ଖାକିରେ ଲାଗିଲା ଦାଗ: ହବିଷିଆଳିଙ୍କୁ ମାଡ ମାରି ମୁଣ୍ଡ ଫଟାଇଲା ପୋଲିସ

ପୁରୀ ଅଫିସ, ୭।୨୨: ଶ୍ରୀମନ୍ଦିର ମଧ୍ୟରେ ଜଣେ ମହିଳା ଭକ୍ତଙ୍କୁ ପୋଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଶ୍ରୀମନ୍ଦିର ଜଗମୋହନ ନିକଟରେ ମୁତୟନ ଥିବା ସୁରକ୍ଷା କର୍ମୀ ଜଣେ ହବିଷିଆଳିଙ୍କ ମୁଣ୍ଡକୁ ମାଡ ମାରିଛନ୍ତି। ଫଳରେ ମହିଳାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ମହିଳାଙ୍କୁ ଗୁରୁତର ଅବସ୍ଥାରେ ପୁରୀ ସଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆହତ ହୋଇଥିବା ମହିଳା ଜଣଙ୍କ ହେଉଛନ୍ତି ବ୍ରହ୍ମପୁରର ମାଧୁରୀ ଦାସ। ସେ ପୁରୀ ବାସେଳି ସାହିରେ ରହି କାର୍ତ୍ତିକ ବ୍ରତ କରୁଥିବା ସୂଚନା ମିଳିଛି। ଘଟଣାର ଅନୁଧ୍ୟାନ ପାଇଁ ଅତିରିକ୍ତ ଏସ୍‌ପି ଓ ପୋଲିସ କର୍ମଚାରୀ ଶ୍ରୀମନ୍ଦିର ମଧ୍ୟକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ପୁରୀ ଏସ୍‌ପି କେ ବିଶାଲ ସିଂ ମେଡିକାଲ ଯାଇ ଆହତ ମହିଳାଙ୍କୁ ଭେଟିବା ସହ ତାଙ୍କୁ ଆକ୍ରମଣ କରିଥିବା ସଂପୃକ୍ତ ପୋଲିସଙ୍କୁ ନିଲମ୍ବିତ କରିଛନ୍ତି। ସେହିପରି ଏପରି ଘଟଣା କାହିଁକି ଘଟିଲା ସେ ନେଇ ତଦନ୍ତ କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି। ମହିଳାଙ୍କୁ ଆକ୍ରମଣ କରିଥିବା ପୋଲିସ କର୍ମଚାରୀଙ୍କ ନାମ ପ୍ରଶାନ୍ତ ବୋଲି ସୂଚନା ମିଳିଛି।