ଦିଗପହଣ୍ଡି,୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଇକ ଜଗନ୍ନାଥପୁର-ପ୍ରତାପଗିରି ଗ୍ରାମ ଛକ ପୋଖରୀ ନିକଟ ବୁଲାଣି ରାସ୍ତାରେ ଦ୍ରୁତଗତିରେ ଯାଉଥିବା ବାଲି ବୋଝେଇ ହାଇୱା ଟ୍ରକ (ନଂ. ଓଡ଼ି୦୨ ଡିକେ -୧୭୧୨) ଏକ ବାଉଁଶ ବୋଝେଇ ଶଗଡ଼କୁ ଧକ୍କା ଦେବାରୁ ୨ ଜଣ ଚାଷୀ ମୃତ୍ୟୁବରଣ କରିଛନ୍ତି। ମୃତକ ଦ୍ବୟ ହେଲେ ପ୍ରତାପଗିରି ଗ୍ରାମର ବିଜି ଓରଫ ବିଜୟ ଗୌଡ଼(୫୫) ଏବଂ ନାଥ ଜେନା(୬୦)। ବିଜୟ ଏବଂ ନାଥ ଦୁଇଜଣ ଘନିଷ୍ଠ ସାଙ୍ଗ। ଉଭୟେ ଉଭୟଙ୍କୁ ସଙ୍ଗାତ ବୋଲି ଡାକୁଥିଲେ।
ବୁଧବାର ଭୋର ପ୍ରାୟ ୪ଟାରେ ଉଭୟେ ଶଗଡ଼ ନେଇ ନିକଟସ୍ଥ ରତନେଇ ଜଙ୍ଗଲକୁ ଯାଇଥିଲେ। ଶଗଡ଼ରେ ବାଉଁଶ ବୋଝେଇ କରି ଜଙ୍ଗଲରୁ କଉଡ଼ିଆ ଗାଁ ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଟ୍ରକଟି ଧକ୍କା ଦେବାରୁ ଶଗଡ଼ ସମ୍ମୁଖରେ ଥିବା ଶଗଡ଼ିଆ ବିଜି ଏବଂ ନାଥ ଗୁରୁତର ଆହତ ହୋଇଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ଆଡପଡ଼ା ଗ୍ରାମ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ନାଥଙ୍କୁ ମୃତ ଘୋଷଣା କରିଥିଲେ। ବିଜିଙ୍କୁ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା। ପାଟପୁର ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଗସ୍ତ ହାଇୱା ଟ୍ରକ ଏବଂ ଶଗଡ଼କୁ ଜବତ କରି ମୋକଦ୍ଦମା ରୁଜୁ କରିଛନ୍ତି।
ସେହିପରି ଆଡ଼ପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ପୋଲିସ ପହଞ୍ଚି ଉଭୟଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି। ଖବର ପ୍ରଚାରିତ ହେବାପରେ ଗାଁ ରେ ଗୁରୁବାର ସକାଳୁ ଶୋକାକୁଳ ପରିବେଶ ଲାଗି ରହିଥିଲା। ପରିବାର ଲୋକଙ୍କ କାନ୍ଦ ବୋବାଳିରେ ଗାଁର ବଡ଼ଦାଣ୍ଡ ସାହି ଫାଟି ପଡିଥିଲା। ମଧ୍ୟାହ୍ନରେ ମୃତଦେହ ଗାଁରେ ପହଞ୍ଚିବା ପରେ ସମସ୍ତ ବନ୍ଧୁବର୍ଗଙ୍କ ଉପସ୍ଥିତିରେ ଗାଁ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଛି। ଦୁର୍ଘଟଣାରେ ଶଗଡ଼ ଟାଣୁ ଥିବା ୨ ପୋଢ଼ ଆହତ ହୋଇଥିଲେ। ସେଥିରୁ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ଗୋଟିଏ ପୋଢ଼କୁ ରାସ୍ତାକଡ ଜମିରେ ମାଟି ଖୋଳି ପୋତି ଦିଆଯାଇଥିବା ଜଣାପଡ଼ିଛି।