ପରମ୍ପରାର ପ୍ରଚାର ପାଇଁ ନିଆରା ପ୍ରୟାସ

ପୁରୀ ଅଫିସ,୬।୯:କଟକ ମାଛୁଆବଜାର ଗଣେଶ ପୂଜାରେ ଯୋଗଦେଇଥିବା ମହାରାଷ୍ଟ୍ରର ପାରମ୍ପରିକ ଢୋଲ୍‌ ବାଜା ଗ୍ରୁପ୍‌ ସୋମବାର ପୁରୀରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ମଧ୍ୟାହ୍ନରେ ନାଗପୁର ଶିବସାଇ ଢୋଲ ତାସା ଅନୁଷ୍ଠାନର ୭୫ ଜଣ ସଦସ୍ୟ ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିଥିଲେ। ଏମାନଙ୍କ ମଧ୍ୟରେ ୧୭ଜଣ ମହିଳା ଥିଲେ। ସାଧାରଣତଃ ଢୋଲ ବଜାଉଥିବା ଶ୍ରେଣୀର ଲୋକେ କମ୍‌ ଶିକ୍ଷିତ ହୋଇଥିବା ନେଇ ଏକ ଗତାନୁଗତିକ ଚିନ୍ତାଧାରା ରହିଥିବାବେଳେ ଏହି ଗ୍ରୁପ୍‌ ତାହାର ବ୍ୟତିକ୍ରମ। ଉକ୍ତ ଗ୍ରୁପ୍‌ରେ ଇଞ୍ଜିନିୟରଙ୍କଠାରୁ ଆରମ୍ଭ କରି ଡାକ୍ତର, ଫାର୍ମାସିଷ୍ଟ, ବ୍ୟବସାୟୀ, ଛାତ୍ର ପ୍ରଭୃତି ସବୁ ଶ୍ରେଣୀ ଓ ସବୁ ବର୍ଗର ଲୋକ ରହିଛନ୍ତି। ମହାପ୍ରଭୁଙ୍କ ଦର୍ଶନ ଉଦ୍ଦେଶ୍ୟରେ ଏମାନେ ପୁରୀ ଆସିଥିବାବେଳେ ଶ୍ରୀଜଗନ୍ନାଥ ପରମ୍ପରା ସମ୍ପର୍କରେ ଅଧିକ ଜାଣିବାକୁ ଆଗ୍ରହୀ ଥିବା ପ୍ରକାଶ କରିଛନ୍ତି। ଗ୍ରୁପ୍‌ ଲିଡର୍‌ ତଥା ଶିବସାଇ ଢୋଲ ତାସା ଅନୁଷ୍ଠାନର ମୁଖ୍ୟ ଉତ୍ତମ ଗୁର୍ବେ କହିଛନ୍ତି, ମହାରାଷ୍ଟ୍ରରେ ଗଣେଣ ମହୋତ୍ସବ ୧୦ ଦିନ ଧରି ପାଳନ ହୁଏ। ଓଡ଼ିଶାରେ ଏହା ୩ଦିନ ହୋଇଥାଏ ବୋଲି ଜାଣିବାକୁ ପାଇଲୁ। କଟକର ବିଭିନ୍ନ କ୍ଲବ୍‌ର ନିମନ୍ତ୍ରଣ ରକ୍ଷା କରି କଳା ପ୍ରଦର୍ଶନ ଉଦ୍ଦେଶ୍ୟରେ ଆସିଥିଲୁ। କଳା ପ୍ରଦର୍ଶନ ସାରିବା ପରେ ମହାପ୍ରଭୁଙ୍କ ସାନିଧ୍ୟ ଲାଭ ପାଇଁ ପୁରୀ ଆସିଛୁ। ଶିକ୍ଷାଗତ ଯୋଗ୍ୟତାର ପରିସୀମା ମଧ୍ୟରେ କୌଣସି କଳା ଆବଦ୍ଧ ହୋଇ ରହିପାରିବ ନାହିଁ। ନିଜ ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାର ପାଇଁ ଶିକ୍ଷା ଯଦି ବାଧକ ସାଜୁଛି ତେବେ ସେଭଳି ଶିକ୍ଷା ମୂଲ୍ୟହୀନ। ମହାରାଷ୍ଟ୍ରର ଗୌରବ ଶିବାଜୀ ମହାରାଜଙ୍କ ଗୌରବମୟ ପରମ୍ପରାର ପ୍ରଚାର ପ୍ରସାର ପାଇଁ ଆମେ ସବୁବେଳେ ପ୍ରୟାସ କରିଆସୁଛୁ। ସର୍ବଭାରତୀୟ ସ୍ତରରେ ଆମ କଳା ଓ ସଂସ୍କୃତିକୁ ଲୋକେ ଚିହ୍ନନ୍ତୁ ଓ ସମ୍ମାନ ଦିଅନ୍ତୁ, ଏହା ହିଁ ଆମ ପ୍ରାଥମିକତା। ଢ଼ୋଲ ବଜାଇବା ହିଁ ମହାରାଷ୍ଟ୍ର ପ୍ରତି ଆମର ଭଲପାଇବା। ଏଣୁ ଏହାକୁ ନେଇ ଲଜ୍ଜିତ ଅନୁଭବ କରିବାର ପ୍ରଶ୍ନ ଉଠୁନାହିଁ। ସେହିଭଳି ଫାର୍ମାସିଷ୍ଟ ଶାନ୍ତନୁ କୁମାର କହିଛନ୍ତି, ଓଡ଼ିଶା ହେଉଛି ସଂସ୍କୃତି ଓ କଳାପ୍ରେମୀଙ୍କ ରାଜ୍ୟ। ମୋର ପ୍ରଥମ ଅନୁଭୂତି ଚମତ୍କାର ରହିଛି। ମହାରାଷ୍ଟ୍ର ଭଳି ଏଠାରେ ମଧ୍ୟ ଲୋକେ ନିଜ ପରମ୍ପରା ଓ କଳାକୁ ପ୍ରୋତ୍ସାହିତ କରୁଛନ୍ତି। କଟକରେ କଳା ପ୍ରଦର୍ଶନ କରିବା ପ୍ରେରଣାଦାୟକ ଥିଲା। ସେହିଭଳି ଛାତ୍ର ଚେତନ ସାଭରକର କହିଛନ୍ତି, ହିନ୍ଦୁ ଭାବେ ଆମେ ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ଗର୍ବିତ। ଓଡ଼ିଶା ଆସି ମହାପ୍ରଭୁଙ୍କ ଦର୍ଶନ ନ କରି ଯିବା କେବେ ହେଲେ ସମ୍ଭବ ନୁହେଁ। ପୁରୀରେ ମଧ୍ୟ କଳା ପ୍ରଦର୍ଶନ କରିବାକୁ ଆଗ୍ରହୀ ଅଛୁ। କେବେ ସୁଯୋଗ ମିଳିଲେ ମହାପ୍ରଭୁଙ୍କ ଧାମରେ ଢୋଲ କଳା ପ୍ରଦର୍ଶନ କରିବୁ। ତେବେ ଏହି ଗ୍ରୁପ୍‌ ପୁରୀରେ ନିଜର କଳା ପ୍ରଦର୍ଶନ କରିନାହାନ୍ତି। ମହାପ୍ରଭୁଙ୍କ ଦର୍ଶନ ସାରି ଭୁବନେଶ୍ୱର ଫେରିଯାଇଛନ୍ତି।