ପରଜଙ୍ଗ, ୧୯ା୬ (ନିଗମାନନ୍ଦ ଦଳବେହେରା): ଜଙ୍ଗଲରୁ ବାରହା ଶିକାର କରିବା ପାଇଁ ବୋମା ତିଆରି ବେଳେ ବିସ୍ଫୋରଣ ଘଟି ଜଣେ ଯୁବକଙ୍କ ୨ ପାପୁଲି ଛିଣ୍ଡି ଯାଇଥିବା ବେଳେ ଅନ୍ୟ ୨ ସହଯୋଗୀ ଆହତ ହୋଇଛନ୍ତି। ଏହି ଘଟଣା ଘଟିଛି ପରଜଙ୍ଗ ଥାନା କନ୍ଦରସିଂହା ଅଞ୍ଚଳରେ।
ସୂଚନା ମୁତାବକ, ଗୁରୁବାର ପରଜଙ୍ଗ ଥାନା ଗଣ୍ଡତୈଲା ଦଳିତ ବସ୍ତିର ବବୁରୁ ନାଏକଙ୍କ ବଡ଼ପୁଅ ବୀରେନ୍ଦ୍ର ନାଏକ (୨୪)ଙ୍କ ସହ ଦୁଇ ଜଣ ସହଯୋଗୀ କନ୍ଦରସିଂହା ଅଞ୍ଚଳରେ ବାରହା ଶିକାର ନିମନ୍ତେ ବୋମା ତିଆରି କରୁଥିଲେ।
ବୀରେନ୍ଦ୍ର ବୋମାକୁ ଜୋର୍ରେ ସୁତୁଲି ଭିଡ଼ିଦେବାରୁ ଫାଟି ଯାଇଥିଲା। ଫଳରେ ବୀରେନ୍ଦ୍ରଙ୍କ ୨ ହାତ ପାପୁଲି ଛିଣ୍ଡି ପଡ଼ିଥିଲା। ଅନ୍ୟ ଦୁଇ ସହଯୋଗୀଙ୍କ ମଧ୍ୟରୁ ଜଣକ ମୁହଁ ପୋଡ଼ି ଯାଇଥିବା ବେଳେ ଅନ୍ୟ ଜଣେ ମଧ୍ୟ ଆହତ ହୋଇଛନ୍ତି। ଗୁରୁତର ବୀରେନ୍ଦ୍ରଙ୍କୁ ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।
ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ଡାକ୍ତଖାନାକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଦୁଇ ସହଯୋଗୀ ଭୟଭୀତ ହୋଇ ଅନ୍ୟ ସ୍ଥାନକୁ ଯାଇ ଚିକିତ୍ସା ହୋଇଥିବା ସୂଚନା ମିଳିଛି। ଡିହଡୋଳ ଫରେଷ୍ଟର ଚନ୍ଦ୍ରଶେଖର ବେହେରା କହିଛନ୍ତି, ଏ ସମ୍ପର୍କରେ ଖବର ପାଇଛୁ, ଘଟଣାର ତଦନ୍ତ ଚାଲିଛି। ଖୁବଶୀଘ୍ର ଜନ୍ତୁ ଶିକାର ପାଇଁ କିଏ ବୋମା ତିଆରି କରୁଥିଲେ ଆଉ କେଉଁମାନେ ସାମିଲ ଅଛନ୍ତି ତାହା ସ୍ପଷ୍ଟ ହେବା ପରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ।