୁସନ୍ଥଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଏଥିରେ ଯୋଗ ଦିଅନ୍ତି। ଏହାବାଦ୍‌ ଚତୁର୍ମାସରେ ଗୁରୁଜୀ ମହାରାଜ ପୁରୀରେ ନିବାସ କରନ୍ତି। ଚତୁର୍ମାସ ଶେଷଦିନ ଯେବେ ସେ ସୀମା ପାର୍‌ (ବାଟ ମଙ୍ଗଳା ଅତିକ୍ରମ)କରନ୍ତି, ସେହିଦିନ ବି ସେ ମହୋଦଧି ଆଳତି କରନ୍ତି। ଏହି ଆଳତି ବିରାଟ ଆକାରରେ ହୋଇ ନ ଥାଏ। ଏବେ ମଠର ୧୪ଜଣ ବିଦ୍ୟାର୍ଥୀଙ୍କ ସହ ଅନ୍ୟ ଭକ୍ତ ବି ଆସୁଛନ୍ତି ଆଳତି କରିବାକୁ। ଆଳତି ବେଳେ ଆମେ କାହା ସହିତ କଥା ହୋଇ ନ ଥାଉ। ଆଳତିବେଳେ ସାଧାରଣତଃ କିସମିସ୍‌ ଭୋଗ ହୁଏ। ପ୍ରଥମେ ଦିନକୁ ୨୫୦ ଗ୍ରାମ ଭୋଗ ହେଉଥିଲା। ଏବେ ମାସକୁ ୫୦ କି.ଗ୍ରା କିସ୍‌ମିସ୍‌ ପ୍ରସାଦ କରାଯାଉଛି। ଆଳତି ସାମଗ୍ରୀରେ ରହୁଛି ୧୦-୧୨ କି.ଗ୍ରା କର୍ପୁର, ଘିଅ ଏକ ଟିଣ, ବଳିତା୨ କି.ଗ୍ରା., ମୁରୁଜ, ସମୁଦ୍ର ଭଗବାନଙ୍କ ପାଇଁ କାକୁଡି, କଦଳୀ, ମାଳା ଆଦି। ମାସକୁ ଖର୍ଚ୍ଚ ହେଉଛି ୫୦,୦୦୦ଟଙ୍କା। ବାର୍ଷିକ ଉତ୍ସବରେ ୧୦ଲକ୍ଷ ଟଙ୍କା ଖର୍ଚ୍ଚ ହୁଏ। ୨ କୁଇଣ୍ଟାଲ କିସ୍‌ମାସ୍‌ ସମୁଦ୍ର ଭଗବାନଙ୍କ ପାଇଁ ଭୋଗ କରି ଭକ୍ତଙ୍କ ମଧ୍ୟରେ ବଣ୍ଟାଯାଏ। “
ପଞ୍ଚତୀର୍ଥ ଆଳତି- ଶ୍ରୀକ୍ଷେତ୍ର ତଥା ଜଗନ୍ନାଥଧାମ ପୁରୀରେ ରହିଛି ପବିତ୍ର ପଞ୍ଚତୀର୍ଥ। ଏହା ହେଉଛି ପାଞ୍ଚୋଟି ପବିତ୍ର ଜଳାଶୟ। ଏଥିରେ ଶ୍ୱେତଗଙ୍ଗା ପୁଷ୍କରିଣୀ, ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ, ମାର୍କଣ୍ଡେୟ ପୁଷ୍କରିଣୀ ସହ ଶ୍ରୀମନ୍ଦିରସ୍ଥ ରୋହିଣୀ କୁଣ୍ଡ ଏବଂ ହରିଚଣ୍ଡୀ ସାହିସ୍ଥ ମଣିକର୍ନିକା କୁଅ ରହିଛି। ଗୁରୁଜୀ ମହାରାଜ ଶଙ୍କରାଚାର୍ଯ୍ୟଙ୍କ ମହୋଦଧି ଆଳତିରୁ ଅନୁପ୍ରାଣିତ ହୋଇ ପୁରୀର ‘ସାହି ଭାଇ’ ଅନୁଷ୍ଠାନ ପବିତ୍ର ଓ ପୌରାଣିକ ମହତ୍ୱ ସମ୍ପନ୍ନ ଜଳାଶୟଗୁଡିକର ଆଳତି ଆରମ୍ଭ କରିଛି। ଅନୁଷ୍ଠାନର ଉଦ୍ଦେଶ୍ୟ ହେଉଛି ଅବକ୍ଷୟମୁଖୀ ଏହି ପବିତ୍ର ଜଳାଶୟକୁ ଆଧ୍ୟାତ୍ମିକ ଭାବ ମାଧ୍ୟମରେ ପୁନରୁଦ୍ଧାର କରିବା। ସାହି ଭାଇ ଅନୁଷ୍ଠାନର ତନ୍ମୟ ଚାଟାର୍ଜୀ କହନ୍ତି, ”ମହୋଦଧି ଆଳତି ଭଳି ପଞ୍ଚ ତୀର୍ଥ ଆଳତି ହୁଏ। ମହୋଦଧି ଆଳତିର ସବୁ ନିୟମ ଏହି ଆଳତିରେ ବି ପାଳନ କରାଯାଏ। ଶଙ୍କରାଚାର୍ଯ୍ୟ ମଠରୁ କେତେଜଣ ଶିଷ୍ୟ ଆସି ଏହି ଆଳତି ସମ୍ପାଦନାରେ ସହଯୋଗ କରନ୍ତି। ମାସରେ ଥରେ ହୁଏ ଆଳତି। ଶ୍ୱେତ ଗଙ୍ଗା ପୁଷ୍କରିଣୀ ଆଳତିରୁ ପଞ୍ଚତୀର୍ଥ ପବିତ୍ର ପୁଷ୍କରିଣୀ ଆଳତି ଆରମ୍ଭ ହୋଇଥିଲା। ୨୦୧୯ ମାର୍ଚ୍ଚ ମାସ, ଗୋବିନ୍ଦ ଦ୍ୱାଦଶୀରେ ଏହି ପୁଷ୍କରିଣୀର ପ୍ରଥମ ଆଳତି ସମ୍ପନ୍ନ ହୋଇଥିଲା। ତେବେ ପ୍ରତି ମାସ ଶ୍ୱେତଗଙ୍ଗାର ଆଳତି ଶୁକ୍ଳ ଦ୍ୱାଦଶୀରେ ହୁଏ। ଜାନୁୟାରୀ ମାସ ସଂକ୍ରାନ୍ତିରୁ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ(କୁର୍ମକୁଣ୍ଡ)ଏବଂ ମାଘ ସପ୍ତମୀରୁ ମାର୍କଣ୍ଡେୟ ପୁଷ୍କରିଣୀ(ଦେବନୀତି ହେଉଥିବା)ରେ ଆଳତି ଆରମ୍ଭ ହୋଇଛି। ଶ୍ୱେତଗଙ୍ଗା ଆଳତିରେ ପୂଜାର ମନ୍ତ୍ରପାଠ ସାରିଲା ପରେ କେହି ଜଣେ ଦୀପ ନେଇ ପୋଖରୀ ମଝିରେ ଥିବା ମନ୍ଦିର(ଦୀପିଦାଣ୍ଡି)ରେ ଦୀପ ଜଳାନ୍ତି। ତା’ପରେ ଯାଇ ଆଳତି ଟେକାଯାଏ। ଇନ୍ଦ୍ରଦ୍ୟୁମ୍ନ ଓ ମାର୍କଣ୍ଡେୟରେ ଦୀପିଦାଣ୍ଡି ନ ଥିବାରୁ ପୋଖରୀ କୁଳରେ ହିଁ ବଡ ଦୀପ ଜଳାଯାଏ। ପ୍ରତିଥର ଆଳତିରେ ଦେଢ ହଜାରରୁ ଦୁଇ ହଜାର ଟଙ୍କା ଖର୍ଚ୍ଚ ହୁଏ। ଆଳତିରେ ଘିଅ ୨୦୦-୩୦୦ ଗ୍ରା., କର୍ପୁର ୨୦୦-୨୫୦ ଗ୍ରା., ପାଞ୍ଚ ପ୍ରକାର ଫଳ, ବଡ ସଳିତା ଆଦି ସାମଗ୍ରୀ ବ୍ୟବହାର ହୁଏ। ଦୀପ ପ୍ରସ୍ତୁତି ପାଇଁ ପିତ୍ତଳ ଦାନୀରେ ୨୦୦-୨୫୦ ଗ୍ରାମ କର୍ପୁର, ସଳିତା ୩୦ ବିଡା ରଖି ତା’ ଉପରେ ଘିଅ ଢଳାହୁଏ। ଏହା ଉପରେ ପୁଣି କର୍ପୁର ୧୦୦ ଗ୍ରାମ ପକାଯାଏ। ଆଉ ସେଥିରେ ଅଗ୍ନି ସଂଯୋଗ କରି ଆଳତି କରାଯାଏ। ସ୍ଥାନୀୟ ଭାଷାରେ ପିତ୍ତଳର ଏହି ଦାନୀକୁ ‘କାଠି’ କୁହାଯାଏ। ପଞ୍ଚତୀର୍ଥ ଆଳତିରେ ବ୍ୟବହୃତ ଦାନୀ ଶଙ୍କରାଚାର୍ଯ୍ୟ ମଠପ୍ରଦାନ କରିଛନ୍ତି। ସାହିଭାଈ ଅନୁଷ୍ଠାନ, ଶଙ୍କରା ଚାର୍ଯ୍ୟମଠର ଶିଷ୍ୟ, ସହ ସ୍ଥାନୀୟ ଅନୁଷ୍ଠାନ ସହଯୋଗରେ ସମ୍ପନ୍ନ ହୁଏ ଏହି ଆଳତି। ଶ୍ୱେତଗଙ୍ଗା ପୁଷ୍କରିଣୀ ଏବେ ସମ୍ପୂର୍ଣ୍ଣ ସ୍ବଚ୍ଛ ଅଛି। ହେଲେ ଇନ୍ଦ୍ରଦ୍ୟୁମ୍ନରେ ନଳା ପାଣି ପ୍ରବେଶ କରୁଛି। ମାର୍କଣ୍ଡେୟ ପୁଷ୍କରିଣୀ ନିକଟରେ ବସ୍ତି ଥିବାରୁ ଏଠାରେ ଏବେବି ଲୋକେ ଶୌଚ କରୁଛନ୍ତି। ତେଣୁ ଆଳତି, ପୂଜାର୍ଚ୍ଚନା ମାଧ୍ୟମରେ ଏହି ଦୁଇ ପୁଷ୍କରିଣୀର କିଭଳି ପୁନରୁଦ୍ଧାର ହୋଇପାରିବ ଆମେ ଚେଷ୍ଟା ଚଳାଇଛୁ। ଆଗାମୀ ଦିନରେ ରୋହିଣୀ କୁଣ୍ଡ ଓ ମଣିକର୍ନିକା କୁଅରେ ଆଳତି କରିବାକୁ ଯାଉଛୁ। ’
ଚିଲିକା ଆଳତି- ଚିଲିକା ମଧ୍ୟସ୍ଥ ଏକ ଛୋଟିଆ କୁଦ ହେଉଛି କାଙ୍କଣ ଶିଖରୀ। ପୌରାଣିକ ଓ ଐତିହାସିକ ତଥ୍ୟ କହେ, ଏକଦା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଏହି ସ୍ଥାନରେ ଗୋପନ ରହଣୀ ହୋଇଥିଲା। ରହଣୀ ସମୟରେ ସେ କାଙ୍କଡକୁ ନୈବେଦ୍ୟଭାବରେ ଗ୍ରହଣ କରିଥିଲେ। ତେଣୁ ଏହି ସ୍ଥାନର ନାମ ‘କାଙ୍କଣ ଶିଖରୀ’ ହୋଇଛି। ଏବେ ଏହି ସ୍ଥାନ ଆଉ ଏକ କାରଣ ପାଇଁ ଚର୍ଚ୍ଚାର କେନ୍ଦ୍ର ପାଲଟିଛି। ସେ ହେଉଛି ଗତ ଦୁଇ ବର୍ଷ ହେବ ଏଠାରେ ଅନୁଷ୍ଠିତ ହେଉଛି ‘ଚିଲିକା ଆଳତି’। ୨୦୧୯ରେ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସେବେଠାରୁ ପ୍ରତିବର୍ଷ ମାଘ ମାସରେ ଆୟୋଜିତ ବିଶ୍ୱଶାନ୍ତି ମହାଯଜ୍ଞ ଅବସରରେ ସନ୍ଧ୍ୟା ସମୟରେ ଚିଲିକା ଆଳତୀ କରାଯାଉଛି। ଏହା ତିନିଦିନ ବ୍ୟାପୀ ହୁଏ। ଚିଲିକାରେ କୌଣସି ପ୍ରାକୃତିକ ଦୁର୍ବିପାକ ନ ହେଉ, ଚିଲିକା ନିବାସୀଙ୍କ ମଙ୍ଗଳ ସହ ସାରା ବିଶ୍ୱର ମଙ୍ଗଳ ହେଉ, ଏହି କାମନା କରି ଉକ୍ତ ଆଳତୀର ଆୟୋଜନ ହେଉଛି ।
ମହାନଦୀରେ ମହାଆଳତି- ମହାନଦୀ ଉତ୍କଳର ଗଙ୍ଗା । ଏହାର ଉତ୍ପତ୍ତି ମାଳବ ଦେଶରୁ। ପୌରାଣିକ କଥାନୁସାରେ, ଥରେ ରାଜା ଇନ୍ଦ୍ରଦ୍ୟୁମ୍ନ ଯଜ୍ଞ କରୁଥିଲେ। ବିଭିନ୍ନ ପୂଜାର୍ଚ୍ଚନା ପରେ ଯଜ୍ଞ ଅନୁଷ୍ଠିତ ହେଲା। ଶେଷରେ ଯଜ୍ଞର ପୂର୍ଣ୍ଣାହୁତି ଦିଆଗଲା। ଆଉ ଇନ୍ଦ୍ରଦ୍ୟୁମ୍ନ କଳସରେ ଆଣିଥିବା ତିନି ପବିତ୍ର ନଦୀର ଜଳକୁ ବିସର୍ଜନ କରିବା ପାଇଁ କହିଲେ। ହେଲେ ଏହି ସମୟରେ ତିନି ପବିତ୍ର ନଦୀ କହିଲେ, ଆମେ ତୁମ ଉପରେ ବହୁତ ପ୍ରସନ୍ନ। ଆମକୁ ପୁନଃ ନଦୀରେ ନ ଛାଡି ବରଂ ଏହି ଯଜ୍ଞ କୁଣ୍ଡରେ ଢାଳିଦିଅ। ଆମ୍ଭେ ଏକାଠି ଯଜ୍ଞକୁଣ୍ଡରୁ ମହାନ୍‌ ଭାବେ ପ୍ରବାହିତ ହେବୁ। ଆଉ ମାଳବ ଦେଶରୁ ପ୍ରବାହିତ ହୋଇ ଓଡିଶା ଦେଇ ମହୋଦଧିରେ ମିଶିବୁ ଏବଂ ଆମ ନାଁ ‘ମହାନଦୀ’ ହେବ। ବିଶେଷ କରି କଟକର ମହାନଦୀ ଦିନେ ‘ଉତ୍କଳ ଗଙ୍ଗା’ ନାମରେ ପରିଚିତ ହେବ। ବହୁ ସାଧୁସନ୍ଥ ସେଠି ସ୍ନାନ କରି ପବିତ୍ରତା ଲାଭ କରିବେ।’ ପୌରାଣିକ ଓ ଐତିହାସିକ ମହତ୍ୱସମ୍ପନ୍ନ ଏହି ପବିତ୍ର ନଦୀ କିନ୍ତୁ ଏବେ ଆବର୍ଜନାମୟ ହୋଇଗଲାଣି। ହରାଇବାକୁ ବସିଲାଣି ଏହାର ପବିତ୍ରତା ଓ ମହନୀୟତା। ତେଣୁ କଟକ, ଛତିଆସ୍ଥ ସୋଲର ଗ୍ରାମରେ ଥିବା ଉଦାସ ଆଶ୍ରମ ତରଫରୁ ଆରମ୍ଭ ହୋଇଛି ‘ମହାନଦୀ ଆଳତି’। ୨୦୧୮, ଅଗଷ୍ଟ ୫ ତାରିଖରେ ଆଶ୍ରମର ମୁଖ୍ୟ ବ୍ରହ୍ମଚାରୀ ରବିନ୍ଦ୍ରନାଥ ଦାସ ଏହି ଆଳତି ଆରମ୍ଭ କରିଥିଲେ। ବ୍ରହ୍ମଚାରୀ ରବିନ୍ଦ୍ରନାଥ କହନ୍ତି, ‘’ନଦୀ, ନାରୀ ଓ ସାଧୁ ସବୁବେଳେ ପୂଜନୀୟ। କିନ୍ତୁ ନଦନଦୀ ଏବେ ଅବହେଳିତ। ହରାଇବାକୁ ବସିଲେଣି ସେମାନଙ୍କ ସତ୍ତା। ସିଦ୍ଧ ସନ୍ଥଙ୍କୁ ମିଳୁନି ଉପଯୁକ୍ତ ସମ୍ମାନ। ନାରୀ ବି ଆଜି ଅବହେଳିତା, ଲାଞ୍ଛିତା। ସେଇଥିପାଇଁ ତ ବିଭିନ୍ନ ସମୟରେ ସାମ୍‌ନା କରିବାକୁ ପଡୁଛି ମହାବିପତ୍ତି ଓ ପ୍ରଳୟ। ଆଉ ଏସବୁର ଏକମାତ୍ର ସମାଧାନ ହେଉଛି ଆଳତି। ତେଣୁ ମହାନଦୀ ଆଳତି ସହ ଆଶ୍ରମ ତରଫରୁ ଏବେ ବିଭିନ୍ନ ନଦୀର ଆଳତି କରାଯାଉଛି। ଉତିମଧ୍ୟରେ ଆମେ ବାଜିରାଉତ ଘାଟରେ ବ୍ରାହ୍ମଣୀ ନଦୀର ଆଳତି, ଦେବୀନଦୀର ଆଳତି, ପୁଣ୍ୟତୋୟା ଗଙ୍ଗା ନଦୀର ବି ଆଳତି କରିଛୁ। ଦିଲ୍ଲୀରେ ମଧ୍ୟ ଯମୁନା ନଦୀ ଆଳତୀ କରିଥିଲୁ। କଲିକତାରେ ଗଙ୍ଗାନଦୀ ଆଳତି କରିଛୁ। ଆଶ୍ରମର ମୂଳଲକ୍ଷ୍ୟ ହେଉଛି ଆଳତି ମାଧ୍ୟମରେ ସମାଜର ମଙ୍ଗଳ କାମନା କରିବା। ଆମେରିକା ଯାଇ ମଧ୍ୟ ସେଠାରେ ଆଳତି କରିବାର ଯୋଜନା କରିଛୁ।“
ଗଙ୍ଗା ଆଳତି- ପବିତ୍ର ଗଙ୍ଗା ନଦୀଙ୍କ ଆଳତି ପ୍ରତିଦିନ ସୂର୍ଯ୍ୟାସ୍ତ ପରେ ହୁଏ। ଆଉ ୪୫ ମିନିଟ୍‌ ପର୍ଯ୍ୟନ୍ତ କରାଯାଏ। ମଙ୍ଗଳବାର ଓ ଖାସ୍‌ ଧାର୍ମିକ ଉତ୍ସବରେ ସ୍ବତନ୍ତ୍ର ଆଳତି କରାଯାଏ। ଖରାଦିନେ ସୂର୍ଯ୍ୟାସ୍ତ ବିଳମ୍ବରେ ହେଉଥିବାରୁ ଆଳତି ସନ୍ଧ୍ୟା ୭ଟାରେ ଆରମ୍ଭ ହୁଏ। ଶୀତଦିନେ ପାଖାପାଖି ୬ଟାବେଳକୁ ଆଳତି ଆରମ୍ଭ ହୋଇଯାଏ। ହଜାର ହଜାର ସଂଖ୍ୟାରେ ଭକ୍ତ ଏଠାରେ ଏକତ୍ରିତ ହୁଅନ୍ତି ଏହି ଦିବ୍ୟ ଆଳତି ଦେଖିବା ପାଇଁ। ପ୍ରତିବର୍ଷ ମେ’ ଜୁନ୍‌ରେ ପଡ଼େ ‘ଗଙ୍ଗା ଦଶହରା’। ଏହିଦିନ ଆଳତିର ମହତ୍ତ୍ୱ ବେଶି। ବିଶ୍ୱାସ କରାଯାଏ, ମା’ ଗଙ୍ଗା ସ୍ବର୍ଗରୁ ପୃଥିବୀକୁ ସେହି ସମୟରେ ଅବତରଣ କରିଥିଲେ। ଆଳତି ସମୟରେ ଗଙ୍ଗାନଦୀକୁ ମୁହଁ କରି ଅନେକ ପୂଜକ ଏକାସାଙ୍ଗରେ ହାତରେ ଦୀପ ଧରି ଘଣ୍ଟା କଣ୍ଟା ଗତି କରୁଥିବା ଦିଗରେ ଦୀପକୁ ବୁଲାଇ ମନ୍ତ୍ର ଜପ କରି ଆଳତି କରନ୍ତି। ପ୍ରତିଦିନ ସନ୍ଧ୍ୟାବେଳେ ହରିଦ୍ୱାର, ଋଷିକେଶ ଏବଂ ବାରାଣସୀର ଗଙ୍ଗାଘାଟରେ ଏହି ଆଳତି ହୋଇଥାଏ। ଆଉ ଏହି ଆଳତି ମଧ୍ୟ ଭିନ୍ନ ଭିନ୍ନ ପ୍ରକାରର।
୧. ହରିଦ୍ୱାର ଗଙ୍ଗା ଆଳତି ‘ହର୍‌-କି-ପୌରି’ ଘାଟରେ ଆୟୋଜନ କରାଯାଏ। ଏହି ଘାଟର ନାମର ଅର୍ଥ ହେଉଛି ‘ଈଶ୍ୱରଙ୍କ ଚରଣ’। ପ୍ରତିଦିନ ସନ୍ଧ୍ୟା ୬-୭ଟାରେ ଏଠାରେ ଗଙ୍ଗା ଆଳତି ହୁଏ। ମନ୍ତ୍ରପାଠ ସହ ପୂଜକମାନେ ହାତରେ ବଡ଼ବଡ଼ ଦୀପ ଧରି ଆଳତି କରନ୍ତି। ଭକ୍ତମାନେ ଦୀପ ଜଳାଇ ସେଥିରେ ଫୁଲ ରଖି ଗଙ୍ଗାନଦୀରେ ଭସାଇ ଥାଆନ୍ତି।
୨.ଋଷିକେଶରେ ଗଙ୍ଗା ଆଳତି ତିନୋଟି ଗଙ୍ଗାଘାଟରେ ହୁଏ। ସେ ହେଉଛି ପରମାର୍ଥ ନିକେତନ ଆଶ୍ରମ ଘାଟ, ତ୍ରିବେଣୀ ଘାଟ ଏବଂ ରାମଝୁଲା ପାର୍କିଂଘାଟ। କିନ୍ତୁ ପରମାର୍ଥ ନିକେତନ ଘାଟର ଗଙ୍ଗା ଆଳତି ସମସ୍ତଙ୍କୁ ଆକୃଷ୍ଟ କରିଥାଏ। ଏଠାରେ ମନ୍ତ୍ରପାଠ ସହ ୪୫ ମିନିଟ୍‌ର ଆଳତି ହୁଏ। ପରିବେଶ ବିଶୁଦ୍ଧୀକରଣ ପାଇଁ ଆଳତିରେ କିଛି ଔଷଧୀୟ ଚେରମୂଳି ବ୍ୟବହାର କରାଯାଏ। ଏହି ଆଳତିର ବିଶେଷତ୍ୱ ହେଉଛି, ଏହାକୁ ପୂଜକ ନ କରି ଆଶ୍ରମ ନିବାସୀ ତଥା ବେଦ ଶିକ୍ଷା କରୁଥିବା ଛାତ୍ର ଏହି ଆଳତି କରନ୍ତି। ଭଜନ, ପ୍ରାର୍ଥନା ସହ ଯଜ୍ଞ ହୁଏ। ଦୀପ ଜଳାଯାଏ ଏବଂ ଉତ୍ସବର ଶେଷକୁ ଆଳତି ହୁଏ। ଆଶ୍ରମର ମୁଖ୍ୟଙ୍କ ସହ ଛୋଟପିଲା ମିଶି ଭକ୍ତି ସଙ୍ଗୀତ ଗାନ କରନ୍ତି।
୩. ବାରାଣସୀରେ ଗଙ୍ଗା ଆଳତି ସୂର୍ଯ୍ୟାସ୍ତ ପରେ କାଶୀ ବିଶ୍ୱନାଥ ମନ୍ଦିର ନିକଟସ୍ଥ ଦଶାଶ୍ୱମେଧ ଘାଟରେ ଆୟୋଜିତ ହୁଏ। ହରିଦ୍ୱାର ଓ ଋଷିକେଶର ଗଙ୍ଗା ଆଳତିଠାରୁ ଏହି ଆଳତି ଭିନ୍ନ। ଏଠାରେ ଆଳତି ଏକ ଷ୍ଟେଜ୍‌ରେ ଯୁବ ପଣ୍ଡିତଙ୍କ ଦ୍ୱାରା ହୁଏ। ଶଙ୍ଖ ବଜାଇ ଆଳତିର ଶୁଭାରମ୍ଭ ହୁଏ। ଧୂପ ଜଳାଇ, ମନ୍ତ୍ରପାଠର ତାଳେତାଳେ ବଡ଼ ବଡ଼ ଦୀପକୁ ବୁଲାଯାଇ ଆଳତି କରାଯାଏ। କାର୍ତ୍ତିକ ପୂର୍ଣ୍ଣିମାରେ ଏଠାରେ ଆୟୋଜନ ହୁଏ ‘ମହାଆଳତି’। ବାରାଣସୀରେ ସୂର୍ଯ୍ୟୋଦୟ ଆଳତି ବି ହୁଏ, ଯାହାକୁ ସୁବହ- ବନାରସ ଆୟୋଜନ କରୁଛି।
ଓଡ଼ିଶାର ପ୍ରମୁଖ ଦେବଦେବୀଙ୍କ ଆଳତି
ମହାପ୍ରଭୁ ଜଗନ୍ନାଥଙ୍କ ଆଳତି- ମହାପ୍ରଭୁଙ୍କ ଜଗନ୍ନାଥଙ୍କର ଅନେକ ନୀତି। ସେହିଭଳି ଅନେକ ପ୍ରକାରର ଆଳତି ବି ହୁଏ। ତାଙ୍କର ଛଅଟି ଭୋଗର ଛଅ ଆଳତି। ସକାଳେ ମଙ୍ଗଳା ଆଳତି, ସନ୍ଧ୍ୟାରେ ସନ୍ଧ୍ୟା ଆଳତି, ଶୟନବେଳେ ପହୁଡ଼ ଆଳତି। ମହାପ୍ରଭୁଙ୍କ ଆଳତିର ସମୟ କମ୍‌। ଭିନ୍ନଭିନ୍ନ ସେବାୟତ ଏଥିରେ ନିଯୁକ୍ତ ହୋଇଥାଆନ୍ତି। କର୍ପୂର ଆଳତି ସହ ଚାଉଳ ବଟା ହୋଇ ଏକ ସ୍ବତନ୍ତ୍ର ଆଳତି ହୁଏ। ମଙ୍ଗଳା ଆଳତି ଓ ସନ୍ଧ୍ୟା ଆଳତି ହେଉଛି ମୁଖ୍ୟ ଆଳତି।
ଲିଙ୍ଗରାଜ ମହାପ୍ରଭୁଙ୍କ ଆଳତି: ‘ପ୍ରାତଃ ଦ୍ୱାର ଖୋଲିବା ପରେ ସାରା ବିଶ୍ୱର ମଙ୍ଗଳ କାମନା କରି ‘ମଙ୍ଗଳା ଆଳତି’ କରାଯାଏ। ଏହାପରେ ‘ସକାଳ ଧୂପ’ ଆଳତିରେ କର୍ପୂର ଆଳତି, ସାତଦୀପ ଆଳତି, ପିଠଉ ଆଳତି, ପାତ୍ରୀ ଆଳତି ହୋଇଥାଏ। ‘ଦ୍ୱିପ୍ରହର ଧୂପ’ ଏବଂ ‘ସନ୍ଧ୍ୟାଧୂପ’ରେ ମଧ୍ୟ ଏହିସବୁ ଆଳତି ହୁଏ। ‘ବଡ଼ସିଂହାର ଆଳତି’ ବା ‘ପଞ୍ଚବକ୍ର ଆଳତି’ ପହଡ଼ ପଡ଼ିବା ପୂର୍ବରୁ କଳାଘାଟ ଦ୍ୱାରଠାରେ ହୋଇଥାଏ। ‘ପହଡ଼ ଆଳତି’ ବା ‘ଶୟନ ଆଳତି’ ମନ୍ଦିର ପହଡ଼ ପଡ଼ିବାବେଳେ ହୋଇଥାଏ। ‘ଉତ୍ଥାପନ ଆଳତି’ ପହଡ଼ ଖୋଲିବା ସମୟରେ ହୋଇଥାଏ। ଶ୍ରୀଜୀଉମାନେ ଯାତ୍ରା ସମୟରେ ଶ୍ରୀଜୀଉଙ୍କ ଚଳନ୍ତି ପ୍ରତିମା ବାହାରକୁ ଯିବବେଳେ ଏହି ଆଳତି ଆଡ଼କାଠ ନିକଟରେ ‘ଭେଟ ଆଳତି’ ହୋଇଥାଏ। ସେହିଭଳି ‘ବିଭୀଷଣ ଆଳତି’ ରଥଯାତ୍ରା, ଦୋଳପୂର୍ଣ୍ଣିମା ଦିନ ବିଭୀଷଣ ଦ୍ୱାରଠାରେ ଚଳନ୍ତି ପ୍ରତିମାଙ୍କୁ ସମର୍ପିତ କରି ହୋଇଥାଏ। ଶ୍ରୀଜୀଉମାନେ ବାହାରର ଯେଉଁସବୁ ମନ୍ଦିରକୁ ଭୋଗ ଖାଇବାକୁ ଯାଇଥାଆନ୍ତି, ସେହି ମନ୍ଦିରର ମୁଖ୍ୟ ଦେବତାଙ୍କ ସହ ‘ଭେଟ ଆଳତି’ କରାଯାଇଥାଏ। ଦୋଳବେଦୀରେ ଶ୍ରୀଜୀଉଙ୍କ ‘ଭେଟ ଆଳତି’ ଏବଂ ହରିହର ଭେଟରେ ‘ଭେଟ ଆଳତି’ କରାଯାଇଥାଏ। ଏହିସବୁ ଆଳତି ସଂସାରର ମଙ୍ଗଳ ପାଇଁ କରାଯାଇଥାଏ ବୋଲି,’ ବରିଷ୍ଠ ସେବାୟତ କାଶୀନାଥ ପୂଜାପଣ୍ଡା କହନ୍ତି।
କଟକଚଣ୍ଡୀଙ୍କ ଆଳତି- ‘ମା’ଙ୍କର ପ୍ରାତଃ ୫ଟା୧୫ରେ ପହଡ଼ ଫିଟେ। ଏହାପରେ ମଙ୍ଗଳା ଆଳତି ଆରମ୍ଭ ହୁଏ। ୧୫ ମିନିଟ ଆଳତି ହେବା ପରେ ମାର୍ଜନା ନୀତି ହୁଏ। ୬ଟାରେ ମା’ଙ୍କ ଶ୍ରୀଙ୍ଗାର ଆରମ୍ଭ ହୁଏ। ୭ଟା ପରେ ଭକ୍ତମାନେ ମା’ଙ୍କ ବେଶ ଦର୍ଶନ କରନ୍ତି। ପ୍ରଥମ ପୂଜା ବା ପ୍ରଥମ ଆଳତି ୭ଟା ୩୦ରେ ହୁଏ। ଏହାକୁ ବାଳଭୋଗ ବା ପ୍ରଥମ ଧୂପ କୁହାଯାଏ। ଏହାପରେ ପୁଣି ମା’ଙ୍କ ଦୈନିକ ଦର୍ଶନ ଚାଲେ। ମଧ୍ୟାହ୍ନ ଧୂପ ସହ ମଧ୍ୟାହ୍ନ ଆଳତି ୧୨ଟାରୁ ୧ଟା ଭିତରେ ହୁଏ। ୧ଟା ୩୦ରେ ପହଡ଼ ପଡ଼େ। ୪ଟାରେ ପହଡ଼ ଖୋଲେ। ସନ୍ଧ୍ୟା ଆଳତି ୬ଟାରୁ ୭ଟା ଭିତରେ ହୁଏ। ପୁଣି ଭକ୍ତଙ୍କୁ ମା’ ଦର୍ଶନ ଦିଅନ୍ତି। ରାତି ୯ଟାରେ ଶେଷପୂଜା ଓ ଶେଷ ଆଳତି ହୁଏ। ଏଥିରେ ଅନ୍ନ ଭୋଗହୁଏ। ଏମିତି ପ୍ରତିଦିନ ୫ ଥର ଯଥା- ମଙ୍ଗଳା ଆଳତି, ବାଳଭୋଗ ଆଳତି, ମଧ୍ୟାହ୍ନ ଧୂପ ଆଳତି, ସନ୍ଧ୍ୟା ଆଳତି, ରାତ୍ରିଧୂପ ଆଳତି ହୁଏ। ଏହାବାଦ୍‌ ପ୍ରତି ଗୁରୁବାର ମା’ ସୁନାବେଶ ହୁଅନ୍ତି ଏବଂ ୫୪ ଆଳତି ହୁଏ। ସଂକ୍ରାନ୍ତିରେ ୧୦୮ ଆଳତି ହୁଏ। ବର୍ଷକରେ ଦୁଇ ଥର ବାସନ୍ତିକ ଦୁର୍ଗାପୂଜା ଓ ଦଶହରାରେ ‘ବଡ଼ ପୂଜା’ ହୁଏ। ଏଥିରେ ରାତିରେ ୧୦୮ ଆଳତି ହୁଏ,’ ବୋଲି କହନ୍ତି ମା’ କଟକଚଣ୍ଡୀଙ୍କ ପୂଜକ ରଞ୍ଜିତ ପଣ୍ଡା।
ହିନ୍ଦୁଧର୍ମରେ ବିଶ୍ୱାସ ରହିଛି ଯେ, ଆଳତୀ ମାଧ୍ୟମରେ ଦେବଦେବୀ ସନ୍ତୁଷ୍ଟ ହୁଅନ୍ତି। ଆଉ ତାଙ୍କ ଆଶିଷପ୍ରାପ୍ତିରେ ହୁଏ ସମାଜର ମଙ୍ଗଳ। ସେଥିପାଇଁ ଆଳତୀର ମହତ୍ୱ ହିନ୍ଦୁଧର୍ମରେ ଢେର୍‌ ବେଶି।
-ଶିବାନୀ ମହାନ୍ତି
ତଥ୍ୟ ସହାୟତା- ଅଭିଜିତ ଚନ୍ଦ୍ର, ସୁବାସ ଚନ୍ଦ୍ର ପ୍ରଧାନ
ଯଜ୍ଞେଶ୍ୱର ମହାନ୍ତି (ଫଟୋ,ତଥ୍ୟ)


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri