ଦେଶଭକ୍ତିର ଅନନ୍ୟ ଉଦାହାରଣ: କାର୍‌କୁ ତ୍ରିରଙ୍ଗା ଥିମ ଦେବା ପାଇଁ ଖର୍ଚ୍ଚ କଲେ ୨ ଲକ୍ଷ ଟଙ୍କା

ନୂଆଦିଲ୍ଲୀ,୧୫ା୮: ଭାରତ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ପ୍ରତ୍ୟେକ ଭାରତୀୟ ଦେଶପ୍ରେମର ରଙ୍ଗରେ ବୁଡି ରହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ହର ଘର ତ୍ରିରଙ୍ଗା’ ଅଭିଯାନରେ ଯୋଗଦେଇ ଦେଶବାସୀ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରୁଛନ୍ତି।
ଗୁଜରାଟ ସୁରଟର ସିଦ୍ଧାର୍ଥ ଦୋସି ନାମକ ଜଣେ ଯୁବକ ‘ଆଜାଦୀ କା ଅମୃତ ମହୋତ୍ସବ’ ଦ୍ୱାରା ପ୍ରଭାବିତ ହୋଇ ତାଙ୍କ କାର୍‌କୁ ତ୍ରିରଙ୍ଗା ଥିମ ଦେବା ପାଇଁ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଏବେ ତାଙ୍କ କାର୍‌ର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସିଦ୍ଧାର୍ଥ ପ୍ରଧାନମନ୍ତ୍ରୀ ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବାକୁ ଚାହୁଁଛନ୍ତି।
ସିଦ୍ଧାର୍ଥ ତାଙ୍କ କାର୍‌ରେ ଏହି ପରିବର୍ତ୍ତନ ପରେ ସେ ଭାରତ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ବିଷୟରେ ଯୁବକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ସୁରଟରୁ ଦିଲ୍ଲୀରେ ପହଞ୍ଚିଛନ୍ତି। ଦିଲ୍ଲୀର ବିଜୟ ଚୌକ ସମ୍ମୁଖରେ ସିଦ୍ଧାର୍ଥ ଲୋକମାନଙ୍କୁ ‘ହର ଘର ତ୍ରିରଙ୍ଗା’ ଅଭିଯାନରେ ଯୋଗଦେବାକୁ ନିବେଦନ କରିଛନ୍ତି।
ସିଦ୍ଧାର୍ଥ ଗୁଜରାଟର ସୁରଟର ବାସିନ୍ଦା। ତ୍ରିରଙ୍ଗା ରଙ୍ଗରେ ରଙ୍ଗାୟିତ ସେହି କାର୍‌ରେ ସୁରଟରୁ ଦିଲ୍ଲୀରେ ପହଞ୍ଚିଛନ୍ତି। ବାଟରେ ସେ ଲୋକମାନଙ୍କୁ ଶହ ଶହ ପତାକା ବଣ୍ଟନ କରିଥିଲେ ଏବଂ ସେମାନଙ୍କୁ ’ହର ଘର ତିରଙ୍ଗା’ ମିଶନରେ ସକ୍ରିୟ ଅଂଶଗ୍ରହଣ କରିବାକୁ ଅନୁରୋଧ କରିଥିଲେ। ସିଦ୍ଧାର୍ଥ ଦୋସିଙ୍କ କାର୍‌ ବର୍ତ୍ତମାନ ଦିଲ୍ଲୀରେ ଆକର୍ଷଣର କେନ୍ଦ୍ର ପାଲଟିଛି।

Share