ଆଜ୍‌ ପୁରାନି ରାହୋ ସେ କୋଇ ମୁଝେ ଆଓ୍ବାଜ ନା ଦେ…

ମୁମ୍ବାଇ: ବଲିଉଡ୍‌ର ଟ୍ରାଜେଡି କିଙ୍ଗ୍‌ ଭାବେ ପରିଚିତି ହାସଲ କରିଥିବା ପ୍ରଥମ ସୁପରଷ୍ଟାର୍‌ ଦିଲ୍ଲୀପ୍‌ କୁମାରଙ୍କ ପରଲୋକ ଘଟିଛି। ତେବେ ତାଙ୍କର ଦୀର୍ଘ ୬୫ ବର୍ଷର ଅଭିନୟ ସବୁବେଳ ପାଇଁ ସ୍ମୃତି ହୋଇ ରହିଯାଇଛି। ଦିଲ୍ଲୀପ୍‌ଙ୍କ ପ୍ରକୃତ ନାମ ମହମ୍ମଦ୍‌ ୟୁସୁଫ୍‌ ଖାଁ ଥିଲା। ୧୯୪୪ରେ ଜୁଆର ଭଟ୍ଟା ଜୀବନ ଫିଲ୍ମ ମାଧ୍ୟମରେ ସେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହାର ନିର୍ମାଣ ବମ୍ବେ ଟକିଜ୍‌ ଦ୍ୱାରା କରାଯାଇଥିଲା। ୧୯୪୯ରେ ଅନ୍ଦାଜ୍‌, ୧୯୫୨ରେ ଆନ୍‌, ୧୯୫୨ରେ ଦାଗ୍‌, ୧୯୫୫ରେ ଦେବଦାସ୍‌, ୧୯୫୫ରେ ଆଜାଦ୍‌ରେ ଅଭିନୟ କରି ବେଶ୍‌ ସଫଳତା ପ୍ରଶଂସା ସାଉଁଟିଥିଲେ।

ତେବେ ୧୯୬୦ରେ ମୋଗଲ-ଇ-ଆଜମ୍‌ରେ ଅଭିନୟ କରି ସେ ରାତାରାତି ଖ୍ୟାତି ହାସଲ କରିଥିଲେ। ଏହି ଐତିହାସିକ ଫିଲ୍ମରେ ପିତା ଆକବରଙ୍କ ଭୂମିକାରେ ଅଭିନୟ କରୁଥିବା ପୃଥିରାଜ କପୁର ବିରୋଧରେ ସଲିମ୍‌ ପାଲଟି ସେ କଡ଼ା ଟକ୍କର ଦେଇଥିଲେ। ଭରା ରାଜ ଦରବାରରେ ଅନାରକଲ୍ଲୀଙ୍କୁ ଭଲ ପାଉଥିବା ସମ୍ପର୍କରେ ଘୋଷଣା କରିଥିଲେ। ଫିଲ୍ମର ଜବ୍‌ ପ୍ୟାର୍‌ କିୟା ତୋ ଡର୍‌ନା କ୍ୟା…ଗୀତ ସବୁବେଳ ପାଇଁ ସଭିଙ୍କୁ ରୋମାଞ୍ଚିତ କରିଆସୁଛି। ୧୯୬୧ରେ ଗଙ୍ଗା ଯମୁନା, ୧୯୬୭ରେ ରାମ୍‌ ଔର ଶ୍ୟାମ୍‌ରେ ଅଭିନୟ କରିଥିଲେ।

୧୯୬୮ରେ ଆଦ୍‌ମୀ ଫିଲ୍ମରେ ତାଙ୍କର ଅଭିନୟ ବେଶ୍‌ ଉଚ୍ଚକୋଟିର ଥିଲା। ଏହି ଫିଲ୍ମର ଗୀତ ଆଜ୍‌ ପୁରାନି ରାହୋ ସେ କୋଇ ମୁଝେ ଆଓ୍ବାଜ ନା ଦେ… ଦିଲ୍ଲୀପଙ୍କ ପ୍ରଶଂସକଙ୍କୁ ସବୁବେଳେ ଭାବୁକ କରିଆସିଛି। ୧୯୭୬ରେ ଦିଲ୍ଲୀପ କୁମାର ୫ ବର୍ଷ ପାଇଁ ଆଉ କୌଣସି ଫିିଲ୍ମରେ ଅଭିନୟ କରି ନ ଥିଲେ। ପରେ ୧୯୮୧ରେ କ୍ରାନ୍ତି ଫିଲ୍ମରେ ସେ ଅଭିନୟ କରିଥିଲେ। ସେହିପରି ୧୯୮୨ରେ ବିଗ୍‌ ବି ଅମିତାଭ୍‌ ବଚ୍ଚନଙ୍କ ସହିତ ଜଣେ ସଚ୍ଚୋଟ ପୋଲିସ ଅଫିସର ଭୂମିକାରେ ଅଭିନୟ କରି ବଲିଉଡ୍‌ରେ ନୂଆ ଅଧ୍ୟାୟ ସୃଷ୍ଟି କରିଥିଲେ। ୧୯୮୪ରେ ମଶାଲ୍‌, ୧୯୮୬ରେ କର୍‌ମାରେ ଅଭିନୟ କରିଥିଲେ।

କର୍‌ମା ଫିଲ୍ମର ଦିଲ୍‌ ଦିଆ ହୈ ଜାନ୍‌ ଭି ଦେଙ୍ଗେ ଏ ଓ୍ବତନ୍‌ ତେରେ ଲିଏ… ଗୀତ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଦେଶପ୍ରେମ ଭାବନା ସବୁବେଳ ପାଇଁ ଜାଗ୍ରତ କରିବାକୁ ସକ୍ଷମ ହେଉଥିବ।

୧୯୯୧ରେ ରାଜକୁମାରଙ୍କ ସହିତ ସେ ସୌଦାଗର ଫିଲ୍ମରେ ଅଭିନୟ କରିଥିଲେ। ଏହି ଫିଲ୍ମର ଗୀତ ଇମ୍‌ଲି କା ବୁଟା ବେରି କା ପେର୍‌.. ଗୀତଟି ବେଶ୍‌ ଲୋକପ୍ରିୟ ହୋଇପାରିଥିଲା। ୧୯୯୮ରେ ସେ କିଲା ଫିଲ୍ମରେ ଶେଷ ଅଭିନୟ କରିଥିଲେ।

 

Share