ଦାରିଙ୍ଗବାଡି, ୧୮ା୩ (ଅରୁଣ ସାହୁ ):ଗାଁରେ ବିଦ୍ୟୁତ୍ ଟ୍ରାନ୍ସଫର୍ମର ଅଛି, ବିଦ୍ୟୁତ୍ ସଂଯୋଗ ରହିଛି ମାତ୍ର ଗ୍ରାମବାସୀଙ୍କୁ ବିଦ୍ୟୁତ୍ ସେବା ମିଳୁନି। ଟ୍ରାନ୍ସଫର୍ମରଠାରୁ ଘର ପର୍ଯ୍ୟନ୍ତ ବିଦ୍ୟୁତ୍ ଖୁଣ୍ଟ ପୋତା ଯାଇଥିଲେ ମଧ୍ୟ ବିଦ୍ୟୁତ୍ ସଂଯୋଗ ପାଇଁ ସର୍ଭିସ ତାର ଯାଇ ନଥିବାରୁ ବିଦ୍ୟୁତ୍ ଜଳୁନି। କନ୍ଧମାଳ ଜିଲା ଦାରିଙ୍ଗବା ବ୍ଲକର ଦୁର୍ଗମ ସିର୍କାବର୍ଗ ପଞ୍ଚାୟତ ଅଧୀନ ଶ୍ରାକିପାଙ୍ଗା ଗ୍ରାମରେ ଏପରି ଦେଖିବାକୁ ମିଳିଛି। ବିଦ୍ୟୁତ୍ ନ ଥିବା ହେତୁ ଲୋକଙ୍କୁ ବହୁ କଷ୍ଟ ସହିବାକୁ ପଡୁଛି।ଏହି ଗ୍ରାମରେ ମୋଟ ୩୩ ପରିବାର ବାସ କରନ୍ତି। ଗ୍ରାମରେ ୨୪ ପରିବାର ଏବଂ ପାହାଡ଼ ଉପରେ ୯ଟି ପରିବାର ରହୁଛନ୍ତି। ବିଦ୍ୟୁତ୍ ନ ଥିବାରୁ ଦୀର୍ଘ ବର୍ଷ ଧରି ଅନ୍ଧାରରେ ରହିଛି ଶ୍ରାକିପାଙ୍ଗା ଗ୍ରାମ। ସରକାର କୌଣସି ଗ୍ରାମ ଆଉ ଅନ୍ଧାରରେ ରହିବ ନାହିଁ ବୋଲି ଘୋଷଣା କରିବା ପରେ ଶ୍ରାକିପାଙ୍ଗା ଗ୍ରାମବାସୀ ଖୁସି ହୋଇଥିଲେ। ଗ୍ରାମକୁ ବିଦ୍ୟୁତ୍ ଆଣିବାକୁ ଗ୍ରାମବାସୀ ସ୍ବେଚ୍ଛାକୃତ ଭାବେ ଠିକାସଂସ୍ଥାକୁ ସାହାଯ୍ୟ କରିଥିଲେ। ନିଜ ଖର୍ଚ୍ଚରେ ବିଦ୍ୟୁତ୍ ଖୁଣ୍ଟଗୁଡିକୁ ଟ୍ରାକ୍ଟର ଯୋଗେ ଆଣି ନିଜେ ଗାତ ଖୋଳି ଖୁଣ୍ଟ ପୋତି ଦେଇଥିଲେ। ପରେ ବିଦ୍ୟୁତ୍ ସଂଯୋଗ ପାଇଁ ୨୪ ପରିବାର ଅନ୍ଲାଇନ ମାଧ୍ୟମରେ ଘର ପିଛା ୨୫ଶହ ଟଙ୍କା ଲେଖାଏ ବିଦ୍ୟୁତ୍ କାର୍ଯ୍ୟାଳୟରେ ଜମା କରିଥିଲେ। ଏହାକୁ ଏବେ ଏକ ବର୍ଷରୁ ଊର୍ଦ୍ଧ୍ୱ ସମୟ ହୋଇଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଗାଁକୁ ବିଦ୍ୟୁତ୍ ଆସିନାହିଁ ବୋଲି ଗ୍ରାମର ଜିସାୟ ପ୍ରଧାନ, ରମାକାନ୍ତି ପ୍ରଧାନ, ସରୋଜିନୀ ପ୍ରଧାନଙ୍କ ସହ ଅନ୍ୟମାନେ ଅଭିଯୋଗ କରିଛନ୍ତି। ଏନେଇ ଦାରିଙ୍ଗବାଡି ବିଦ୍ୟୁତ୍ ବିଭାଗ ସହକାରୀ ଯନ୍ତ୍ରୀ ଶିବ ପ୍ରସାଦ ନାୟକଙ୍କୁ ପଚାରିବାରୁ ସେ କହିଲେ, ତାଙ୍କ ଡକ୍ୟୁମେଣ୍ଟରେ କିଛି ସମସ୍ୟା ରହିଥିବ, ତାକୁ ପୁନଃ ନିଜ ଷ୍ଟାଟସକୁ ଅନ୍ଲାଇନରେ ଯାଞ୍ଚ କରାନ୍ତୁ ବୋଲି କହିଥିଲେ। ତେବେ ହିତାଧିକାରୀ ବର୍ଷେ ପୂର୍ବରୁ ଅର୍ଥ ଡିପୋଜିଟ କରିବା ପରେ ତାକୁ ବିଭାଗ ସେ ସମୟରେ ତଦାରଖ ନ କରି ଏବେ ଗ୍ରାମବାସୀଙ୍କୁ ତଦାରଖ ଆଳରେ ନିଜ ଦୋଷ ଖସାଇ ଦେବାକୁ ଉଦ୍ୟମ କରୁଛି ବୋଲି ଗ୍ରାମବାସୀ ପ୍ରକାଶ କରି ଶୀଘ୍ର ସେମାନଙ୍କ ଘରେ ବିଦ୍ୟୁତ୍ ସଂଯୋଗ ଲାଗି ଦାବି କରିଛନ୍ତି। ଶୀଘ୍ର ବିଦ୍ୟୁତ୍ ସଂଯୋଗ ନ ଦେଲେ ଏଣିକି ରାସ୍ତାକୁ ଓହ୍ଲାଇବୁ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ସୂଚନାଯୋଗ୍ୟ, ଏହି ଗ୍ରାମ ପାଇଁ ଗୋଟିଏ ସୋଲାର ପମ୍ପ ରହିଛି। ଅଧିକ ସୋଲାର ପମ୍ପ ସ୍ଥାପନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।
Dharitri – Odisha’s No.1 Odia Daily

