ରାସ୍ତା ଉପରେ ମୃତ୍ୟୁର କୂଅ

ବୁଗୁଡ଼ା,୨୦।୩(କାଳିଚରଣ ଦାଶ): ରାସ୍ତା ଉପରେ ମୃତ୍ୟୁର କୂଅ। ଠିକାଦାରଙ୍କ ବେପରୁଆ ରାସ୍ତା କାମ ଯାତ୍ରୀଙ୍କ ଜୀବନ ପ୍ରତି ସୃଷ୍ଟି କରିଛି ବିପଦ। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ବୁଗୁଡ଼ା-ନୟାଗଡ ରାଜ୍ୟ ରାଜପଥର କରସିଙ୍ଗି ଛକରେ। ଏହି ଛକରେ ସିମେଣ୍ଟ କଙ୍କ୍ରିଟ୍‌ ରାସ୍ତା ନିର୍ମାଣ ଚାଲିଛି ହେଲେ ରାସ୍ତା ପାର୍ଶ୍ୱର ପାଣି ନିଷ୍କାସନ ପାଇଁ ହ୍ୟୁମ୍‌ ପାଇପ ପକାଯାଇ ସିମେଣ୍ଟ କଙ୍କ୍ରିଟ୍‌ ଳେଇ କରାଯାଇଛି। ତେବେ ହ୍ୟୁମ୍‌ ପାଇପ ଫାଙ୍କରେ କଙ୍କ୍ରିଟ୍‌ ପରିବର୍ତ୍ତେ ବାଲି ଅଖା ରଖିଦେଇ ତାହା ଉପରେ ସିମେଣ୍ଟ କଙ୍କ୍ରିଟ୍‌ ଢ଼ଳେଇ କରାଯାଇଥିଲା। ଏବେ ତା’ ଉପରେ ଗାଡିମଟର ଯିବା ଫଳରେ ସେହି ସ୍ଥାନ ଦବି ଯାଇଥିବା ବେଳେ ସେହି ପାର୍ଶ୍ୱରେ ଏକ ଗର୍ତ୍ତ ସୃଷ୍ଟି ହୋଇଛି। ଗ୍ରାମବାସୀ ପାଟିତୁଣ୍ଡ କରିବା ପରେ ଉକ୍ତ ଗର୍ତ୍ତ ନିକଟରେ ଏବେ ସୂଚନା ବୋର୍ଡ ରଖାଯାଇଛି। କେବଳ ସେହି ସ୍ଥାନ ନୁହେଁ ବାଲିପଦର ଠାରୁ କରସିଂ ପର୍ଯ୍ୟନ୍ତ ଅନେକ ସ୍ଥାନରେ ଏପରି ଅବସ୍ଥା ଦେଖିବାକୁ ମିଳୁଛି। ବୁଗୁଡ଼ା ବ୍ଲକର କରସିଙ୍ଗି ଠାରୁ ବାଲିପଦର ପର୍ଯ୍ୟନ୍ତ ରାସ୍ତାର ଉନ୍ନତି କରଣ ପାଇଁ ସରକାର ୪୨ କୋଟି ଟଙ୍କା ମଞ୍ଜୁର କରିଥିବା ବେଳେ ଏହାର ନିର୍ମାଣ କାର୍ଯ୍ୟ କପିଳାସ ଇନଫ୍ରାସୋଲ ପ୍ରୋଜେକ୍ଟ ନାମକ ଏକ ଘରୋଇ ସଂସ୍ଥା ନେଇଛି। ତେବେ ଏହି ଘରୋଇ ସଂସ୍ଥା ସରକାରଙ୍କ ନିୟମକୁ ଫୁ କରି ନିମ୍ନମାନର କାର୍ଯ୍ୟ କରୁଥିବାରୁ କେଉଁଠି ସିମେଣ୍ଟ ଛାଡି ଗୁଡ଼ି ଉଠିଗଲାଣି ତ ଆଉ କେଉଁଠି ପିଚୁ ମଧ୍ୟ ଉଠିଗଲାଣି। ଅଦିନିଆ ବର୍ଷାରେ ରାସ୍ତା ଦବି ଆଣ୍ଠୁଏ ଖାଲ ହୋଇଗଲାଣି। ଏହି ରାସ୍ତାରେ ପ୍ରତିଦିନ ଶହ ଶହ ଗାଡ଼ିମାଟର ଯାତାୟତ କରୁଥିବା ବେଳେ ରାସ୍ତାର ଏଭଳି ଶୋଚନୀୟ ଅବସ୍ଥା ଯୋଗୁଁ ଯାନବାହାନ ଚଳାଚଳରେ ବାଧା ସୃଷ୍ଟି ସାଙ୍ଗକୁ ଅନେକ ସମୟରେ ଛୋଟ ବଡ଼ ଦୁର୍ଘଟଣାମାନ ଘଟି ଧନ ଜୀବନ ନଷ୍ଟ ହେଉଛି। ଏ ନେଇ ବାରମ୍ବାର ପ୍ରତିବାଦ କଲେ ମଧ୍ୟ ଏଥିପ୍ରତି କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହେଉଛି। ଅନୁଦାନ ଅର୍ଥକୁ ହରିଲୁଟ କରୁଛି ଠିକାଦାର। ବିଭାଗୀୟ ଅଧିକାରୀ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେଉନଥିବାରୁ ସାଧାରଣରେ ଜନଅସନ୍ତୋଷ ଦେଖାଦେଇଛି। ଯଦିଓ ବିଭାଗୀୟ ଅଧିକାରୀ ଏଥିପ୍ରତି
ଦୃଷ୍ଟିଦେଇ କାର୍ଯ୍ୟର ତଦାରଖ କରନ୍ତେ ତେବେ ରାସ୍ତାର ଉପଯୁକ୍ତ ଭାବେ କାର୍ଯ୍ୟ ହେବା ସହିତ ଜନସାଧାରଣଙ୍କ ଗମନାଗମନ ସହଜ ହୋଇପାରନ୍ତା ବୋଲି
ଗ୍ରାମବାସୀ ମତ ଦେଇଛନ୍ତି।