ଅନାଥ ଆଶ୍ରମରେ ପଶି ନାବାଳିକାଙ୍କୁ ହତ୍ୟା କଲେ ଯୁବକ, ୯ ଆହତ

ଓ୍ବାରସୋ,୧୦ା୫: ପୋଲାଣ୍ଡରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବକ ଏକ ଅନାଥ ଆଶ୍ରମରେ ଧସେଇ ପଶି ୧୬ ବର୍ଷର ନାବାଳିକାଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଛନ୍ତି। ଯୁବକ ଜଣକ ପୋଲାଣ୍ଡର ଲୋଜ ସହରର ଏକ ଅନାଥ ଆଶ୍ରମ ଭିତରକୁ ମଙ୍ଗଳବାର ରାତିରେ ଜୋର ଜବରଦସ୍ତ ପଶି ନାବାଳିକାଙ୍କୁ ହତ୍ୟା କରିଥିଲେ। ଏଥିସହ ସେ ଛୁରିରେ ଅନ୍ୟ ୯ ଜଣଙ୍କୁ ଆକ୍ରମଣ କରି ଆହତ କରିଥିଲେ।

ପୋଲିସ ମୁଖପାତ୍ର ଅନୀତା ସୋବିଏରାଜ କହିଛନ୍ତି, ମଙ୍ଗଳବାର ବିଳମ୍ବିତ ରାତିରେ ପୋଲିସ ସୂଚନା ପାଇଥିଲା ଯେ, ୧୯ବର୍ଷୀୟ ଯୁବକ ସହର ନିକଟ ଟୋମିସ୍ଲାଭାଇସ ଗାଁର ଅନାଥ ଆଶ୍ରମରେ ପ୍ରବେଶ କରିଥିଲେ। ଏହା ପରେ ସେ ତୀକ୍ଷ୍ଣ ଛୁରୀରେ ନାବାଳିକାଙ୍କୁ ଆକ୍ରମଣ କରି ହତ୍ୟା କରିଥିଲେ।

ସୋବିଏରାଜ କହିଛନ୍ତି, ଘଟଣାର ପ୍ରାୟ ଏକ ଘଣ୍ଟା ପରେ ଆକ୍ରମଣକାରୀଙ୍କୁ ତାଙ୍କ ବାସଭବନରେ ଗିରଫ କରାଯାଇଛି। ସେ କହିଛନ୍ତି, ଗିରଫ ସମୟରେ ଯୁବକ ଜଣକ ବିରୋଧ ବି କରିନାହାନ୍ତି। ତେବେ ପୋଲିସ ତାଙ୍କୁ ଡ୍ରଗ୍ସ ନେଇଥିବା ସନ୍ଦେହ କରୁଛି। ତେଣୁ ପୋଲିସ ଡ୍ରଗ୍ସ ପରୀକ୍ଷା କରିଥିଲା। ଆକ୍ରମଣକାରୀ ନାବାଳିକାଙ୍କ ପ୍ରେମିକ ବୋଲି ପୋଲିସ କହିଛନ୍ତି। ସେ ଧକ୍କା ମାରି ଅନାଥ ଆଶ୍ରମ କୋଠିରେ ପ୍ରବେଶ କରିଥିଲେ। ଏହି ଆକ୍ରମଣ ସମୟରେ ଆଶ୍ରମରେ ଜଣେ କର୍ମଚାରୀଙ୍କ ସମେତ ୧୩ ଜଣ ଥିଲେ।

Share