ଗଛମୂଳରେ ଆଶ୍ରୟ ନେଇଥିବା ସମୟରେ ହେଲା ବଜ୍ରପାତ: ଚାଲିଗଲା ଯୁବକଙ୍କ ଜୀବନ

ଠାକୁରମୁଣ୍ଡା,୬।୫(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ତରଡ଼ିଆ ଡ୍ୟାମ ନିକଟରେ ବଜ୍ରପାତରେ ଜଣେ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଆନନ୍ଦପୁର ଥାନା ଅନ୍ତର୍ଗତ ଭୋଗପୁର ଗ୍ରାମର ଅନିଲ କୁମାର ନାଏକ(୨୭) ବୋଲି ଜଣାପଡ଼ିଛି। ଖବରପାଇ ମହୁଲଡିହା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଘଷିପୁରା ପଠାଇଥିବାର ଜଣାଯାଇଛି। ଭୋଗପୁର ଗ୍ରାମର ରଘୁନାଥ ନାଏକଙ୍କ ପୁଅ ଅନିଲ ଆନନ୍ଦପୁର ମେଘା ପ୍ରୋଜେକ୍ଟରେ ସିକ୍ୟୁରିଟି ଗାର୍ଡ ଭାବରେ କାମ କରୁଥିଲେ। କୌଣସି କାମରେ ନିଜର ବାଇକରେ ଯାଉଥିବା ସମୟରେ ବୁଧବାର ଘଡ଼ଘଡି ସହ ବର୍ଷା ହେବାରୁ ତରଡ଼ିଆ ଡ୍ୟାମ୍‌ ନିକଟ ରାସ୍ତା କଡ଼ରେ ଥିବା ଗଛମୂଳରେ ବାଇକ୍‌ ରଖି ଆଶ୍ରୟ ନେଇଥିଲେ। ଏହି ସମୟରେ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।