Categories: ଖେଳ

ଏହି କାରଣରୁ ପୁଣି ଥରେ ଫେଲ୍‌ ହୋଇପାରେ ଆରସିବି

ଚେନ୍ନାଇ, ୪ା୪- ବିଶ୍ୱର ସବୁଠୁ ବିତ୍ତଶାଳୀ କ୍ରିକେଟ ଲିଗ୍‌ ଆଇପିଏଲ ଆରମ୍ଭ ହେବାକୁ ଆଉ ମାତ୍ର କେଇଟା ଦିନ ରହିଲା। ଏଥର ମଧ୍ୟ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ପ୍ଲେଅଫ୍‌ରେ ପ୍ରବେଶ କରିପାରିବ ନାହିଁ। ଏଭଳି ମତ ଦେଇଛନ୍ତି କ୍ରିକେଟ ପଣ୍ଡିତ ତଥା କମେଣ୍ଟଟେଟର ଆକାଶ ଚୋପ୍ରା।

ନିଜ ୟୁଟ୍ୟୁବ ଚ୍ୟାନେଲରେ ଆକାଶ କହିଛନ୍ତି, ମୋତେ ଲାଗୁନି ସେମାନେ ଏଥର ପ୍ଲେ-ଅଫ୍ସକୁ ଯୋଗ୍ୟତା ଅର୍ଜନ କରିବେ। ୩-୪ ବର୍ଷ ପରେ ସେମାନେ ଗତ ସିଜନରେ ଅନ୍ତିମ-୪ରେ ସ୍ଥାନ ପାଇଥିଲେ। କିନ୍ତୁ ଶେଷ ଆଡ଼କୁ ଲଗାତାର ପରାଜୟ ଯୋଗୁ ଏଲିମିନେଟରରୁ ବିଦାୟ ନେଇଥିଲା ଆରସିବି। ଦଳ ଆରମ୍ଭରୁ ହିଁ ଅସୁବିଧାର ସମ୍ମୁଖୀନ ହେବ। ଯଦି ଦଳକୁ ଭଲ ଆରମ୍ଭ ନ ମିଳିଲା, ତେବେ ଦଳ ଏକତ୍ରିତ ହୋଇ ଖେଳି ହେବ ନାହିଁ। ଆଗରୁ ଦଳର ସବୁଠୁ ବଡ଼ ସମସ୍ୟା ଥିଲା ଫିନିଶିଂ। ଆଉ ଏବେ ଗ୍ଲେନ ମ୍ୟାକ୍ସଓ୍ବେଲଙ୍କୁ ଛାଡ଼ି ଦେଲେ ଦଳ ପାଖରେ ଥିବା ଖେଳାଳିଙ୍କ ସେତେଟା ଅଭିଜ୍ଞତା ନାହିଁ। ଆରସିବି ଚାହିଁବି ମ୍ୟାକ୍ସଓ୍ବେଲଙ୍କୁ ଅଧିକରୁ ଅଧିକ ବଲ ଖେଳିବାକୁ ମିଳୁ। ଏଣୁ ଦଳ ତାଙ୍କୁ ଚତୁର୍ଥ ନହେଲେ ୫ମରେ ପଠାଇବ। ଏମିତି ହେଲେ ଦଳକୁ ବଡ଼ ଟାର୍ଗେଟରେ ପହଞ୍ଚାଇବା ଦାୟିତ୍ୱ ଡେବ୍ୟୁଟାଣ୍ଟ ରଜଦ ପଟିଦାର, ଡାନିଏଲ କ୍ରିଷ୍ଟିଆନ, କାଏଲ ଜାମିଶନ ଓ ଓ୍ବାଶିଂଟନ ସୁନ୍ଦରଙ୍କୁ ସମ୍ଭାଳିବାକୁ ପଡ଼ିପାରେ। ତେବେ ଏମାନଙ୍କ ପ୍ରଦର୍ଶନ ଉପରେ ଆରସିବିର ଭାଗ୍ୟ ନିର୍ଭର କରିବ।

Share