ଥୁଆମୂଳ ରାମପୁର,୧୮ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଶ୍ରୀମସ୍କା ଛକଠାରେ ଶନିବାର ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି। ଗ୍ରାମ ଭିତରୁ ମୁଖ୍ୟ ରାସ୍ତାକୁ ବାଇକ୍ ଯୋଗେ ଆସୁଥିବା ଜଣେ ଯୁବକ ଏବଂ ୨ ଜଣ ଯୁବତୀଙ୍କୁ ଏକ ଦ୍ରୁତଗାମୀ ୧୦ ଚକିଆ ହାଇଓ୍ବା ସାମ୍ନାପଟୁ ଧକ୍କା ଦେବାରୁ ସେମାନେ ଗୁରୁତର ହୋଇଛନ୍ତି। ଏହି ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହ ଦୀର୍ଘ ସମୟ ଧରି ରାସ୍ତା ଅବରୋଧ ହୋଇ ରହିଛି।
ସୂଚନା ମୁତାବକ, ଆଜି ଅପରାହ୍ନରେ ଶ୍ରୀମସ୍କା ଗ୍ରାମର ଶୁଭଶ୍ରୀ ମାଝୀ (୧୬), କେଦାରନାଥ ମାଝୀ (୧୯) ଏବଂ ସୌରଭି ମାଝୀ (୧୮) ଏକ ବାଇକ୍ (OR 08 K 3553) ଯୋଗେ ଗ୍ରାମରୁ ବାହାରି ମୁଖ୍ୟ ରାସ୍ତା ଉପରକୁ ଆସୁଥିଲେ। ଏହି ସମୟରେ ଥୁଆମୂଳ ରାମପୁର ପଟୁ ଅତ୍ୟନ୍ତ ବେପରୁଆ ଭାବେ ଆସୁଥିବା ଏକ ହାଇଓ୍ବା (OD 08 W 3392) ସେମାନଙ୍କୁ ଶକ୍ତ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ବାଇକ୍ଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିବା ବେଳେ ତିନି ଆରୋହୀ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତା ଉପରେ ପଡ଼ିରହିଥିଲେ।
ଆହତମାନଙ୍କୁ ପ୍ରଥମେ ଆମ୍ବୁଲାନ୍ସ ଯୋଗେ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ଡାକ୍ତର ଅନମୋଲ ରଣା ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ତେବେ ସରକାରୀ ସ୍ବାସ୍ଥ୍ୟ ସେବାର ବିକଳ ଚିତ୍ର ଏଠାରେ ଦେଖିବାକୁ ମିଳିଥିଲା। ଶୁଭଶ୍ରୀଙ୍କୁ ସ୍ଥାନାନ୍ତର ପାଇଁ ଆମ୍ବୁଲାନ୍ସ ମିଳିଥିବା ବେଳେ କେଦାର ଏବଂ ସୌରଭିଙ୍କ ପାଇଁ କୌଣସି ବ୍ୟବସ୍ଥା ହୋଇପାରି ନ ଥିଲା। ଶେଷରେ ପରିବାର ଲୋକେ ବାଧ୍ୟ ହୋଇ ନିଜସ୍ବ ଅର୍ଥରେ ଗାଡ଼ି ଭଡ଼ା କରି ଉଭୟଙ୍କୁ ଭବାନୀପାଟଣା ନେଇଥିବା ଜଣାପଡ଼ିଛି।
ଦୁର୍ଘଟଣା ପରେ ସ୍ଥାନୀୟ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ହାଇଓ୍ବାକୁ ଅଟକ ରଖିବା ସହ ଶ୍ରୀମସ୍କା ଛକଠାରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଚାଳକ ଜଣକ ମଦ୍ୟପାନ କରିଥିବା ନେଇ ଲୋକେ ଅଭିଯୋଗ କରିଛନ୍ତି। ଖବର ଲେଖାଯିବା ସୁଦ୍ଧା ରାସ୍ତା ଅବରୋଧ ହଟି ନ ଥିବା ବେଳେ ରାସ୍ତାର ଦୁଇ ପାର୍ଶ୍ୱରେ ଅନେକ ଯାନବାହନ ଅଟକି ରହିଛି। ଥୁଆମୂଳ ରାମପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ ହେଁ, କ୍ଷତିପୂରଣ ଏବଂ କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ଲୋକେ ଅଟଳ ରହିଛନ୍ତି। ପୋଲିସ ପରିସ୍ଥିତି ଉପରେ ନଜର ରଖିବା ସହ ଲୋକଙ୍କୁ ଶାନ୍ତ କରିବାକୁ ଚେଷ୍ଟା ଜାରି ରଖିଛି।