Categories: ଫୁରସତ

ନିଶରେ ତିଆରି ସୁଟ୍‌

ଅନେକଙ୍କୁ ପ୍ରାଣୀଙ୍କ ଲୋମ ବା ଫର୍‌ରେ ତିଆରି ପୋଷାକ ପିନ୍ଧିବାକୁ ଭଲ ଲାଗେ। ହେଲେ ଜାଣନ୍ତି କି ଅଷ୍ଟ୍ରେଲିଆର ମେନ୍ସଓ୍ବେର କମ୍ପାନୀ ‘ପୋଲିଟିକ୍ସ’ ମଣିଷ ନିଶରେ ତିଆରି କରିଛି ସୁଟ୍‌। ଭିଜୁଆଲ ଆର୍ଟିଷ୍ଟ ପାମେଲା କ୍ଲିମନ୍‌ ପାସୀଙ୍କ ସହ ମିଶି ପୋଲିଟିକ୍ସ ବ୍ରାଣ୍ଡ ଏହି ଅଜବ ସୁଟ୍‌ ପ୍ରସ୍ତୁତ କରିଛି। ଉକ୍ତ ସୁଟ୍‌କୁ ମୋଭେମ୍ବର ନାମକ ଏକ ବାର୍ଷିକ ଇଭେଣ୍ଟରେ ପ୍ରଦର୍ଶିତ କରାଯାଇଥିଲା। ଏହି ଇଭେଣ୍ଟରେ ପୁରୁଷଙ୍କର ବିଭିନ୍ନ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଏ। ତା’ସହ ଏଥିରେ ପୃଥିବୀର ବିଭିନ୍ନ ସ୍ଥାନରୁ ବଡ଼ ବଡ଼ ନିଶ ରଖିଥିବା ପୁରୁଷ ଆସି ନିଜ ନିଜର ନିଶକୁ ପ୍ରଦର୍ଶିତ କରିଥାନ୍ତି। ଏହି ମୋଭେମ୍ବର ଇଭେଣ୍ଟକୁ ଖାସ୍‌ କରିବା ଲାଗି ପୋଲିଟିକ୍ସ କମ୍ପାନୀ ଏହି ଖାସ୍‌ ସୁଟ୍‌ ତିଆରି କରିଥିଲା। ‘ମୋ ହେୟାର’ ନାମକ ଏହି ସୁଟ୍‌କୁ ତିଆରି କରିବା ଲାଗି ପାମେଲା କ୍ଲିମନ୍‌ ବିଭିନ୍ନ ସେଲୁନ୍‌ରୁ ନିଶ ସଂଗ୍ରହ କରିଥିଲେ। ଅନେକେ ଏହି ପ୍ରୋଜେକ୍ଟ ପାଇଁ ନିଜେ ନିଜର ନିଶ କାଟି ପ୍ୟାକେଟ୍‌ କରି ମଧ୍ୟ ପଠାଇଥିଲେ । ପାମେଲାଙ୍କ ସ୍ବାମୀ ପ୍ରୋଷ୍ଟେଟ କ୍ୟାନ୍ସରରେ ମୃତ୍ୟୁବରଣ କରିଥିଲେ। ତେଣୁ ଲୋକଙ୍କ ମଧ୍ୟରେ ଏଭଳି ପୁରୁଷ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି ସେ ବହୁ ପରିଶ୍ରମ କରି ନିଶକୁ କଟନ୍‌ ସହିତ ବୁଣି ଏକ ଫ୍ୟାବ୍ରିକ ପ୍ରସ୍ତୁତ କରିଥିଲେ। ଆଉ ପୋଲିଟିକ୍ସ ବ୍ରାଣ୍ଡ ଏଥିରେ ସିଙ୍ଗଲ ବ୍ରେଷ୍ଟେଡ ସୁଟ୍‌ ତିଆରି କରିଥିଲା। ନିଶରେ ତିଆରି ହୋଇଥିବାରୁ ଏହାକୁ ପିନ୍ଧିଲେ ଚର୍ମ କୁଣ୍ଡେଇ ହେବାର ଆଶଙ୍କା ଥିବାରୁ ଭିତରେ ଲାଇନିଂ ଦିଆଯାଇଥିଲା।

Share