ଟ୍ରେନ୍‌ ଧକ୍କାରେ କଟିଲା ଯୁବକଙ୍କ ଗୋଡ଼

ଭବାନୀପାଟଣା,୨୫ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କେସିଙ୍ଗା ରେଳ ଷ୍ଟେଶନ ନିକଟରେ ଏକ ଯାତ୍ରୀବାହୀ ଟ୍ରେନ୍‌ ଧକ୍କାରେ ସୋମବାର ମଧ୍ୟାହ୍ନରେ ଜଣେ ଯୁବକଙ୍କ ଗୋଡ଼ କଟିଯାଇଛି। ଯୁବକଙ୍କ ନାମ ରାଜେନ୍ଦ୍ର ବିହାରୀ (୩୨) ହୋଇଥିବା ବଳେ ସେ ଜୁନାଗଡ଼ ଥାନା ଅନ୍ତର୍ଗତ ଚିଚୈଗୁଡ଼ା ଗ୍ରାମର ବୋଲି ଜଣାପଡ଼ିଛି। ରାଜେନ୍ଦ୍ରଙ୍କ ମାନସିକ ଭଲ ନ ଥିବା ବେଳେ ଗତ ୫ଦିନ ଧରି ଘରୁ ନିଖୋଜ ଥିଲେ। ମଧ୍ୟାହ୍ନରେ କେସିଙ୍ଗା ଟ୍ରେନ୍‌ ଲାଇନ୍‌ ନିକଟରେ ଏକ ଯାତ୍ରୀବାହୀ ଟ୍ରେନ ଧକ୍କାରେ ତାଙ୍କର ଗୋଟିଏ ଗୋଡ଼ କଟି ଯାଇଥିବା ଖବର ପୋଲିସ ପାଖରେ ପହଞ୍ଚିଥିଲା। ଉଦ୍ଧାର କରାଯାଇ ପ୍ରଥମେ ତାଙ୍କୁ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଓ ପରେ  ଅବସ୍ଥା ଗୁରୁତର ହେବାରୁ ଭବାନୀପାଟଣା ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି।