କନଷ୍ଟେବଳଙ୍କ ମୃତଦେହ ନେବାପାଇଁ ୨ ସ୍ତ୍ରୀ-ମା’ଙ୍କ ମଧ୍ୟରେ ଟଣାଓଟରା

କଟକ,୨୭।୩(ଶିଳ୍ପା ପ୍ରିୟଦର୍ଶିନୀ): ଏସସିବି ମେଡିକାଲରେ ବୁଧବାର ଜଣେ କନଷ୍ଟେବଳଙ୍କ ମୃତ୍ୟପରେ ମୃତଦେହ ନେବା ପାଇଁ କନଷ୍ଟେବଳଙ୍କ ସ୍ତ୍ରୀ ଏବଂ ମା’ଙ୍କ ମଧ୍ୟରେ ଟଣାଓଟରା। ମୃତଦେହ ନେବା ପାଇଁ ଏସସିବି ମେଡିକାଲ ଶବଗ୍ରୁହ ନିକଟରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ।
ଘଟଣା ଅନୁଯାୟୀ, କଟକ ଫୁଲନଖରାସ୍ଥିତ ଏନଏଚ ଟ୍ରାଫିକରେ କନଷ୍ଟେବଳ ଭାବେ କାର୍ଯ୍ୟ କରୁଥିଲେ ଖୋର୍ଦ୍ଧା ବେଗୁନିଆ ଅଞ୍ଚଳର ଅଭୟ କୁମାର ବେହେରା। ଗତ ଶନିବାର ଅଭୟ ଏକ ଦୁର୍ଘଟଣାରେ ଗୁରୁତର ହୋଇ କଟକ ଏସସିବି ମେଡିକାଲରେ ଚିକିତ୍ସିତ ହେଉଥିଲେ। ତେବେ ବୁଧବାର ସକାଳେ ଅଭୟଙ୍କ ମୃତ୍ୟୁପରେ ତାଙ୍କ ମୃତ୍ୟୁଦେହ ନେବା ପାଇଁ ମେଡିକାଲରେ ପହଞ୍ଚିଥିଲେ ତାଙ୍କ ପ୍ରଥମ ସ୍ତ୍ରୀ, ଦ୍ବିତୀୟ ସ୍ତ୍ରୀ ଏବଂ ପରିବାର ଲୋକ। ଯାହାକୁ ନେଇ ଅଭୟଙ୍କ ମା’ ଏବଂ ତାଙ୍କ ପ୍ରଥମ ସ୍ତ୍ରୀଙ୍କ ମଧ୍ୟରେ ଟଣାଓଟରା ଲାଗିଛି।
ମୃତ ଅଭୟ ୨୦୧୬ରେ ପୁରୀ ପୋଲିସ ବିଭାଗର ଓୟାରଲେସ ଟେଲିଫୋନିକରେ କାର୍ଯ୍ୟ କରୁଥିବା ଦେବସ୍ମିତା ସେଠୀଙ୍କୁ ଭଲ ପାଇ ବିବାହ କରିଥିଲେ। ଅଭୟଙ୍କର ଏକ ପୁଅ ମଧ୍ୟ ଅଛି। ତେବେ ବିବାହର ବର୍ଷେ ପରେ ମତାନ୍ତର କାରଣରୁ ଅଭୟ ଛାଡପତ୍ର ପାଇଁ ପରିବାର ଅଦାଲତରେ ଆବେଦନ କରିଥିଲେ। ଛାଡପତ୍ର ମାମଲା କୋର୍ଟରେ ବିଚାରଧୀନ ଥିବା ବେଳେ ଅଭୟ ୨୦୧୭ରେ ଆଉ ଜଣେ ମହିଳାଙ୍କୁ ବିବାହ କରିଥିଲେ। ଏବେ ପର୍ଯ୍ୟନ୍ତ ଦ୍ବିତୀୟ ପତ୍ନୀଙ୍କ ସହ ଅଭୟ ରହୁଥିବା ବେଳେ ଅଭୟଙ୍କ ମ୍ରୁତ୍ୟୁ ପରେ ତାଙ୍କ ମୃତଦେହ ନେବା ପାଇଁ ତାଙ୍କ ପ୍ରଥମ ସ୍ତ୍ରୀ, ଦ୍ବିତୀୟ ସ୍ତ୍ରୀ ଏବଂ ଅଭୟଙ୍କ ମାଆଙ୍କ ମଧ୍ୟରେ ଟଣାଓଟରା ଲାଗିରହିଛି। ପ୍ରଥମ ସ୍ତ୍ରୀ ଅଭୟଙ୍କ ସ୍ତ୍ରୀ ଭାବେ ନିଜକୁ ଦାବି କରୁଥିବା ବେଳେ ଦ୍ବିତୀୟ ସ୍ତ୍ରୀ ମଧ୍ୟ ଅଭୟଙ୍କ ସ୍ତ୍ରୀ ବୋଲି ଦାବି କରୁଛନ୍ତି। ତେଣୁ ସେ ଅଭୟଙ୍କ ମୃତଦେହ ନେବାକୁ ଦାବି କରିଛନ୍ତି।