ଧୂଷୁରୀ,୨୪।୬ (କାଳନ୍ଦୀ ବେହେରା): ଭଦ୍ରକ ଜିଲା ଧୂଷୁରୀ ଥାନା ଅନ୍ତର୍ଗତ ବୟାଣ୍ଡିହି ପଞ୍ଚାୟତର ସଇଦଜାଫର ଗ୍ରାମରେ ଅଗ୍ନିକାଣ୍ଡ ଘଟି ଜଣେ ଦିନମଜୁରିଆ ପରିବାର ସର୍ବସ୍ବ ହରାଇଛନ୍ତି। ଗତ ରାତି ପ୍ରାୟ ୨ଟା ସମୟରେ ସେକ ଏକ୍ରାମ (୬୩)ଙ୍କ ବାସଗୃହରେ ହଠାତ୍ ନିଆଁ ଲାଗିଥିଲା। ନିଆଁ ଲାଗିବାର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ଅଳ୍ପ ସମୟ ମଧ୍ୟରେ ସମ୍ପୂର୍ଣ୍ଣ ଘରଟି ଜଳିପୋଡ଼ି ଛାର୍ଖାର୍ ହୋଇଯାଇଥିଲା। ଅଗ୍ନିକାଣ୍ଡ ସମୟରେ ପରିବାର ଲୋକେ ପ୍ରାଣ ବିକଳରେ ବାହାରକୁ ଚାଲି ଆସିଥିଲେ। ତେବେ ଘର ଭିତରେ ଥିବା ନଗଦ ୨୫ ହଜାର ଟଙ୍କା, ପ୍ରାୟ ଅଢ଼େଇ ଲକ୍ଷ ଟଙ୍କା ମୂଲ୍ୟର ସୁନା ଗହଣା, ଦୁଇଟି ମୋବାଇଲ ଫୋନ, କପଡ଼ା, ରାଶନ ସାମଗ୍ରୀ ସମେତ ଅନ୍ୟାନ୍ୟ ଘରୋଇ ଆସବାବପତ୍ର ସବୁ ପୋଡ଼ି ନଷ୍ଟ ହୋଇଯାଇଛି। ଏହି ଅଗ୍ନିକାଣ୍ଡରେ ମୋଟ ପ୍ରାୟ ୬ ଲକ୍ଷ ଟଙ୍କାରୁ ଅଧିକ କ୍ଷତି ହୋଇଥିବା ପରିବାର ପକ୍ଷରୁ ଦାବି କରାଯାଇଛି।
ସେକ ଏକ୍ରାମ ଓ ତାଙ୍କ ଦୁଇ ପୁଅ ସେକ ୱେତ କାଦ୍ରୀ (୩୦) ଏବଂ ସେକ ରିଆଜ (୨୬) ଦିନମଜୁରୀ କାମ କରି ପରିବାର ଚଳାଉଥିବା ବେଳେ ଏହି ଅଗ୍ନିକାଣ୍ଡ ସେମାନଙ୍କୁ ଦୁର୍ଦ୍ଦଶା ମଧ୍ୟରେ ପକାଇ ଦେଇଛି। ଘଟଣା ପରେ ଗ୍ରାମବାସୀ ପ୍ରଶାସନକୁ ତୁରନ୍ତ କ୍ଷୟକ୍ଷତିର ଆକଳନ କରି ଉପଯୁକ୍ତ ସରକାରୀ ସହାୟତା ପ୍ରଦାନ କରିବାକୁ ଦାବି କରିଛନ୍ତି।