ସ୍କୁଲ ବସ୍‌ ଧକ୍କାରେ ପୌରସଂସ୍ଥା ମହିଳା କର୍ମଚାରୀଙ୍କ ଜୀବନ ଗଲା

ଢେଙ୍କାନାଳ ଅଫିସ,୧୭ା୪: ଢେଙ୍କାନାଳ ସହର ଦେଉଳ ସାହି ରାମଦାସ ଛକଠାରେ ସୋମବାର ଡିପିଏସ୍‌ ସ୍କୁଲ ବସ୍‌ ଧକ୍କାରେ ସୌଭାଗ୍ୟଲକ୍ଷ୍ମୀ ଦଳେଇ(୨୬) ନାମକ ପୌରସଂସ୍ଥାର ଜଣେ ମହିଳା କର୍ମଚାରୀଙ୍କ ମୃତ୍ୟୁ ହୋଇଯାଇଛି। ମୃତ ସୌଭାଗ୍ୟଲକ୍ଷ୍ମୀଙ୍କ ଘର କଟକ ଜିଲା ଆଠଗଡ଼ ଥାନା ଅଞ୍ଚଳରେ। ସେ ଢେଙ୍କାନାଳ ପୌରାଞ୍ଚଳର ୮ ନମ୍ବର ଓ୍ବାର୍ଡରୁ ନିଜ କାର୍ଯ୍ୟ ସାରି ଫେରୁଥିବା ବେଳେ ଦେଉଳସାହି ରାମଦାସ ଛକଠାରେ ସ୍କୁଲ ବସ୍‌ ତାଙ୍କୁ ପଛ ପଟରୁ ଧକ୍କା ଦେଇଥିଲା। ଛାତ୍ରୀଛାତ୍ରଙ୍କୁ ନେଇ ବେପରୁଆ ଭାବେ ଦ୍ରୁତ ଗତିରେ ବସ୍‌ଟି ଆସୁଥିଲା। ଗୁରୁତର ଭାବେ ସୌଭାଗ୍ୟଲକ୍ଷ୍ମୀଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଟାଉନଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବସ୍‌କୁ ଜବତ କରିବା ସହ ତଦନ୍ତ ଜାରି ରଖିଛନ୍ତି। ମୃତ ସୌଭାଗ୍ୟଲକ୍ଷ୍ମୀ ପୌରସଂସ୍ଥାର ୮ ନମ୍ବର ମହିଷାପାଟ ଅଞ୍ଚଳରେ ଥିବା ମଳପଙ୍କ ପରିଚାଳନା କେନ୍ଦ୍ରରେ ସହାୟକ ଭାବେ ୭ ଦିନ ତଳେ ନିଯୁକ୍ତି ପାଇଥିଲେ। ଖବର ପାଇ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର, ଉପାଧକ୍ଷ ପ୍ରକାଶ ଚନ୍ଦ୍ର କୁଅଁର , ନିର୍ବାହୀ ଅଧିକାରୀ ତରୁଣ କୁମାର ମହାପାତ୍ର ଓ ଯନ୍ତ୍ରୀ ରଶ୍ମିତା ମିଶ୍ରଙ୍କ ସମେତ ପୌର କର୍ମଚାରୀ ଏବଂ କାଉନସିଲରମାନେ ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଛନ୍ତି।