ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ ଜଣେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ଆଉ ୩ ଜଣ ଅଳ୍ପକେ ରକ୍ଷା ପାଇଯାଇଛନ୍ତି।
ସୂଚନା ମୁତାବକ ଧାମନଗର ଥାନା ଅନ୍ତର୍ଗତ ଦଇପୁର ପଞ୍ଚାୟତ ନାରାୟଣପୁର ଗ୍ରାମ ନାଥ ସାହିର ୪ ଜଣ ଝିଅ ରବିବାର ସକାଳେ ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ରେବ ନଦୀଘାଟକୁ ଯାଇଥିଲେ। ନଦୀରେ ଶୌଚ ହେବା ସମୟରେ ଉକ୍ତ ୪ ଜଣ ଝିଅଙ୍କର ପାଣିରେ ଗୋଡ଼ ଖସି ଯାଇଥିଲା । ସେମାନଙ୍କ ମଧ୍ୟରୁ ନାଥ ସାହିର ଅଙ୍କିତା ନାଥ ( ୧୪) , ରାଧାରାଣୀ ନାଥ ( ୧୪), ଶୁଭଶ୍ରୀ ନାଥ ( ୧୫) ଏମାନେ ନିଜ ନିଜ ମଧ୍ୟରେ ହାତ ଓ ଲୁଗାପଟାରେ ଧରାଧରି ହୋଇ ଅଳ୍ପ କ ରକ୍ଷା ପାଇଥିବା ବେଳେ ଚକ୍ରଧର ନାଥଙ୍କ ଝିଅ ଇପ୍ସିତା ନାଥ ( ୧୮) ନଦୀ ଭିତରେ ବୁଡି ଯାଇ ନିଖୋଜ ହୋଇଯାଇଥିଲେ। ଏହି ଘଟଣା ପ୍ରସାରିତ ହେବା ପରେ ଶତାଧିକ ଗ୍ରାମବାସୀ ରୁଣ୍ଡ ହେବା ସହ ଇପ୍ସିତାଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ନଦୀରେ ଖୋଜାଖୋଜି କରିଥିଲେ। ପରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ନଦୀରେ କିଛି ଦୂରରେ ଇପ୍ସିତାଙ୍କୁ ଉଦ୍ଧାର କରିଥିଲେ। ତୁରନ୍ତ ତାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ଇପ୍ସିତାଙ୍କୁ ମୃତ ଘୋଷଣା କରିଥିଲେ।