ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କୁ ଅଶ୍ରୁଳ ବିଦାୟ

ବରଗଡ଼ ଅଫିସ/ପଦ୍ମପୁର,୪।୧୦: ବରଗଡ଼ ଜିଲା ପଦ୍ମପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବିଜୟ ରଞ୍ଜନ ସିଂ ବରିହାଙ୍କୁ ମଙ୍ଗଳବାର ଅଶ୍ରୁଳ ବିଦାୟ ଦିଆଯାଇଛି । ଏକ ବିଶାଳ ଶୋଭାଯାତ୍ରାରେ ସ୍ବର୍ଗତ ବରିହାଙ୍କ ପାର୍ଥିବ ଶରୀରକୁ ରଜାଘାଟ ନିଆଯାଇଥିଲା। ଶୋଭାଯାତ୍ରାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁ, ପୂର୍ବତନ ରାଜ୍ୟ ସଭା ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଭଟଲି ବିଧାୟକ ସୁଶାନ୍ତ ସିଂ, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ବିଧାୟକ ମୁକେଶ ମହାଲିଙ୍ଗ, ରାଜ୍ୟ ସଭା ସଦସ୍ୟ ନିରଞ୍ଜନ ବିଶି, ବରଗଡ଼ ଲୋକ ସଭା ସଦସ୍ୟ ସୁରେଶ ପୂଜାରୀ, ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ମହମ୍ମଦ ରଫିକ, ସାଧୁ ନେପାକ, ପୂର୍ବତନ ଲୋକସଭା ସଦସ୍ୟ ପ୍ରଭାସ ସିଂ, ଜିଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ, ରମାକାନ୍ତ ବଳିୟାର ସିଂ, ରାଜେନ୍ଦ୍ର ଢୋଲକିଆ ପ୍ରମୁଖ ସାମିଲ ହୋଇ ଶେଷ ଦର୍ଶନ ସହ ଅନ୍ତିମ ବିଦାୟ ଦେଇଥିଲେ। ସେହିପରି ଶୋଭାଯାତ୍ରାରେ ସ୍ବର୍ଗତ ବରିହାଙ୍କ ପାର୍ଥିବ ଶରୀରକୁ ରଜାଘାଟ ନିଆଯାଉଥିବାବେଳେ ସ୍ଥାନୀୟ ଲୋକେ ଶେଷ ଦର୍ଶନ କରିଥିଲେ ଏବଂ କାନ୍ଦବୋବାଳିରେ ପଦ୍ମପୁର ଫାଟିଉଠିଥିଲା। ଭୁବନେଶ୍ବରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧାନ ଅବସ୍ଥାରେ ରବିବାର ବିଳମ୍ବିତ ରାତିରେ ସ୍ବର୍ଗତ ବରିହାଙ୍କ ଦେହାନ୍ତ ହୋଇଥିଲା। ସୋମବାର ତାଙ୍କ ପ୍ରାର୍ଥତ୍ବ ଶରୀର ପଦ୍ମପୁରରେ ପହଞ୍ଚି ଥିଲା ଏବଂ ରଜାଘାଟରେ ମଙ୍ଗଳବାର ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ପୁଅ ଭୋଜରାଜ ସିଂ ବରିହା ମୁଖାଗ୍ନି ଦେଇଥିଲେ।