‘ଜଣେ ମହିଳା ଆମେରିକା ରାଷ୍ଟ୍ରପତି ହେବେ’

ଓ୍ବାଶିଂଟନ,୧୦।୨: ୨୦୨୪ରେ ଆମେରିକାରେ ଡେମୋକ୍ରାଟ୍‌ ଜୋ ବାଇଡେନ୍‌ କିମ୍ବା ରିପବ୍ଳିକାନ୍‌ ଡୋନାଲ୍ଡ ଟ୍ରମ୍ପ୍‌ ରାଷ୍ଟ୍ରପତି ହୋଇପାରିବେ ନାହିଁ। ଜଣେ ମହିଳା ହିଁ ଦେଶର ଏହି ସର୍ବୋଚ୍ଚ ଆସନ ଅଳଙ୍କୃତ କରିବେ ବୋଲି ରାଷ୍ଟ୍ରପତି ପ୍ରାର୍ଥୀ ଦୌଡ଼ରେ ଥିବା ଭାରତୀୟ ବଂଶୋଦ୍ଭବ ନିକ୍କି ହାଲ କହିଛନ୍ତି। ନିକ୍କିଙ୍କ ମତରେ ସେ କିମ୍ବା କମଳା ହାରିସ୍‌ ରାଷ୍ଟ୍ରପତି ହୋଇପାରନ୍ତି। ରିପବ୍ଲିକାନ୍‌ ଦଳର ପ୍ରାର୍ଥତ୍ତ୍ୱ ଦୌଡ଼ରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏକମାତ୍ର ପ୍ରତିଦ୍ୱନ୍ଦ୍ୱୀ ଥିବା ନିକ୍କି ହାଲି ଏହା କହିଛନ୍ତି। ଟ୍ରମ୍ପ୍‌ ନେଭାଡା ଏବଂ ଭିର୍ଜିନ୍‌ ଆଇଲାଣ୍ଡ ପ୍ରାଇମେରି ଜିତି ଏପର୍ଯ୍ୟନ୍ତ ପ୍ରାଇମେରି ରେସ୍‌ରେ ଅପରାଜିତ ରହିଥିବା ସତ୍ତ୍ୱେ ନିକ୍କି ହ୍ବାଇଟ୍‌ ହାଉସ୍‌ ପାଇଁ ଲଢ଼େଇ ଜାରି ରଖିବେ ବୋଲି କହିଛନ୍ତି। ଆସନ୍ତା ୨୪ରେ ନିକ୍କିଙ୍କ ନିଜ ରାଜ୍ୟ ସାଉଥ୍‌ କାରୋଲିନାରେ ରିପବ୍ଲିକାନ୍‌ ପ୍ରାଇମେରି ହେବାକୁ ଥିବାବେଳେ ସେଠାରେ ମଧ୍ୟ ତାଙ୍କ ପ୍ରତି ଭଲ ସମର୍ଥନ ନ ଥିବା ଜଣାପଡ଼ିଛି। ଫକ୍ସ ନ୍ୟୁଜ୍‌କୁ ନିକ୍କି କହିଛନ୍ତି, ସେ ଦୁଇଥର ଟ୍ରମ୍ପ୍‌ଙ୍କୁ ଭୋଟ ଦେଇଥିଲେ ଏବଂ ତାଙ୍କ ପ୍ରଶାସନରେ ଜାତିସଂଘ ରାଷ୍ଟ୍ରଦୂତ ରହିଥିବାରୁ ଗର୍ବିତ। ତେବେ ଅବ୍ୟବସ୍ଥା ଟ୍ରମ୍ପ୍‌ଙ୍କ ପିଛା ଛାଡ଼ୁନି। ଆମେ ଦେଶକୁ ଆଉ ୪ ବର୍ଷ ଏଭଳି ଅବ୍ୟବସ୍ଥା ମଧ୍ୟରେ ଛାଡ଼ିଦେଇପାରିବା ନାହିଁ। କୋର୍ଟ ମାମଲାରେ ଛନ୍ଦି ହୋଇଥିବା ଟ୍ରମ୍ପ୍‌ ସାଧାରଣ ନିର୍ବାଚନ ଜିତିପାରିବେ ନାହଁ, ଏହା ସତ୍ୟ ବୋଲି ନିକ୍କି କହିଛନ୍ତି।

Share