ଗୋପାଳପୁରରେ ଆରମ୍ଭ ହେଲା ବୁଣାକାର ହାଟ

ରସୁଲପୁର,୨୬ା୯(ଡି.ଏନ.ଏ.): ରସୁଲପୁର ବ୍ଲକ ଅଞ୍ଚଳର ବୁଣକାର ଗାଁଭାବେ ଗୋପାଳପୁରର ସାରା ରାଜ୍ୟରେ ସୁନାମ ରହିଛି। ଏହି ଗାଁରେ ୧୫୦୦ରୁ ଊର୍ଦ୍ଧ୍ୱ ବୁଣାକାର ପରିବାର ବସବାସ କରୁଛନ୍ତି। ତେଣୁ ଏଠାରେ ରବିବାରଠାରୁ ଜୟଜଗନ୍ନାଥ ବୁଣାକାର ସାପ୍ତାହିକ ହାଟ ଶୁଭାରମ୍ଭ କରାଯାଇଛି। ହାଟର ପ୍ରଥମ ଦିନରେ ୫ଲକ୍ଷ ଟଙ୍କାର ବସ୍ତ୍ର କାରବାର ହୋଇଥିବା ଆକଳନ କରାଯାଉଛି। ଏହି ହାଟ ପ୍ରତ୍ୟେକ ରବିବାର ସକାଳ ୫ଟାରୁ ଆରମ୍ଭ ହୋଇ ୯ଟାରେ ସମାପ୍ତ ହେବ। ଏଠାରେ ବୁଣାକାରଙ୍କ ହାତ ତିଆରି ବିଭିନ୍ନ କିସମ ବସ୍ତ୍ର ଉପଲବ୍ଧ ହେବ। ଏହାଛଡ଼ା ବୁଣାବୁଣିରେ ବ୍ୟବହାର ହେଉଥିବା କଞ୍ଚାମାଲ ଓ ଯନ୍ତ୍ରାଂଶ ମିଳିବ। ହାଟରେ ବୁଣାକାର ନିଜର ତନ୍ତ ଉପତ୍ାଦିତ ଦ୍ରବ୍ୟକୁ ବିକ୍ରି କରିବା ସହିତ ବସ୍ତ୍ର ପ୍ରସ୍ତୁତିରେ ଆବଶ୍ୟକ ସରଞ୍ଜାମ କ୍ରୟ କରିପାରିବେ ବୋଲି ବୁଣାକାର ଅମୂଲ୍ୟ ସୁର, ବୈକୁଣ୍ଠ ସୁର, ରଞ୍ଜନ ସୁର, ଲକ୍ଷ୍ମୀଧର ଦାସ, ବିଶ୍ୱରଞ୍ଜନ ଦାସ ଓ ଧର୍ମେନ୍ଦ୍ର ଦାସ ପ୍ରମୁଖ ପ୍ରକାଶ କରିଛନ୍ତି।
ଜୟଜଗନ୍ନାଥ ବୁଣାକାର ମହାପ୍ରସାଦ ସେବା ସମିତି ପକ୍ଷରୁ ହାଟ ଶୁଭାରମ୍ଭ କରାଯାଇଛି। ଗାଁର ପାଲା ମଣ୍ଡପଠାରେ ଭୋର୍‌ ୫ଟା ସମୟରେ ହାଟ ବସିଥିଲା। ମଣ୍ଡପ ଉପରେ ଶୁଭକଳସ ସ୍ଥାପନକରି ବରିଷ୍ଠ ବୁଣାକାରମାନେ ହାଟ ଶୁଭାରମ୍ଭ କରିଥିଲେ। ହାଟରେ ବୁଣାକାରମାନେ ଟସର, ଗିଚା, ପାଟ ଶାଢ଼ି, ଚାଦର, ସ୍କାର୍ପ, ଓଢ଼ଣି, ଉଲବୁଣା ଚଦର, ଉତ୍ତରୀୟ, ସାଲ, କାଣ୍ଟିଆ ଚାଦର, ଲୁଙ୍ଗି, ଗାମୁଛା, ରୁମାଲ ଆଦି ସାମଗ୍ରୀ ବିକ୍ରି କରିବେ। ପୂର୍ବରୁ ବୁଣକାରମାନେ ଉପତ୍ାଦିତ ଦ୍ରବ୍ୟକୁ ସମିତିଗୁଡ଼ିକ ମାଧ୍ୟମରେ ବୟନ ଶିଳ୍ପ ବିଭାଗ ଅଧୀନରେ କାର୍ଯ୍ୟରତ ସଂସ୍ଥା ସେରିଫେଡ, ବୟନିକା, ଉତ୍କଳିକା ଓ ସମ୍ବଲପୁରୀ ବସ୍ତ୍ରାଳୟ ଆଦିରେ ବିକ୍ରି କରୁଥିଲେ। ଏବେ ହାଟ ଜରିଆରେ ଗ୍ରାହକ ସୁଲଭ ମୂଲ୍ୟରେ ସାମଗ୍ରୀ ପାଇ ପାରବେ ଓ ବୁଣାକାରମାନେ ଲାଭାଂଶକୁ ସିଧାସଳଖ ହାସଲ କରିବେ। ଏହି ହାଟରେ ହସ୍ତତନ୍ତ ସାମଗ୍ରୀ, କଞ୍ଚାମାଲ, ଯନ୍ତ୍ରାଂଶ ଆଦି କାରବାରରେ ସମ୍ପୃକ୍ତ ବ୍ୟବସାୟୀମାନେ ଏକାଠି ହେବେ ବୋଲି ଜଣାପଡ଼ିଛି। ପ୍ରଥମ ପାଳିରେ ୫୦ରୁ ଊର୍ଦ୍ଧ୍ୱ ବୁଣାକାର ଓ ବ୍ୟବସାୟୀ ଏହି ହାଟରେ କାରବାରରେ ସାମିଲ ହୋଇଥିଲେ।