Categories: ଜାତୀୟ

ଆଗକୁ ଉଷ୍ମ ଶୀତଋତୁ

ନୂଆଦିଲ୍ଲୀ,୭ା୧୨ : ଆଗାମୀ ଦିନରେ ଶୀତଋତୁ ଉଷ୍ମ ହେବ ବୋଲି ବୈଜ୍ଞାନିକମାନେ ପୂର୍ବାନୁମାନ କରିଛନ୍ତି। ୨୦୨୩-୨୪ର ଶୀତଋତୁରେ ପୃଥିବୀ ପୃଷ୍ଠର ହାରାହାରି ତାପମାତ୍ରା ନୂଆ ଐତିହାସିକ ରେକର୍ଡ ସୃଷ୍ଟି କରିବାର ୯୫ ପ୍ରତିଶତ ସମ୍ଭାବନା ଥିବା ଗବେଷକମାନେ ଜାଣିବାକୁ ପାଇଛନ୍ତି। ଏହି ସମୟରେ ୟୁରେସିଆର ମଧ୍ୟ-ନିମ୍ନ ଅକ୍ଷାଂଶ ଅଞ୍ଚଳ ଏବଂ ଆମେରିକାର ଅଧିକାଂଶ ସ୍ଥାନରେ ଆଶାତୀତ ଭାବେ ଉଷ୍ମ ଶୀତଋତୁ ଅନୁଭୂତ ହୋଇପାରେ ବୋଲି ଚାଇନିଜ୍‌ ଏକାଡେମୀ ଅଫ୍‌ ସାଇନ୍ସେସ୍‌ର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଆଟମୋସ୍ପିୟରିକ୍‌ ଫିଜିକ୍ସର ଗବେଷକମାନେ କହିଛନ୍ତି। ଆଗାମୀ ଦିନରେ ଉତ୍ତର ଗୋଲାର୍ଦ୍ଧରେ ଶୀତଋତୁକୁ ପୂର୍ବ ପ୍ରଶାନ୍ତ ମହାସାଗରୀୟ ଏଲ୍‌ ନିନୋ ପ୍ରଭାବିତ କରିବ।

ଶକ୍ତିଶାଳୀ ଏଲ୍‌ ନିନୋ ଯୋଗୁ ଉତ୍ତରପଶ୍ଚିମ ପ୍ରଶାନ୍ତ ମହାସାଗରରେ ଅସାଧାରଣ ଆଣ୍ଟିସାଇକ୍ଲୋନ୍‌ ଗତିବିଧି ଦେଖାଯିବା, ଯାହା ପୂର୍ବ ଏସିଆ ଏବଂ ଉତ୍ତର ଆମେରିକାରେ ଶୀତଦିନିଆ ଜଳବାୟୁକୁ ପ୍ରଭାବିତ କରିବ ବୋଲି ଗବେଷକମାନେ କହିଛନ୍ତି। ଉକ୍ତ ଅଧ୍ୟୟନ ଆଡଭାନ୍ସେସ୍‌ ଇନ୍‌ ଆଟ୍‌ମୋସ୍ପିୟରିକ୍‌ ସାଇନ୍ସେସ୍‌ ପତ୍ରିକାରେ ପ୍ରକାଶ ପାଇଛି।

Share