ଅବକାରୀ ଥାନା ହାଜତରେ ମହିଳାଙ୍କ ମୃତ୍ୟୁ

ମାଲକାନଗିରି,୮ା୭(ଦୁର୍ଯ୍ୟୋଧନ ପାତ୍ର): ଅବକାରୀ ଥାନାରେ ଜଣେ ମହିଳାଙ୍କ ଶନିବାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମହିଳାଙ୍କ ନାମ ପ୍ରୀତି। ମହିଳା ଜଣଙ୍କ ଏମ୍‌ଭି ୬୬ ଗ୍ରାମର ହୋଇଥିବା ସୂଚନା ମିଳିଛି। ମାଥିଲି ଥାନା ଅନ୍ତର୍ଗତ କମଳାପଦର ନିକଟରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ମାଥିଲି ଅବକାରୀ ପୋଲିସ ସନ୍ଦେହ ମହିଳାଙ୍କୁ ଯାଞ୍ଚ କରିଥିଲେ। ମହିଳାଙ୍କ ନିକଟରେ ଏକ ବ୍ୟାଗରେ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲେ ଅବକାରୀ ଟିମ୍‌। ଗଞ୍ଜେଇ ସହ ସଂପୃକ୍ତ ମହିଳାଙ୍କୁ ମାଥିଲିସ୍ଥିତ ଅବକାରୀ ଥାନାକୁ ଆଣିଥିଲେ। ତେବେ ରାତି ହୋଇଯାଇଥିବାରୁ ମହିଳାଙ୍କୁ କୋର୍ଟ ଚାଲାଣ କରାଯାଇ ପାରି ନ ଥିଲା। ସକାଳୁ ମହିଳା ଜଣଙ୍କ ନିଜ ଓଢ଼ଣୀରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଥିଲା। ମହିଳାଙ୍କୁ ସଙ୍ଗେ ସଙ୍ଗେ ମାଥିଲି ସବ୍‌ଡିଭିଜିନାଲ ଡାକ୍ତରଖାନାକୁ ଅଣାଯାଇଥିଲା। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମାଥିଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ମାଲକାନଗିରି ସଦରମହକୁମା ମୁଖ୍ୟ ଚିକିତ୍ସାଳୟରେ। ତେବେ ଏହାକୁ ନେଇ ମାଲକାନଗିରି ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଜାରି ରଖିଛନ୍ତି।