ସ୍ତନ୍ୟପାନ କରି ଆଖିବୁଜିଲା ୩ ମାସର ଶିଶୁ

ସ୍ତନ୍ୟପାନ କରିବାର କିଛି ସମୟ ପରେ ଜଣେ ୩ ମାସର ଶିଶୁର ମୃତ୍ୟୁ ଘଟିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଆମେରିକାର ନ୍ୟୁ ଓରଲିଅନ୍ସ ସହରରେ।
ନ୍ୟୁ ଓରଲିଅନରେ ରହୁଥିବା ୩୧ ବର୍ଷୀୟା ଆଟମ୍‌ ବ୍ଲେସେଣ୍ଟ ନାମ୍ନୀ ମହିଳା ଡ୍ରଗ୍ସ ନେବା ପରେ ତାଙ୍କର ୩ ମାସର ଶିଶୁକୁ ସ୍ତନପାନ କରାଇଥିଲେ। ଏହାର କିଛି ସମୟ ପରେ ଶିଶୁଟି କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ। ଏ ନେଇ ଆଟମ୍‌ ଡାକ୍ତରଙ୍କୁ ଖବର ଦେଇଥିଲେ।
ଖବର ପାଇ ଏକ ମେଡିକାଲ ଟିମ୍‌ ଆଟମ୍‌ଙ୍କ ଘରେ ପହଞ୍ଚିଥିଲେ। ସେମାନେ ସେଠାରେ ଶିଶୁଟିର ମୃତ୍ୟୁ ଘଟିଥିବା ଜାଣିବାକୁ ପାଇଥିଲେ। ପରେ ପୋଲିସ ଶିଶୁ ମୃତ୍ୟୁର କାରଣ ଖୋଜିଥିଲା। ଡିସେମ୍ବର ୧୧ରେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଶିଶୁର ଶରୀରରେ ଟକ୍ସିକୋଲୋଜି ଥିବା ଜଣାପଡ଼ିଥିଲା।
ପରେ ପରୀକ୍ଷା କରାଯିବାରୁ ଆଟମଙ୍କ ଶରୀରରେ କ୍ରିଷ୍ଟଲ ମେଥ ନାମକ ବିପଜ୍ଜନକ ପଦାର୍ଥ ମିଳିଥିଲା। ଏଥିସହ ସେ ଅନ୍ୟ ନିଶା ମଧ୍ୟ ସେବନ କରିଥିବା ଜଣାପଡ଼ିଥିଲା। ଏହି କାରଣରୁ ଶିଶୁର ମୃତ୍ୟୁ ଘଟିଥିବା ଡାକ୍ତର କହିଥିଲେ। ଏହାପରେ ଆଟମଙ୍କୁ ଗିରଫ କରାଯାଇଛି।
ପଚରାଉଚରା ବେଳେ ଆଟମ ଡ୍ରଗ୍ସ ଏବଂ ଅନ୍ୟ ନିଶା ସେବନ କରିଥିବା ସ୍ବୀକାର କରିଛନ୍ତି। ନିଶା ସେବନ କରିବାର କିଛି ସମୟ ପରେ ସେ ଶିଶୁକୁ ସ୍ତନପାନ କରାଇଥିଲେ। ଆଟମଙ୍କ ଘରୁ ମଧ୍ୟ ଡ୍ରଗ୍ସ ମିଳିଛି।

Share