ଗରା, ବାଲ୍‌ଟି ଧରି ରାସ୍ତାରେ ମହିଳା

ନୀଳଗିରି, ୧୬।୫(ସ୍ବ.ପ୍ର.): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ଛତ୍ରପୁର ପଞ୍ଚାୟତର ୪ଟି ଗାଁରେ ପାନୀୟ ଜଳ ଯୋଗାଣରେ ଅବ୍ୟବସ୍ଥା ଦେଖାଦେଇଛି। ଏହାର ପ୍ରତିବାଦ କରି ମଙ୍ଗଳବାର ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଶତାଧିକ ଗ୍ରାମବାସୀ ସେରଗଡ଼ରୁ ଉଦଳା ସଂଯୋଗ ହେଉଥିବା ୧୯ନଂ. ରାଜ୍ୟ ରାଜପଥ ଛତ୍ରପୁର ବଜାର ପାଖରେ ଗରା, ବାଲ୍‌ଟି ଧରି ଶାନ୍ତିପୂର୍ଣ୍ଣ ଭାବେ ରାସ୍ତା ଅବରୋଧ କରିଥିଲେ।
ଭଗାବନ୍ଧ, ଚତୁରୀପଡ଼ା, ସରୁଚମ୍ପା, ମାଙ୍କିଡ଼ିଆ ସାହି ଗାଁରେ ନଳକୂପ ଶୁଖିଯିବା ପରେ ପାଇପ ପାଣି ଉପରେ ଭରସା କରିଥିଲେ। ମାତ୍ର ପାଇପ ଫାଟିଯିବାରୁ ପାଣି ଯୋଗାଣରେ ଅବ୍ୟବସ୍ଥା ହେଉଥିଲା। ଏନେଇ ଅଞ୍ଚଳବାସୀ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀ କୌଣସି ପଦକ୍ଷେପ ନେଇ ନ ଥିଲେ। ଟ୍ୟାଙ୍କର ମାଧ୍ୟମରେ ପାଣି ମଧ୍ୟ ଯୋଗାଇ ଦିଆଗଲା ନାହିଁ। ପ୍ରତିବାଦ ସ୍ବରୂପ ଶତାଧିକ ଅଞ୍ଚଳବାସୀ ରାଜ୍ୟ ରାଜପଥର ଛତ୍ରପୁରଠାରେ ଅବରୋଧ କରିଥିଲେ। ଫଳରେ ଉଭୟ ପାର୍ଶ୍ୱରେ ବହୁ ଯାନବାହନ ଅଟକି ରହିଥିଲା। ଯାତାୟାତ ବାଧାପ୍ରାପ୍ତ ହୋଇଥିବା ବେଳେ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଘଟଣାସ୍ଥଳରେ ବରହମପୁର ପୋଲିସ ଧାରଣାସ୍ଥଳରେ ପହଞ୍ଚିଥିଲା। ପରେ ବିଭାଗୀୟ ଅଧିକାରୀ ଫୋନ୍‌ ମାଧ୍ୟମରେ ଧାରଣାକାରୀଙ୍କ ସହ ଆଲୋଚନା କରିଥିଲେ। ଖୁବ୍‌ଶୀଘ୍ର ପ୍ରତିକାର ହେବା ସହିତ ଟ୍ୟାଙ୍କର ମାଧ୍ୟମରେ ପାଣି ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।