ଅନୁଗୋଳ,୩୧।୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ପଞ୍ଚାୟତ ସାହାରାଗୁଡ଼ା ଗାଁ ସୁନାଭୂଇଁ ସାହିରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନାରୁ ବୁଧବାର ଭୋର ସମୟରେ ସୁମନ୍ତ ବେହେରାଙ୍କ ସ୍ତ୍ରୀ ଝିଲି ବେହେରା (୩୫) ଘର ପାଖ ନଳ କୂଅକୁ ପାଣି ଆଣିବାକୁ ଯାଇଥିଲେ। ପ୍ରବଳ ମାତ୍ରାରେ କୁହୁଡି ଥିବାରୁ ୨ ହାତ ଦୂରକୁ ଦେଖି ହୋଉ ନ ଥିବା ବେଳେ, ହଠାତ ଏକ ଦନ୍ତାହାତୀ ଝିଲିକୁ ଆକ୍ରମଣ କରିଥିଲା। ତାଙ୍କୁ ଶୁଣ୍ଢରେ କଚାଡ଼ି ଦେଇ ତାଙ୍କ ମୁଣ୍ଡ ଉପରେ ଚଢ଼ିଚାଲି ଯାଇଥିବାରୁ ଘଟଣାସ୍ଥଳରେ ଝିଲିଙ୍କ ମୃତ୍ୟୁହୋଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।
ସୂଚ଼ନାଯୋଗ୍ୟ ଯେ, ଗତ ତିନିଦିନ ଧରି ଏହି ଅଞ୍ଚଳରେ ୩ ଟିକିଆ ହାତୀପଲ ଉତ୍ପାତ କରି ଆସୁଥିଲେ। ବନ ବିଭାଗ କର୍ମଚାରୀମାନେ ଘଉଡ଼େଇବାକୁ ଚେଷ୍ଟା ଜାରି ରଖିଥିଲେ ମଧ୍ୟ ସୋମବାର ଦିନ ଭୋର୍ ସମୟରେ ଜରାଓରପୁର ଗାଁରେ ଉତ୍ପାତ କରିବା ସହ ଜଟି ଭୋଇଙ୍କ ଗୁହାଳ ଘର ଭାଙ୍ଗି ଦେଇଥିଲାବେଳେ,ଅଳ୍ପକେ ଗୋରୁ ବଞ୍ଚି ଯାଇଥିଲେ। ତେବେ ଏନେଇ ବନ ବିଭାଗ ପାଖରେ ଖବର ଥିଲେ ସୁଦ୍ଧା ବିଭାଗର ଅବହେଳାରୁ ଆଜି ମହିଳାଙ୍କ ମୃତ୍ୟୁ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏନେଇ ସ୍ଥାନୀୟ ଅଞ୍ଚଳ ଉତ୍ତେଜନା ସୃଷ୍ଟି ହୋଇ ଥିବାବେଳେ, ଗ୍ରାମବାସୀ ମାନେ ବନ୍ତଳା ଛକ ଠାରେ,ଅନୁଗୋଳ ଟିକରପଡ଼ା ଓ ପୁରୁଣା କଟକ ସମ୍ବଲପୁର ମୁଖ୍ୟ ରାସ୍ତାକୁ ଅବରୋଧ କରି ଆନ୍ଦୋଳନ କରିଛନ୍ତି।
Dharitri – Odisha’s No.1 Odia Daily


