ଘରେ ରୋଷେଇ କରିବା ବେଳେ ଗୁଳି କରି ଦୁର୍ବୃତ୍ତ ଫେରାର, ମହିଳା ଗୁରୁତର

ଦେବଗଡ଼,୧୫।୧୨(ଡି.ଏନ୍‌.ଏ.): ଦେବଗଡ଼ ଜିଲା ବାରକୋଟ ଥାନା କଦୋଗୁଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ବୁଧବାର ରାତିରେ ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଜଣେ ମହିଳା ଗୁରୁତର ହୋଇଛନ୍ତି। ମହିଳାଜଣଙ୍କ ହେଲେ ରାଜେଶ ମହନ୍ତଙ୍କ ସ୍ତ୍ରୀ ରୁକ୍ମୁଣୀ ମହନ୍ତ (୩୦) । ରୁକ୍ମୁଣୀଙ୍କ ବାମ ଗୋଡରେ ଗୁଳି ବାଜିଛି। ତାଙ୍କୁ ଉଦ୍ଧାର କରି ପ୍ରଥମେ ବାରକୋଟ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ମାତ୍ର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟ ଏବଂ ବିଳମ୍ବିତ ରାତିରେ ବୁର୍ଲା ଡାକ୍ତରଖାନାକୁ ପଠାଇ ଦିଆଯାଇଛି ।

ସୂଚନାନୁଯାୟୀ, ରୁକ୍ମୁଣୀ ଘର ଭିତରେ ରୋଷେଇ କରୁଥିବା ବେଳେ କେହି ଜଣେ ଦୁର୍ବୃତ୍ତ ତାଙ୍କ ଉପରକୁ ହଠାତ ଗୁଳିମାଡ କରିଥିଲେ। ଗୁଳିମାଡ଼ କରିଥିବା ବ୍ୟକ୍ତି ନିଜ ମୁହଁକୁ କପଡ଼ାରେ ଲୁଚାଇ ରଖିଥିବାରୁ ସେ ତାଙ୍କୁ ଚିହ୍ନି ପାରି ନ ଥିଲେ । ଅପରପକ୍ଷେ ଗୁଳି ଶବ୍ଦ ଶୁଣି ରୁକ୍ମୁଣୀଙ୍କ ସ୍ବାମୀ ଓ ପରିବାରର ସଦସ୍ୟମାନେ ଦୌଡି ଆସିଥିଲେ। ହେଲେ ଦୁର୍ବୃତ୍ତ ଜଣକ ଫେରାର ହୋଇଯାଇଥିଲେ। ତେବେ ରୁକ୍ମୁଣୀଙ୍କ କହିବା ଅନୁଯାୟୀ, ତାଙ୍କ ପରିବାର ସହିତ କାହାର ଶତ୍ରୁତା ନ ଥିଲା । କିନ୍ତୁ ହଠାତ କିଏ ଓ କାହିଁକି ଗୁଳିମାଡ଼ କରିଛନ୍ତି ସେନେଇ କୌଣସି ସୂଚନା ମିଳି ପାରିନାହିଁ। ଏନେଇ ବାରକୋଟ ଥାନା ପୋଲିସକୁ ଖବର ଦିଆଯିବା ପରେ ତଦନ୍ତ ଆରମ୍ଭ ହୋଇଛି।