ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା ମାନବ ସମାଜକୁ କେବଳ ବ୍ୟଥିତ କରିନାହିଁ,ବରଂ ଏକ ନୂତନ ଚେତନାର ବାଟ ଫିଟାଇ ଦେଇଛି। ବର୍ତ୍ତମାନ ବିଶ୍ୱର ସ୍ଥିତି ଆସୁରିକ ପ୍ରବୃତ୍ତିର ନେତୃତ୍ୱକୁ ପ୍ରତିପାଦିତ କରିଛି। ଉଦାହରଣ ଦେଇ କହିବାକୁ ଗଲେ- ଇଂରେଜ ସରକାରଙ୍କ ଶାସନ ବିରୋଧରେ ବିଦ୍ରୋହ କରୁଥିବା ବ୍ୟକ୍ତିଙ୍କୁ ସେମାନେ ହତ୍ୟା କରୁଥିଲେ। କିଛି ବର୍ଷ ପରେ ହିଟ୍ଲର ଆସୁରିକ ଶକ୍ତିରେ କବଳିତ ହୋଇ ଲକ୍ଷ ଲକ୍ଷ ଲୋକଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ।
ମଧ୍ୟପ୍ରାଚ୍ୟରେ ଯେଉଁ ସଂଘର୍ଷ ଓ ମୁକାବିଲା ଦେଖାଦେଇଛି, ତାହା ଏକ ଉଦାହରଣ। ପୂର୍ବରୁ ଦୁଇଟି ମହାସମର ଘଟିଯାଇଛି। ଏକ ତୃତୀୟ ମହାସମର ପାଇଁ ବାଟ ଫିଟାଯାଉଛି, କିନ୍ତୁ ଏହା ଆଉ ଘଟିବ ନାହିଁ ବୋଲି ଶ୍ରୀଅରବିନ୍ଦ କହିଯାଇଛନ୍ତି। ବର୍ତ୍ତମାନର ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ଅବଲୋକନ କଲେ ଜାଣିହେଉଛି ଯେ ଦୁଇଟି ଶକ୍ତି ମଧ୍ୟରେ ଲଢ଼େଇ ଚାଲିଛି। ହେଲେ ଐକ୍ୟର ପ୍ରଭାବ ଯୋଗୁ ଯେଉଁ ପରିସ୍ଥିତି ପୂର୍ବରୁ ସହଜରେ ପୃଥିବୀବ୍ୟାପୀ ମହାସମର ଘଟାଇପାରୁଥିଲା, ତାହା ସେପରି ହେବାକୁ ସୁଯୋଗ ପାଉନାହିଁ। ସାମାନ୍ୟ ଖଣ୍ଡଯୁଦ୍ଧ, ଆଞ୍ଚଳିକ ସଂଘର୍ଷ ଅନ୍ୟ ଦେଶଗୁଡ଼ିକରେ ଲାଗିପାରେ; କିନ୍ତୁ ପୃଥିବୀ ମହାସମର ଅସମ୍ଭବ। ଐକ୍ୟ, ସଂହତିର ମୂଳ ସତ୍ୟ ପ୍ରତିଷ୍ଠା ଫଳରେ ହିଂସା ଏବଂ ଯୁଦ୍ଧ ପଶ୍ଚାତ୍ରେ ଥିବା ଶକ୍ତିର ମୂଳଦୁଆ ଭାଙ୍ଗିଯାଇଛି। ଯାହା ମନେହୁଏ, ଏକ ନୂତନ ଧାରା ସୃଷ୍ଟି ହେବାକୁ ଯାଉଛି, ଯାହା ଆମ ମନରେ ଏକ ଧାରଣା ସୃଷ୍ଟି କରୁଛି ଯେ ପୃଥିବୀ ଏକ ହେବା ଦିଗରେ ଗତିକରୁଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ମାନବଜାତି କିପରି ସୁଖ ଓ ଶାନ୍ତିରେ ଏହି ପୃଥିବୀରେ ବସବାସ କରିପାରିବ, ସେଥିପାଇଁ ଅନେକ ଅନ୍ତର୍ଜାତୀୟ ନିୟମାବଳୀ ଓ ସଂଗଠନ ତିଆରି କରାଯାଇଥିଲା। ସେଥିମଧ୍ୟରୁ ଜାତିସଂଘ ଏକ ସଂଗଠନ। ସେତେବେଳେ ଏହି ସଂଘଟି ଏପରି ଗଠନ କରାଯାଇଥିଲା ଯେ, ତାହା ଭବିଷ୍ୟତ ବିଶ୍ୱ ପ୍ରତି ଦୃଷ୍ଟି ଦେଇ ନ ଥିଲା। ଦୂରଦୃଷ୍ଟି ଅଭାବରୁ ୫ଟି ଦେଶ ସମଗ୍ର ବିଶ୍ୱରେ ଏଯାବତ୍ ପ୍ରତିପତ୍ତି ଜାହିର କରିଚାଲିଛନ୍ତି। ଏହାର ପରିବର୍ତ୍ତନ କରି ହେଉ ନାହିଁ। ଜାତିସଂଘ ବହୁ ଦିନରୁ ତା’ର ମର୍ଯ୍ୟାଦା ହରାଇସାରିଲାଣି। ଇରାନ୍-ଆମେରିକା ଯୁଦ୍ଧ ପରିପ୍ରକ୍ଷେୀରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ସୁରକ୍ଷା ପରିଷଦ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ସାମ୍ପ୍ରତିକ ପରିସ୍ଥିତିରେ ବୈଶ୍ୱିକ ଗତିଧାରା ଯେଭଳି ରହିଛି, ତାହା ବିଚାରକୁ ନେଲେ ଜାତିସଂଘ ସୁରକ୍ଷା ପରିଷଦର କିଛି କର୍ତ୍ତୃତ୍ୱ ନାହିଁ। ଦେଶ ମଧ୍ୟରେ ଲାଗୁଥିବା ବିବାଦର ସମାଧାନ ପାଇଁ କିଛି କରାଯାଉ ନ ଥିବା ବେଳେ ସୁରକ୍ଷା ପରିଷଦ ସଦସ୍ୟଙ୍କ ଭିଟୋ କ୍ଷମତା ଏଥିପାଇଁ କାଳ ହୋଇଛି। ସେ ମଧ୍ୟ କହିଛନ୍ତି, ୧୯୪୫ ପରେ ଜାତିସଂଘ ସୁରକ୍ଷା ପରିଷଦର ସ୍ଥିତି ଯେପରି ଥିଲା ତାହା ଏବେ ନାହିଁ। ଏଥିରୁ ଜଣାପଡ଼େ , ମିଳିତ ଜାତିସଂଘ ଓ ତା’ର ସୁରକ୍ଷା ପରିଷଦ ତଥା ଭିଟୋ କ୍ଷମତାର ଅବସାନ ଏଇଠି ପ୍ରକାଶ୍ୟରେ ଘଟିଲା। ବିଶ୍ୱରେ ଆମେରିକାର ଏକତରଫା ଯୁଦ୍ଧକୁ ଏହି ସଂଘ ରୋକିପାରିଲା ନାହିଁ। ନିରପେକ୍ଷତା ଅବଲମ୍ବନ ନ କରିବାରୁ ଜାତିସଂଘ ନିଜର ସ୍ଥିତି ହରାଇ ସାରିଥିବା ବିଶ୍ୱବାସୀ ଅନୁଭବ କରିଥିଲେ ହେଁ ଭାରତ ପକ୍ଷରୁ ଏହାର ସଂସ୍କାର ନିମନ୍ତେ ଏକାଧିକ ଥର ଦାବି କରାଯାଇଛି। ହେଲେ ତାହା ନିଷ୍ଫଳ ହୋଇଯାଇଛି। ଏବେ ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଜାତିସଂଘ ସମ୍ପୂର୍ଣ୍ଣ ତା’ର ସ୍ଥିତି ହରାଇଥିବା ଲକ୍ଷ୍ୟ କରାଯାଉଛି। ଏହି ଯୁଦ୍ଧର ସମାପ୍ତି ପରେ ମିଳିତ ଜାତିସଂଘ ଏକ ନୂତନ ରୂପରେଖ ନେଇ ଗଢ଼ି ଉଠିବାର ଆଶା ଉଦ୍ରେକ ହୋଇଛି।
ଶୀତଳଯୁଦ୍ଧ ସମୟରେ ବିଶ୍ୱରେ ଦୁଇ ପ୍ରମୁଖ ଶକ୍ତିକେନ୍ଦ୍ରକୁ ନେଇ ଗଢ଼ି ଉଠିଥିବା ସାମରିକ ମେଣ୍ଟ ସୋଭିଏତ୍ ରୁଷ ବିଭାଜନ ପରେ ନିଶ୍ଚିହ୍ନ ହୋଇଯାଇଥିଲା। କିନ୍ତୁ ୟୁରୋପୀୟ ରାଷ୍ଟ୍ରଙ୍କୁ ନେଇ ଯେଉଁ ସାମରିକ ମେଣ୍ଟ ଗଢ଼ାଯାଇଥିଲା, ତାହା ଆମେରିକା ନେତୃତ୍ୱାଧୀନ ରହିଥିଲା। ଏହାକୁ ନାଟୋ ସଦସ୍ୟ ରାଷ୍ଟ୍ର ଏଯାବତ୍ ଗୁରୁତ୍ୱ ଦେଇ ଆସିଥିଲେ। ଏବେ ସେହି ନାଟୋକୁ ଆମେରିକା ନିଜ ହାତରେ ଧ୍ୱଂସ କରିଦେଇଛି। ନାଟୋକୁ ଭୁଲ୍ ବାଟରେ ନେବା ଦ୍ୱାରା ଏହା ଏପରି ଘଟିଲା ବୋଲି କୁହାଯାଇପାରେ। ଆମେରିକା ନିଜ ସ୍ବାର୍ଥରେ ନାଟୋକୁ ବିନିଯୋଗ କରିବା ଫଳରେ ନାଟୋ ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେଲାଣି। ଆମେରିକାର ଏକାଧିପତ୍ୟତା ସବୁରାଷ୍ଟ୍ର ଜାଣିସାରିଲେଣି। ଏହି ତିନି ଦଶନ୍ଧି ଭିତରେ ଆତଙ୍କବାଦ ଓ ପରମାଣୁ ଶକ୍ତିକୁ ନେଇ ଆମେରିକା ବହୁ ଯୁଦ୍ଧ ଭିଆଇ ସାରିଲାଣି। ଆମେରିକାର ଦୂରଦୃଷ୍ଟି ବିହୀନ ନିଷ୍ପତ୍ତିକୁ ସମର୍ଥନ ଦେଇ ନାଟୋ ସହଯୋଗୀ ଇରାକଠାରୁ ଆଫ୍ଗାନ ଯୁଦ୍ଧରେ ସାମିଲ କରି ଲଢ଼ିବା ପରେ ଏବେ ମଧ୍ୟପ୍ରାଚ୍ୟ ଯୁଦ୍ଧରେ କରଛଡ଼ାଦେବାକୁ ବାଧ୍ୟ ହୋଇଛି। ସେଥିପାଇଁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ ସେମାନଙ୍କ ବିରୋଧରେ ବିଷୋଦ୍ଗାର କରିଛନ୍ତିି। ଏଇଠି ନାଟୋ ତା’ର ଅସ୍ତିତ୍ୱ ହରାଇ ନବ କଳେବର ଧାରଣ କରିବାକୁ ଯାଉଛି। ନାଟୋ ବିରୋଧରେ ଯାଇ ଆମେରିକା ୟୁରୋପର ଅଧିକାଂଶ ରାଷ୍ଟ୍ରଙ୍କ ବିରୋଧୀ ଯେ ହୋଇ ପଡ଼ିଛି, ତାହା ତାକୁ ବୋଧେ ଅଜଣା।
ନିଜ ଦେଶର ଯୁଦ୍ଧାସ୍ତ୍ର ବିକ୍ରୟ ପାଇଁ ଆମେରିକା ସାରା ବିଶ୍ୱରେ ଯୁଦ୍ଧର ବିଭୀଷିକା ସୃଷ୍ଟି କରିଥିବା ଦେଖାଯାଇଛି। ଶେଷରେ ତୈଳ ବ୍ୟାପାରକୁ ଏକଚାଟିଆ କରିବାକୁ ଯାଇ ମଧ୍ୟପ୍ରାଚ୍ୟରେ ଯେଉଁ ବିଭୀଷିକା ରଚନା କଲା, ତାହା ଆମେରିକାର ଅହଂକାର ଓ ଔଦ୍ଧତ୍ୟକୁ ପ୍ରତିପାଦିତ କରିଛି। ଆହୁରି ମଧ୍ୟ ଅନୁଭବ କରାଯାଇଛି ଯେ, ସାମରିକ ଅସ୍ତ୍ରଶସ୍ତ୍ରକୁ ନେଇ ଆମେରିକା ସବୁ ରାଷ୍ଟ୍ରକୁ ନାଲିଆଖି ଦେଖାଇ ଆସିଛି। ଯାହାଫଳରେ ବିଶ୍ୱର ଅଧିକାଂଶ ରାଷ୍ଟ୍ର ଆମେରିକାର ବିପର୍ଯ୍ୟୟ ଚାହୁଁଥିଲେ। ଅପରପକ୍ଷରେ ଆମେରିକାର ସାମରିକ ଶକ୍ତିକୁ ମୁକାବିଲା କରିବା ପାଇଁ ଅଧିକାଂଶ ରାଷ୍ଟ୍ର ନିଜର ସାମର୍ଥ୍ୟ ହାସଲ କରିସାରିଲେଣି, ଏକଥା ଆମେରିକା ଜାଣିନଥିଲା। ଇରାନ୍ ନିଜର ସାମରିକ ଶକ୍ତିକୁ ନେଇ ଆମେରିକାକୁ ଚେତେଇଦେଲା ଯେ ‘ଆମେ ମଧ୍ୟ ତୁମଠାରୁ କମ୍ ନାହୁଁ’। ଆମେରିକାର ଏକାଧିପତ୍ୟତା ପାଇଁ ବିଶ୍ୱର ଛୋଟ ବଡ଼ ଦେଶ ପରମାଣୁ ଶକ୍ତିର ଅଧିକାରୀ ହୋଇ ପାରିଛନ୍ତି। ଏଭଳି ପ୍ରତିଦ୍ୱନ୍ଦ୍ୱିତା ସୃଷ୍ଟି କରିବା ପାଇଁ ଯେ ଆମେରିକା ଏକମାତ୍ର ଦାୟୀ, ତାହା ଅସ୍ବୀକାର କରିହେବ ନାହିଁ।
ଆମେରିକା-ଇରାନ୍ ଯୁଦ୍ଧ ବିଶ୍ୱ ପାଇଁ ଏକ ଚେତାବନୀ କହିଲେ ଅତ୍ୟୁକ୍ତି ହେବ ନାହିଁ। ଆମେରିକା କିମ୍ବା ଇରାନ୍ ସପକ୍ଷରେ କୌଣସି ଦେଶ ସିଧାସଳଖ ଯୁଦ୍ଧରେ ପକ୍ଷଭୁକ୍ତ ହୋଇ ନ ଥିଲେ ହେଁ ଆମେରିକା ବିପକ୍ଷରେ ଅଧିକାଂଶ ରାଷ୍ଟ୍ରଙ୍କର ଅସଦ୍ଦିଚ୍ଛା ପୂରାମାତ୍ରାରେ ଥିବା କଥାକୁ କେହି ଅସ୍ବୀକାର କରିପାରିବେ ନାହିଁ। ଏହାକୁ ଆମେରିକା ଅନୁଭବ କରିବା ଆବଶ୍ୟକ। ବିଶ୍ୱଶାନ୍ତି ପାଇଁ ଭାରତର ଭୂମିକା ଅପରିହାର୍ଯ୍ୟ, ତାହା କହିବା ବାହୁଲ୍ୟମାତ୍ର। ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ବିଶ୍ୱସ୍ତରୀୟ ଶାସନ ପ୍ରତିଷ୍ଠାନ, ବିଶେଷକରି ଜାତିସଂଘ ସୁରକ୍ଷା ପରିଷଦର ସଂସ୍କାର ଏବେ ବିକଳ୍ପ ଚାହୁଁ ନାହିଁ। ବରଂ ଜରୁରୀ। ଜି-୨୦ ଶିଖର ସମ୍ମିଳନୀ ମଧ୍ୟ ଅକାମୀ ହୋଇଯାଇଛି। ତା’ର ପୁନରୁଦ୍ଧାର ଆବଶ୍ୟକ। ଭାରତ-ବ୍ରାଜିଲ, ଦକ୍ଷିଣ ଆଫ୍ରିକାର ନେତା ଓ ବ୍ରିକ୍ସ ସଂଘକୁ ଏହି ସମୟରେ ଅଧିକ ଗତିଶୀଳ କରାଯିବା ଦରକାର। ବିଶ୍ୱ ଜନମତକୁ ଯେଉଁ ରାଷ୍ଟ୍ରନେତା ଗୁରୁତ୍ୱ ଦିଅନ୍ତି ନାହିଁ, ସେମାନଙ୍କୁ ଶେଷରେ ତଳିତଳାନ୍ତ ହେବାକୁ ପଡ଼େ।
ହରେକୃଷ୍ଣ ପଣ୍ଡା
ସୟେଦପୁର, ଯାଜପୁର
ମୋ: ୯୪୩୭୩୧୫୬୨୩

