କଲ୍ୟାଣସିଂହପୁର,୨୯ା୮(ଦୀପକ କୁମାର ପରିଡ଼ା): ସରକାରୀ ସୁବିଧା ସୁଯୋଗ ଯୋଗାଇବା ପାଇଁ ପ୍ରଶାସନ ପକ୍ଷରୁ କରାଯାଇଥିବା ଆଧାର ଶିବିର ଏବେ ନିୟମଗିରିର ଡଙ୍ଗରିଆ କନ୍ଧମାନଙ୍କ ପାଇଁ ନୂଆ ସମସ୍ୟା ଛିଡ଼ା କରିଛି। ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ପାର୍ସାଲୀ ପଞ୍ଚାୟତ ସଦରରେ ଅନୁଷ୍ଠିତ ମାଗଣା ଆଧାର କ୍ୟାମ୍ପରେ ବ୍ୟାପକ ତ୍ରୁଟି ଦେଖିବାକୁ ମିଳିଛି। ପାହାଡ଼ିଆ ଅଞ୍ଚଳର ଶିଶୁମାନଙ୍କୁ ଆଭା (ABHA) ଆଇଡି, ଅଙ୍ଗନଓ୍ବାଡ଼ି ପୋଷଣ ଯୋଜନା ଓ ବିଦ୍ୟାଳୟରେ ନାମଲେଖାର ସୁବିଧା ପାଇଁ ଏହି କ୍ୟାମ୍ପ ଆୟୋଜନ ହୋଇଥିଲା। ତେବେ ନୂତନ ଭାବେ ତିଆରି ହୋଇଥିବା ଅଧିକାଂଶ ଆଧାର କାର୍ଡରେ ପୂର୍ଣ୍ଣ ଜନ୍ମ ତାରିଖ (DOB) ବଦଳରେ କେବଳ ବର୍ଷ କିମ୍ବା ମାସ ଉଲ୍ଲେଖ ରହିଛି। ଫଳରେ ସମ୍ପୂର୍ଣ୍ଣ ତାରିଖ ନ ଥିବାରୁ ଏହି କାର୍ଡ କୌଣସି ସରକାରୀ ଯୋଜନାରେ ବ୍ୟବହାର ହୋଇପାରୁନାହିଁ।
ଏହି ସମସ୍ୟା ବାବଦରେ ଆଧାର ଅପରେଟରଙ୍କୁ ପଚାରିବାରୁ ସେ କହିଛନ୍ତି, ଚିକିତ୍ସାଳୟ ପକ୍ଷରୁ ହିତାଧିକାରୀଙ୍କୁ ଡିଜିଟାଲ ଜନ୍ମ ପ୍ରମାଣପତ୍ର ବଦଳରେ ହାତଲେଖା କାଗଜ ଦିଆଯାଉଛି।
ଅନ୍ୟପଟେ ଏ ସମ୍ପର୍କରେ ମେଡିକାଲ ଅଫିସର ଡାକ୍ତର ସୌମ୍ୟରଞ୍ଜନ ଜେନାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଅରିଜିନାଲ ଜନ୍ମ ପ୍ରମାଣପତ୍ର ପାଇଁ ଲୋକଙ୍କୁ ଜନସେବା କେନ୍ଦ୍ରକୁ ଯାଇ ଆବେଦନ କରିବାକୁ ପଡ଼ିବ, ତା’ପରେ ହିଁ ସେମାନେ ମୂଳ ପ୍ରମାଣପତ୍ର ପାଇପାରିବେ। ତେବେ ଡାକ୍ତରଖାନା ଓ ପ୍ରଶାସନର ଏଭଳି ନିୟମ ଭିତରେ ନିରୀହ ଡଙ୍ଗରିଆ ପରିବାରଗୁଡ଼ିକ ନାହିଁ ନ ଥିବା ହଇରାଣ ହେଉଛନ୍ତି। ଏହି ଭୁଲ୍ ସଂଶୋଧନ କରିବା ପାଇଁ ସେମାନଙ୍କୁ ଦୁର୍ଗମ ପାହାଡ଼ ଅତିକ୍ରମ କରି କଲ୍ୟାଣସିଂହପୁର ବ୍ଲକ ସଦରମହକୁମାକୁ ଯିବା ସହ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ପଞ୍ଚାୟତ ସ୍ତରରେ ସ୍ବତନ୍ତ୍ର ଶିବିର ଜରିଆରେ ଉଭୟ ଡିଜିଟାଲ ଜନ୍ମ ପ୍ରମାଣପତ୍ର ଓ ଆଧାର ସଂଶୋଧନ ସୁବିଧା ଯୋଗାଇଦେବାକୁ ସ୍ଥାନୀୟ ବାସିନ୍ଦା ଦୃଢ଼ ଦାବି କରିଛନ୍ତି।